ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ; ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ!

Advertisment
ଗୁରୁ-ଶିଷ୍ୟ ସମ୍ପର୍କରେ ପୁଣି ଲାଗିଲା କଳଙ୍କ; ଆଦିବାସୀ ଛାତ୍ରୀଙ୍କୁ ଅସଦାଚରଣ!

ଥୁଆମୂଳ ରାମପୁର, ୨୧ା୫ (ଇମିସ): ପୁଣି ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ ଲାଗିଛି କଳଙ୍କର ଛିଟା। କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ଥାନା ଗୋପୀନାଥପୁର ହାଇସ୍କୁଲର ଆଦିବାସୀ ଛାତ୍ରୀଙ୍କୁ ସ୍କୁଲ୍ ପ୍ରଧାନଶିକ୍ଷକ ଅସଦାଚରଣ କରୁଥିବା ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏନେଇ ପୁଲିସ୍ ପ୍ରଧାନଶିକ୍ଷକ ଶଶିଧର ନାଏକଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। ଏନେଇ ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଅଛି। ଏଠାରେ ରହି ଛାତ୍ରୀମାନେ ପାଠ ପଢ଼ୁଛନ୍ତି। ଶଶିଧର ନାଏକ ସ୍କୁଲର ପ୍ରଧାନ ଶିକ୍ଷକ ରହିଥିବା ବେଳେ ଛାତ୍ରୀମାନଙ୍କୁ ଆସଦାଚରଣ କରିବା ସହ ସମ୍ବେଦନଶୀଳ ଅଙ୍ଗକୁ ଛିଉଁଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି।

ଏନେଇ ନିଜ ବାପା-ମାଆଙ୍କୁ ଜଣାଇଲେ ସାର୍ଟିଫିକେଟ୍‌ ଦେଇ ବହିଷ୍କାର କରିଦେବାକୁ ଧମକ ଦେଉଥିଲେ। ଛାତ୍ରୀମାନେ ଭୟରେ କାନ୍ଦି କାନ୍ଦି ହଷ୍ଟେଲ ଛାଡି ଚାଲିଯାଉଥିବା ଦେଖି ଗୋପୀନାଥପୁର ଗ୍ରାମବାସୀ ଅଟକାଇ ଘଟଣା ବିଷୟରେ ଜାଣିବାକୁ ଚାହିଥିଲେ। ପରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୋମେଶ୍ବର ବେହେରା ପହଞ୍ଚି ଛାତ୍ରୀଙ୍କୁ ସୁରକ୍ଷା ସ୍ବରୂପ ଗ୍ରାମର ଓଏଲ୍ଏମ୍ ଗୃହରେ ରଖି ବିଦ୍ୟାଳୟରେ ପ୍ରଦତ୍ତ ଗଣଶିକ୍ଷା ବିଭାଗର ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ ଜଣାଇଥିବା ପ୍ରକାଶ କରିଥିଲେ। ଏଭଳି ଅଭିଯୋଗ ପାଇଲା ପରେ ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଆସିଥିଲା। ଛାତ୍ରୀମାନେ ଅଭିଯୋଗ କରିବା ସହ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ରୋଷେଇ କରୁଥିବା ଦିଦିଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି।

ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରୀ ରହୁଥିବା ବେଳେ ଏଥିରେ ଥିବା ହଷ୍ଟେଲକୁ କେବଳ ମହିଳା ୱାଡେନ୍ ହିଁ ଯାଇପାରିବେ। କିନ୍ତୁ ପ୍ରଧାନଶିକ୍ଷକ ବିନା ଅନୁମତିରେ ପ୍ରବେଶ କରି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ କରିଛନ୍ତି। ଏପରିକି ଛାତ୍ରୀମାନେ ଗାଧୋଉଥିବା ଓ ଡ୍ରେସ୍‌ ବଦଳାଉ ଥିବା ବେଳେ ଶିକ୍ଷକ ଲୁଚିଲୁଚି ଦେଖିବା ସହ ହଷ୍ଟେଲ ଭିତରେ ପଶି ଛାତ୍ରୀଙ୍କ ଦେହକୁ ସ୍ପର୍ଶ କରୁଥିବା ଅଭିଯୋଗ କରିଛନ୍ତି। ଏନେଇ ଅଭିଯୋଗ ପାଇବା ପରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ଗଙ୍ଗାଧର ବେହେରା ଏବଂ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ବିଜୟ ବେହୁରା ପହଞ୍ଚି ଛାତ୍ରୀଙ୍କ ଠାରୁ ଘଟଣା ସମ୍ପର୍କରେ ବୁଝିଥିଲେ। ୬ ଜଣ ଛାତ୍ରୀ ଏସବୁ ଅଭିଯୋଗ ନେଇ ପ୍ରଶାସନକୁ ଲିଖିତ ଜଣାଇବା ପରେ ଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ଠାରୁ ଦାୟିତ୍ୱ ହଟାଇ ହଷ୍ଟେଲ ଦାୟିତ୍ୱ ଶିକ୍ଷୟିତ୍ରୀ ଆଲ୍ଲାଦିନୀ ମଣି ବାଗଙ୍କୁ ଦିଆଯାଇଥିବା ସୂଚନା ଦିଆଯାଇଛି। ଅନ୍ୟପକ୍ଷରେ ସୂଚନା ପାଇ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ବିଦ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଚାଇଲ୍ଡ ହେଲ୍ପ ଲାଇନ୍ ବିଭାଗ ପହଞ୍ଚି ଛାତ୍ରୀଙ୍କ ଅଭିଯୋଗ ଶୁଣିଥିଲେ।

ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ନାଏକଙ୍କୁ ପଚରାଉଚରା ପାଇଁ ଥାନାରେ ଅଟକ ରଖିଛି ପୁଲିସ୍। ଥୁଆମୂଳ ରାମପୁର ବିଡ଼ିଓ ଶୁଭକାନ୍ତ ନାଏକ ଓ ଥୁଆମୂଳ ରାମପୁର ଥାନା ଅଧିକାରୀ ଗୋବିନ୍ଦ ମାଝୀ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ ଏବଂ ପ୍ରଧାନ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି। ଏନେଇ ପ୍ରଧାନଶିକ୍ଷକ ଶଶିଧର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ସ୍କୁଲରେ ଜଣେ ରୋଷେୟା ମହିଳା ଅଛନ୍ତି, ସେ ମନଇଚ୍ଛା ଯିବା ଆସିବା କରନ୍ତି। ମୁଁ ଏହାକୁ ବିରୋଧ କରିବାରୁ ମତେ ସେ ଫସାଇ ଦେଇଛନ୍ତି। ଏଥିରେ ମୋର କୌଣସି ଭୁଲ ନାହିଁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe