ରାଉରକେଲା ଏନ୍‌ଆଇଟିରେ ବଢ଼ୁଛି ଯୌନ ଶୋଷଣ! ମାସକ ଭିତରେ ୨ ଛାତ୍ରୀ ଅସଦାଚରଣ ଶିକାର

Advertisment

ତଥାକଥିତ ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଶୂନ

ତଥାକଥିତ ତଦନ୍ତ ଚାଲିଛି, କାର୍ଯ୍ୟାନୁଷ୍ଠାନ ଶୂନ

ରାଉରକେଲା ଏନ୍‌ଆଇଟିରେ ବଢ଼ୁଛି ଯୌନ ଶୋଷଣ! ମାସକ ଭିତରେ ୨ ଛାତ୍ରୀ ଅସଦାଚରଣ ଶିକାର

ରାଉରକେଲା: ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକାଧିକ ଜାତୀୟ ଓ ଅନ୍ତର୍ଜାତୀୟ ଉପଲବ୍ଧି ହାସଲ କରିଥିବା ରାଉରକେଲାସ୍ଥ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଟେକ୍ନଲୋଜି (ଏନ୍‌ଆଇଟି) ଏବେ ସଙ୍ଗୀନ ଅପବାଦରେ ଛନ୍ଦି ହୋଇଛି। ଛାତ୍ରୀଙ୍କୁ ଯୌନଶୋଷଣ ଓ ଅସଦାଚରଣ ପାଇଁ ଏବେ ବଦନାମ ମୁଣ୍ଡେଇଛି ଏହି ଅନୁଷ୍ଠାନ। ପ୍ରାୟ ମାସକ ପୂର୍ବେ ଜଣେ ପିଏଚ୍‌ଡି ଛାତ୍ରୀ ‌ଯୌନଶୋଷଣର ଶିକାର ହୋଇଥିବାବେଳେ କିଛି ଦିନ ପୂର୍ବେ ଆଉଜଣେ ସ୍ନାତକୋତ୍ତର ଛାତ୍ରୀ ସମାନ ଅଭିଯୋଗ ଆଣିଛନ୍ତି। ଉଭୟ ମାମଲାରେ ପ୍ରଫେସର ହିଁ ଅସଦାଚରଣ ଉଦ୍ୟମ କରିଛନ୍ତି। ନିୟମିତ ବ୍ୟବଧାନରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିଚାଲିଥିବାବେଳେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ନା ନାହିଁ ତାହା ବି ଅସ୍ପଷ୍ଟ। କାରଣ ତଦନ୍ତ ରିପୋର୍ଟକୁ ପ୍ରକାଶ କରାଯାଉନି। ସମ୍ଭବତଃ ଏନ୍‌ଆଇଟି କର୍ତ୍ତୃପକ୍ଷ ମାମଲା ଚାପି ଦେବା ଉଦ୍ଦେଶ୍ୟରେ ଏଭଳି ପ୍ରୟାସ କରୁଥିବା ମତ ଆସୁଛି।
ଗତ ଏପ୍ରିଲ ଶେଷ ସପ୍ତାହର ଘଟଣା।

ଅଭିଯୋଗ ଅନୁସାରେ, ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ଜଣେ ଆସୋସିଏଟ୍‌ ଡିନ୍‌ ପାହ୍ୟାର ଜଣେ ପ୍ରଫେସର ଶିକ୍ଷା ସଂପର୍କିତ କାମ ବାହାନାରେ ନିଜ ଘରକୁ ଡାକିଥିଲେ। ଛାତ୍ରୀ ଜଣକ ଉକ୍ତ ପ୍ରଫେସରଙ୍କ ଘରକୁ ପହଞ୍ଚିବାପରେ ସେ ଅସଦାଚରଣ ଉଦ୍ୟମ କରିଥିଲେ। କୌଶଳକ୍ରମେ ଛାତ୍ରୀ ଜଣକ ସେଠାରୁ ସୁରକ୍ଷିତ ଫେରିଆସି ଏନେଇ ଏନ୍‌ଆଇଟି ନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଅନୁଷ୍ଠାନର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ଆଇସିସି)କୁ ମାମଲା ହସ୍ତାନ୍ତର କରାଯିବାସହ ଅଭିଯୁକ୍ତ ପ୍ରଫେସରକୁ ବାଧ୍ୟତାମୂଳକ ଛୁଟି ଦିଆଯାଇଛି। ଏହାସହ କ୍ୟାମ୍ପସ୍‌ ଭିତରକୁ ନ ଆସିବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯିବା ସହ ସ୍ଥାନ ଛାଡ଼ି ଅନ୍ୟତ୍ର ନ ଯିବାକୁ ଚେତାବନୀ ଦିଆଯାଇଛି। ଏହା ପୂର୍ବରୁ ପ୍ରାୟ ୭ ମାସ ପୂର୍ବେ ଜଣେ ପିଏଚ୍‌ଡି ଛାତ୍ରୀ ନିଜ ପ୍ରଫେସରଙ୍କ ଏଭଳି ଅଶୋଭନୀୟ ବ୍ୟବହାରର ସମ୍ମୁଖୀନ ହୋଇଥିଲେ। ପ୍ରୋଜେକ୍ଟ କାମ ବାହାନାରେ ସଂପୃକ୍ତ ପ୍ରଫେସର ଛାତ୍ରୀଙ୍କୁ ଝାରସୁଗୁଡ଼ାକୁ ନେଇଯାଇଥିଲେ। ସେଠାରେ ପ୍ରୋଜେକ୍ଟ କାମ ବଦଳରେ ଏକ ହୋଟେଲକୁ ନେଇ କୁଆଡ଼େ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀଜଣକ ଗତ ଏପ୍ରିଲ ପହିଲାରେ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିବାବେଳେ ମାମଲା ତଦନ୍ତାଧୀନ ରହିଛି। କିନ୍ତୁ ତଦନ୍ତର ରିପୋର୍ଟ ପ୍ରକାଶ କରା ଯାଇନାହିଁ କି କାର୍ଯ୍ୟନୁଷ୍ଠାନ ହୋଇନାହିଁ।

ଗୋଟିଏ ମାସ ଭିତରେ ଏହି ଦୁଇ ଦୁଇଟି ଯୌନଶୋଷଣ ବା ଶୋଷଣ ଉଦ୍ୟମ ଘଟଣା ଏନ୍‌ଆଇଟିରେ ଯୌନଶୋଷଣ ପ୍ରସଙ୍ଗର କଳୁଷିତ ଇତିହାସକୁ ପୁଣିଥରେ ଉଜାଗର କରିଛି। ୨୦୧୬ ଏପ୍ରିଲ ମାସରେ ସଂଘଟିତ ଏନ୍‌ଆଇଟି ସୁରକ୍ଷା ଅଧିକାରୀଙ୍କ ଯୌନ ନିର୍ଯାତନା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ଶିରୋଣାମା ପାଲଟିଥିଲା। ତତ୍କାଳୀନ ସୁରକ୍ଷା ଅଧିକାରୀ ଅନୁଷ୍ଠାନର ସୁରକ୍ଷା ଦାୟିତ୍ବରେ ଥିବା ମହିଳା ସୁରକ୍ଷା କର୍ମଚାରୀଙ୍କୁ ଦିନ ଦ୍ବିପ୍ରହରରେ କାର୍ଯ୍ୟାଳୟ ଭିତରେ ତଥା ଅନ୍ୟ ମହିଳା ସୁରକ୍ଷା କର୍ମୀଙ୍କ ସମ୍ମୁଖରେ ଯୌନଶୋଷଣ କରୁଥିବା ଏକାଧିକ ଭିଡିଓ ଭାଇରାଲ୍‌ ହୋଇଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ତୀବ୍ର ପ୍ରତିବାଦ କରିବାସହ ବିକ୍ଷୋଭ କରିବାରୁ ପ୍ରାୟ ମାସକପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ଉକ୍ତବର୍ଷ, ଅର୍ଥାତ୍‌ ୨୦୧୬ ଅକ୍ଟୋବର ମାସରେ ଜଣେ ବିଟେକ୍‌ ଛାତ୍ରୀ ସୁରକ୍ଷା ବିଭାଗର ଜଣେ କିରାଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ଉକ୍ତ କିରାଣୀ ସଂପୃକ୍ତ ଛାତ୍ରୀଙ୍କୁ ଅନୈତିକଭାବେ ସ୍ପର୍ଶ କରିବାର ପ୍ରୟାସ କରିଥିଲେ। ସେହିଭଳି ୨୦୧୩ ଜୁଲାଇ ମାସରେ ଜଣେ ଏମ୍‌ଟେକ୍‌ ଛାତ୍ରୀ ନିଜ ପ୍ରୋଜେକ୍ଟ ଗାଇଡ୍‌ଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ। ବିଡ଼ମ୍ବନା ହେଲା, ଏଭଳି ଯୌନଶୋଷଣ ବା ‌ଉଦ୍ୟମ ବା ଅସଦାଚରଣ କରୁଥିବା ଅଭିଯୁକ୍ତମାନଙ୍କ ବିରୋଧରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନଥିଲା। ଏବେ ମଧ୍ୟ ନିଆ ଯାଉନାହିଁ। ଏମିତିକି ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ତଦନ୍ତ କେବଳ ଲୋକଙ୍କୁ ଭ୍ରମିତ କରିବା ଲାଗି କରା ଯାଉଥିବାର ମଧ୍ୟ ଅଭିଯୋଗ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe