ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମଠ କର୍ତ୍ତୃପକ୍ଷ: ‘ସମାଧି ମନ୍ଦିରକୁ ମାଫିଆଙ୍କଠୁ ମୁକ୍ତିଦିଅ’

Advertisment
ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମଠ କର୍ତ୍ତୃପକ୍ଷ: ‘ସମାଧି ମନ୍ଦିରକୁ ମାଫିଆଙ୍କଠୁ ମୁକ୍ତିଦିଅ’

ପୁରୀ: ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିରୁ ବର୍ତ୍ତିପାରିନାହିଁ ଆଦି ଶଙ୍କରାଚାର୍ଯ୍ୟଙ୍କ ସମାଧି ମନ୍ଦିର। ସମୃଦ୍ଧ ସନାତନ ସଂସ୍କୃତିର ମୂଲ୍ୟବୋଧ ମାନବ ସମାଜକୁ ବିତରଣ କରି ଆସୁଥିବା ଆଦିଗୁରୁ୍ଙ୍କ ସମାଧି ମନ୍ଦିରକୁ ଦଳିମକଚି ଏହାଉପରେ କୋଠା ଗଢ଼ିବାକୁ ପଛାଉନାହାନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୀଠରୁ ଗୋଟେ ପରେ ଗୋଟେ ସମାଧି ମନ୍ଦିରକୁ ଧ୍ବଂସ କରି ଦେଉଥିବା ଜମି ମାଫିଆଙ୍କ କବଳରୁ ମୁକ୍ତି ଦେବାପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଶ୍ରୀଶଙ୍କରାଚାର୍ଯ୍ୟ ଶ୍ରୀଗୋବର୍ଦ୍ଧନ ମଠର କାର୍ଯ୍ୟାଳୟ ସମ୍ପାଦକ ସୂୟଶ ପ୍ରଶାନ୍ତ। ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଓ ଆରକ୍ଷୀ ଅଧୀକ୍ଷକଙ୍କୁ ମଧ୍ୟ ଏହି ପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳଙ୍କୁ ଭେଟି ସମାଧି ମନ୍ଦିରକୁ ଉଦ୍ଧାର କରି ମଠକୁ ହସ୍ତାନ୍ତର ନିମନ୍ତେ ଦାବି କରିଛନ୍ତି।
ସୂୟଶ ପ୍ରଶାନ୍ତ କହିଛନ୍ତି, ପୁରୀ ବାଲିସାହିରେ ଶ୍ରୀଶଙ୍କରାଚାର୍ଯ୍ୟ ଗୋବର୍ଦ୍ଧନ ମଠରେ ବର୍ତ୍ତମାନ ସୁଦ୍ଧା ୧୪୫ ଜଣ ଶଙ୍କରାଚାର୍ଯ୍ୟ ବୈଦିକ ଜ୍ଞାନ ବିତରଣ ସହ ସନାତନ ସଂସ୍କୃତିର ସୁରକ୍ଷା ପାଇଁ କାର୍ଯ୍ୟ କରି ଆସିଛନ୍ତି। ଶଙ୍କରାଚାର୍ଯ୍ୟମାନେ ବ୍ରହ୍ମଲୀନ ହେଲେ ବା ଇହଲୀଳା ସମ୍ବରଣ କଲେ ସେମାନଙ୍କୁ ସମାଧି ଦିଆଯିବାର ପ୍ରଥା ରହିଛି।

ସମାଧି ସ୍ଥଳରେ ଶିବଲିଙ୍ଗ ପ୍ରତିଷ୍ଠା ପୂର୍ବକ ଗୋବର୍ଦ୍ଧନ ମଠ ପକ୍ଷରୁ ଏଠାରେ ସକାଳେ ଓ ସନ୍ଧ୍ୟାରେ ପୂଜା କରାଯାଏ। ଅତୀତରୁ ଏଠାରେ ୧୩୧ ଜଣଙ୍କ ସମାଧି ମନ୍ଦିର ରହିଥିଲା। କିନ୍ତୁ ଜମି ମାଫିଆମାନେ ଜମିକୁ ହାତେଇବା ପାଇଁ ସମାଧି ମନ୍ଦିରକୁ ଭାଙ୍ଗିଦେଲେ। ଏବେ ସେଠାରେ ମାତ୍ର୧୯ଟି ସମାଧି ମନ୍ଦିର ମଠ ତରଫରୁ ପୂଜା କରାଯାଉଛି। କିନ୍ତୁ ଆଉ ୨ଟି ସମାଧି ମନ୍ଦିରକୁ ଦଖଲ କରାଯାଇଛି। ମଠ ପଛପାଖ ଦକ୍ଷିଣ ପାର୍ଶ୍ବ ସାତ ଆସନ ଲେନ୍‌ ନିକଟରେ ଦୁଇଟି ସମାଧି ମନ୍ଦିରକୁ ଭାଙ୍ଗିଦିଆଯାଇଛି। ଅନେକ ସମାଧି ମନ୍ଦିରକୁ ଦଖଲକୁ ନେଇ ସମାଧି ଉପରେ କିଛି ହୋଟେଲ ଓ ଲଜ୍‌ ମଧ୍ୟ ନିର୍ମିତ ହୋଇଛି। ଏହା ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ଅସମ୍ମାନ। ବୈଦିକ ପରମ୍ପରା ଅନୁସାରେ ସମାଧି ମନ୍ଦିରରେ ପୂଜା ବିଧି ହୋଇପାରୁନାହିଁ। କେଉଁମାନେ ଦଖଲରେ ଅଛନ୍ତି ଏନଇେ ସରକାରୀ ସ୍ତରରେ ନିରପେକ୍ଷ ତଦନ୍ତ ସହ ସମାଧି ମନ୍ଦିରକୁ ଉଦ୍ଧାର କରି ଗୋବର୍ଦ୍ଧନ ମଠକୁ ସ୍ଥାନାନ୍ତର କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe