ରକ୍ତ କର୍କଟରେ ଆକ୍ରାନ୍ତ ଶୁଭଙ୍କରଙ୍କ ଚିକିତ୍ସାରେ ଅର୍ଥ ବାଧକ

Advertisment
ରକ୍ତ କର୍କଟରେ ଆକ୍ରାନ୍ତ ଶୁଭଙ୍କରଙ୍କ ଚିକିତ୍ସାରେ ଅର୍ଥ ବାଧକ

ଭଣ୍ଡାରିପୋଖରୀ-୧: ଜୀବନ କଣ ବୁଝିବା ଆଗରୁ ମୃତ୍ୟୁର ଦ୍ୱାରଦେଶରେ ୧୩ବର୍ଷର ଛାତ୍ର ଶୁଭଙ୍କର। ପାଠପଢା ଓ ହସ ଖେଳ ବୟସରେ ରକ୍ତ କର୍କଟ ରୋଗରେ ଯେ ବାପାମାଆଙ୍କର ଏକମାତ୍ର ପୁଅ ପୀଡିତ ହେବ କେହି ସ୍ୱପ୍ନରେ ଭାବିନଥିଲେ। ହେଲେ ନିୟତି ଆଗରେ ଆଜି ସମସ୍ତେ ନିରୁପାୟ। ମୃତ୍ୟୁ ସହ ସଂଗ୍ରାମ କରୁଥିବା ନିଜ ପୁଅକୁ ବଞ୍ଚାଇବା ପାଇଁ ବାପା ମାଆଙ୍କ ଆକୁଳ ନିବେଦନ।

ଭଣ୍ଡାରିପୋଖରୀ ବ୍ଲକ ସାନମାଳଦା ଗାଁର ବିଜୟ ଦାସଙ୍କ ଏକମାତ୍ର ପୁଅ ଶୁଭଙ୍କର ଏବେ ରକ୍ତ କର୍କଟ ରୋଗରେ ପୀଡିତ। ବିଜୟ ଜଣେ ଦିନ ମଜୁରିଆ ଭାବେ କାମ କରୁଥିବା ବେଳେ ପୁଅ, ଝିଅ ଓ ପତ୍ନୀଙ୍କୁ ନେଇ ତାଙ୍କର ସଂସାର ଉପରେ ସତେ ଯେମିତି ମାଡି ଆସିଲା ଦୁଃଖର ପାହାଡ। ଶୁଭଙ୍କର ନିକଟ ମାଳଦା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଏକ ମାସ ପୂର୍ବରୁ ଲଗାତାର ଜ୍ବରରେ ପୀଡିତ ହୋଇଥିଲେ। ତାଙ୍କୁ ଯାଜପୁର ସହରର ବିଭିନ୍ନ ଡାକ୍ତରଙ୍କ ସମେତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା। ହେଲେ ଜ୍ୱର ନ ଛାଡ଼ିବାରୁ ଶୁଭଙ୍କରକୁ କଟକ ମେଡିକାଲ ନିଆଯାଇଥିଲା। ସେଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ହୋଇ ସାରିବା ପରେ ତାଙ୍କୁ ରକ୍ତ କର୍କଟ ହୋଇଥିବା ଡାକ୍ତର କହିଥିଲେ। ପୁଅର ଏଭଳି ମାରାତ୍ମକ ରୋଗ ହୋଇଥିବା ଜାଣିବା ପରେ ବାପା ମାଆ, ବନ୍ଧୁବାନ୍ଧବ, ସାହିପଡ଼ିଶା ଓ ଗ୍ରାମବାସୀ ସତେ ଯେମିତି ହତବାକ ହୋଇଯାଇଥିଲେ। ପାଖରେ ଟଙ୍କାଟିଏ ଆର୍ଥିକ ସମ୍ବଳ ନ ଥିବାବେଳେ ପୁଅକୁ ଭଲ କରିବା ପାଇଁ ସମସ୍ତେ ଲାଗି ପଡିଛନ୍ତି। ଅଧିକ ଚିକିତ୍ସା ସକାଶେ ଶୁଭଙ୍କରଙ୍କୁ ମୁମ୍ବାଇ ନେବା ପାଇଁ ଏବେ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଥିବା ବେଳେ ଆବଶ୍ୟକ ରହିଛି ଅନେକ ଅର୍ଥର। ତେଣୁ ବାପାମା ଓ ପରିବାର ଏକମାତ୍ର ପୁତ୍ରର ଜୀବନ ବଞ୍ଚାଇବା ପାଇଁ ସମସ୍ତଙ୍କ ଠାରୁ ଆର୍ଥିକ ସହାୟତା ଭିକ୍ଷା କରିଛନ୍ତି। ଏ ଦୁଃଖ ସମୟରେ ସମସ୍ତେ ଆଗେଇ ଆସିବାକୁ ଗ୍ରାମବାସୀଙ୍କ ପକ୍ଷରୁ ମଧ୍ୟ ନିବେଦନ କରାଯାଇଛି। ସମସ୍ତେ କିଛି କିଛି ଆର୍ଥିକ ସହାୟତା ପ୍ରଦାନ କଲେ ଶୁଭଙ୍କର ଚିକିତ୍ସା ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe