The Guardian Nigeria
ପଦ୍ମପୁର: ପଦ୍ମପୁର ଉପଖଣ୍ତ ବରିହାପାଲି ପଂଚାୟତ ଚକାଖଲିଆ ଗ୍ରାମରେ ଦୁଇ ଜଣ ଅଜଣା ଯୁବକ କାଳିଆ ଯୋଜନାରେ ସାମିଲ କରାଇବା ପାଇଁ ଲୋକଙ୍କଠାରୁ ଟଙ୍କା ହଡପ୍ କରୁଥିବା ବେଳେ ଗ୍ରାମବାସୀ ଉଭୟଙ୍କୁ କାବୁ କରି ପୁଲିସ୍ରେ ଜିମା ଦେଇଛନ୍ତି। ଉକ୍ତ ଗ୍ରାମର ନିରାକାର ଜାଲ, ଅନ୍ତର୍ଯ୍ୟାମୀ ପ୍ରଧାନ, ଗୁଲୁଠୁ ପ୍ରଧାନ, ପୁରୁଷୋତ୍ତମ ସାହୁ, ଡମ୍ବରୁଧର ସାହୁ, ଲକ୍ଷ୍ମୀନାରାୟଣ ସାହୁ, ଷଡ଼ାନନ ସ୍ବାଇଁ, ଲେକ୍ରୁ ପ୍ରଧାନ, କିଶୋର ଚନ୍ଦ୍ର ସାହୁ, ଶାନ୍ତି ସାହୁଙ୍କୁ କାଳିଆ ଯୋଜନାର ଟଙ୍କା ମିଳିବାର ପ୍ରଲୋଭନ ଦେଖାଇ ୧୦ ହଜାର ଟଙ୍କା ସଂଗ୍ରହ କରିଥିଲେ।
ଫର୍ମପୂରଣ ପାଇଁ ପାସ୍ବୁକ୍ ନମ୍ବର ଓ ଆଧାର କାର୍ଡ ନମ୍ବର ଲାପ୍ଟପ୍ରେ ଲୋଡ୍ କରି ପ୍ରତ୍ୟକଙ୍କଠାରୁ ୧ ହଜାର ଟଙ୍କା ଲେଖାଏଁ ଆଦାୟ କରୁଥିଲେ। ୱାର୍ଡ ସଭ୍ୟ ନିରାକାର ଜାଲ ସନ୍ଦେହ କରି ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ। ଶେଷରେ ଉଭୟ ଯୁବକ ଠକ ବୋଲି ପ୍ରମାଣିତ ହୋଇଥିଲା। ପରେ ପୁଲିସ୍କୁ ଖବର ଦେଇଥିଲେ। ଯୁବକ ଦ୍ବୟ ଇଛାପାଲି ଗ୍ରାମର ପବିତ୍ର ଭୋଇ ଓ ଝାଙ୍କରପାଲିର ତପନ ବିଶି ବୋଲି ପୁଲିସ୍ ଜାଣିବାକୁ ପାଇଥିଲେ। ଉଭୟ ଅଭିଯୁକ୍ତଙ୍କଠାରୁ ମୋବାଇଲ ଓ ଲାପ୍ଟପ୍ ଜବତ କରି ଅଧିକ ତଦନ୍ତ ପାଇଁ ଥାନାରେ ଅଟକ ରଖିଛନ୍ତି।
Follow Us