ଜବ୍‌କାର୍ଡଧାରୀଙ୍କ ନାଁ’ରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌, ୨ ରାଜନେତାଙ୍କ ସହ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ

Advertisment
ଜବ୍‌କାର୍ଡଧାରୀଙ୍କ ନାଁ’ରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌, ୨ ରାଜନେତାଙ୍କ ସହ ବ୍ୟାଙ୍କ କର୍ମଚାରୀ ଥାନାରେ ଅଟକ

ନୀଳଗିରି: ପୀଠହତା ପଞ୍ଚାୟତରେ ୨ ରାଜନେତା ଓ ବ୍ୟାଙ୍କ କର୍ମଚାରୀଙ୍କ ସହାୟତାରେ ୩୦ରୁ ଊର୍ଦ୍ଧ୍ବ ଜବକାର୍ଡଧାରୀଙ୍କ ନାଁରେ ପ୍ରାୟ ୩୦ ଲକ୍ଷ ଟଙ୍କା ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ୨ ରାଜନେତାଙ୍କୁ ଥାନାରେ ଅଟକ ରଖି ବରହମପୁର ପୁଲିସ ତଦନ୍ତ ଚଳାଇଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୀଠହତା ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ସାନନୂଆଗାଁ ଗ୍ରାମର ଉମାକାନ୍ତ ନାୟକ ପ୍ରତିଦ୍ୱନ୍ଦ୍ବିତା କରିଥିଲେ। ସେହି ସମୟରେ ସେ ଅଂଚଳର ଲୋକଙ୍କୁ କାଳିଆ ଯୋଜନା, ମନରେଗା, ମୋ ବଗିଚା ଯୋଜନାରେ ଜବକାର୍ଡ ଜରିଆରେ ସରକାରୀ ଟଙ୍କା କରାଇ ଦେବେ ବୋଲି କହି ୩୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଦସ୍ତଖତ, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ର ନେଇଥିଲେ। ତାଙ୍କ ସହ ଉକ୍ତ ଅଞ୍ଚଳର ନେତା ବୋଲାଉଥିବା କମଳାକାନ୍ତ ମହାକୁଡ଼ ମଧ୍ୟ ସାମିଲ ଥିଲେ।

ଅପରପକ୍ଷରେ ତରତରୀ ଛକରେ ଏଚ୍‌ଡିଏଫ୍‌ସି ତରଫରୁ ଏକ କିଓସ୍କୋ କରିଥିବା ଉକ୍ତ ଗ୍ରାମର ବସନ୍ତ ବେହେରା ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ସାନନୂଆଗାଁର ଅନ୍ୟ ହିତାଧିକାରୀ ମନରେଗା ଓ ଅନ୍ୟ ସରକାରୀ ଯୋଜନାରେ ଟଙ୍କା ପାଇଥିବା ବେଳେ ଉକ୍ତ ଗ୍ରାମର ମାମା ସିଂ, ଚକାଡୋଳା ସିଂ, ଲିଟୁ ପଲେଇ, ରମେଶ ଚନ୍ଦ୍ର ସିଂ, ସୁମନ୍ତ ସିଂ, ଦିଲ୍ଲୀପ ସିଂ, ସୋମନାଥ ସିଂ, ରବୀନ୍ଦ୍ର ସିଂ, ଶୁଭଙ୍କର ନାୟକ, ହେମନ୍ତ କବାଟ, ସଞ୍ଜୟ ସିଂଙ୍କ ସମେତ ୩୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ସରକାରୀ ସହାୟତା ପାଇନାହାନ୍ତି। ଏଥିରେ ସେମାନଙ୍କ ସନ୍ଦେହ ଉପୁଜିବାରୁ ହିତାଧିକାରୀମାନେ ନୀଳଗିରି ବ୍ଲକକୁ ଆସି ସେମାନଙ୍କ ଆକାଉଣ୍ଟରେ ଟଙ୍କା ଯାଇଥିବା ଜାଣିବାକୁ ପାଇଥିଲେ। ଏହି ଘଟଣାରେ ୨ ନେତା ଓ ବ୍ୟାଙ୍କ କର୍ମଚାରୀ ସାମିଲ ହୋଇ ଗରିବ ହିତାଧିକାରୀଙ୍କ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି।

ଏ ନେଇ ଅଞ୍ଚଳବାସୀ ବରହମପୁର ଥାନାରେ ଦ୍ୱାରସ୍ଥ ହେବା ପରେ ଥାନା ଅଧିକାରୀ ହେମନ୍ତ ମାଝୀ ବରହମପୁର ଥାନାରେ କେସ୍ ନଂ ୭୪/୨୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe