ଜିଲ୍ଲା ମହୋତ୍ସବରେ ମନଇଚ୍ଛା ଉଡ଼ୁଥିଲା ଟଙ୍କା: ପ୍ରଶାସନ ଦେଉଥିଲା ୧୦ ଲକ୍ଷ, ଖର୍ଚ୍ଚ ୨୦ କୋଟି!

କିଏ ଦେଉଥିଲେ ଏତେ ଟଙ୍କା? ପ୍ରଶାସନ ପାଖରେ ନାହିଁ ଆୟବ୍ୟୟର ହିସାବ

ଜିଲ୍ଲା ମହୋତ୍ସବରେ ମନଇଚ୍ଛା ଉଡ଼ୁଥିଲା ଟଙ୍କା: ପ୍ରଶାସନ ଦେଉଥିଲା ୧୦ ଲକ୍ଷ, ଖର୍ଚ୍ଚ ୨୦ କୋଟି!

The Wanderer

ଯାଜପୁର ସଦର: ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି’ରେ ମନଇଚ୍ଛା ଟଙ୍କା ଉଡ଼ୁଥିଲା। ମହୋତ୍ସବ ପାଇଁ ପ୍ରଶାସନ ୧୦ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ବେଳେ ଏଥିପାଇଁ ପ୍ରାୟ ୨୦ କୋଟି ଖର୍ଚ୍ଚ କରାଯାଉଥିଲା। ତେବେ ଉତ୍ସବ ପାଇଁ ଏତେ ଟଙ୍କା ଦେଉଥିଲେ କିଏ? କେଉଁ ସଂସ୍ଥାରୁ କେତେ ଟଙ୍କା ଆସୁଥିଲା? ମହୋତ୍ସବ ଆୟବ୍ୟୟର ଅଡିଟ୍‌ ହୋଇଥିଲା କି ନାହିଁ; ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଜିଲ୍ଲା ପ୍ରଶାସନ ପାଖରେ ଏହାର ହିସାବ ନ ରହିବା ଘଟଣା ସନ୍ଦେହକୁ ଅଧିକ ଘନୀଭୂତ କରିଛି।
‘ଯଯାତି’ ମହୋତ୍ସବ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଅନ୍ତର୍ଜାତୀୟ ମାନର ମଞ୍ଚରେ ଆକର୍ଷଣୀୟ ଆଲୋକ ସଜ୍ଜା, ବଲିଉଡ୍‌ ଗାୟିକଗାୟିକାଙ୍କ ପ୍ରଦର୍ଶନ, ଜାତୀୟସ୍ତରର କନର୍ସଟ୍‌କୁ ନେଇ ଏଠାରେ କାର୍ଯ୍ୟକ୍ରମ ମନମୁଗ୍ଧକର ଥିଲା। ବ୍ୟୟବହୁଳ ଏହି ଉତ୍ସବ ଆୟୋଜନ ପାଇଁ ଜିଲ୍ଲା ସଂସ୍କୃତି ପରିଷଦର ପରାମର୍ଶ ନିଆଯାଉଥିବା ବେଳେ ଅର୍ଥ ଆୟବ୍ୟୟ ସମ୍ପର୍କରେ କୌଣସି ତଥ୍ୟ ଉପସ୍ଥାପନ କରାଯାଉନଥିଲା। ୨୦୧୧ ମସିହାରୁ ଯାଜପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ‘ଯଯାତି’ ମହୋତ୍ସବ ଅନୁଷ୍ଠିତ ହୋଇଆସୁଛି। ୨୦୧୯ ଓ ୨୦୨୩ରେ ଏହାକୁ ଅଧିକ ଆକର୍ଷଣୀୟ ଭାବେ ଆୟୋଜନ କରାଯାଇଥିଲା। ୨୦୨୩ ଜିଲ୍ଲା ମହୋତ୍ସବରେ ସର୍ବାଧିକ ଅର୍ଥ ଖର୍ଚ୍ଚ କରାଯାଇଥିଲା।

ଓଲିଉଡ୍‌ କଳାକାରମାନଙ୍କ ସହିତ ବଲିଉଡ୍‌ର ଆୟୁଷ୍ମାନ ଖୁରାନା, ଅମିତ ତ୍ରିବେଦୀ, ଜାଭେଦ ଅଲ୍ଲୀ, ସାଗରିକା ସିଂହ, ହରଦୀପ କୌର, ସୁନିଧି ଚୌହାନ, ଶ୍ରେୟା ଘୋଷାଲ ଭଳି ନାମୀଦାମୀ କଳାକାର ଏଥିରେ ସାମିଲ ହୋଇଥିଲେ। ଏମାନଙ୍କ ପାଉଣା ବି ଉଚ୍ଚ ଥିଲା। ସେହିଭଳି ୨୦୧୯ରେ କୈଳାସ ଖେର, ଉଦିତ ନାରାୟଣ, ବେନି ଦୟାଲ, ୨୦୨୦ରେ ସୋନୁ ନିଗମ ଭଳି କଳାକାର ମହୋତ୍ସବରେ ସାମିଲ ହୋଇଥିଲେ। କେବଳ ମଞ୍ଚ ପ୍ରସ୍ତୁତିରେ ପାଖାପାଖି ୨ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଉଥିଲା। ତେବେ ଜିଲ୍ଲା ମହୋତ୍ସବ ପାଇଁ ସଂସ୍କୃତି ବିଭାଗ ୧୦ ଲକ୍ଷ ଟଙ୍କାର ଅନୁଦାନ ଦେଉଥିବା ବେଳେ ୨୦ କୋଟି ଟଙ୍କାର ଆୟୋଜନ କାହା ବଳରେ ଜିଲ୍ଲା ପ୍ରଶାସନ କରୁଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲା ଖଣିଜ ପାଣ୍ଠି ଓ କଳିଙ୍ଗନଗରର ଶିଳ୍ପ ପ୍ରତିଷ୍ଠାନକୁ ନାଲି ଆଖି ଦେଖାଇ ମହୋତ୍ସବ ପାଇଁ ଅର୍ଥ ସଂଗ୍ରହ କରାଯାଉଥିବା ଅଭିଯୋଗ ଉଠିବା ପରେ ଏହାକୁ ନେଇ ସୁକିନ୍ଦାର ପୂର୍ବତନ ବିଧାୟକ ଜିଲ୍ଲା ମହୋତ୍ସବ ମଞ୍ଚରେ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe