ଋଷିକୁଲ୍ୟା ମୁହାଣରେ ମଙ୍ଗୋଲିଆ ଧ୍ରୁବହଂସ

Advertisment
ଋଷିକୁଲ୍ୟା ମୁହାଣରେ ମଙ୍ଗୋଲିଆ ଧ୍ରୁବହଂସ

ବ୍ରହ୍ମପୁର: ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ପାଇଁ ଅନ୍ତର୍ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଋଷିକୁଲ୍ୟା ମୁହାଣ ବିଦେଶାଗତ ପକ୍ଷୀଙ୍କୁ ଆକୃଷ୍ଟ କରୁଛି। ମୁହାଣ ବାଲୁକାଶଯ୍ୟାରେ ଏବେ ବିଭିନ୍ନ ଅଞ୍ଚଳରୁ ଆସିଥିବା ପକ୍ଷୀଙ୍କ ସମାଗମ ଦେଖିବାକୁ ମିଳୁଛି। ମଙ୍ଗୋଲିଆରୁ ଆସିଥିବା ଧ୍ରୁବହଂସ (ବାର୍‌ ହେଡେଡ୍‌ ଗୁସ୍‌) ଏବେ ମୁହାଣର ଶୋଭା ବର୍ଦ୍ଧନ କରୁଛନ୍ତି। ପ୍ରାୟ ୧ ହଜାରରୁ ଅଧିକ ଧ୍ରୁବହଂସ ଋଷିକୁଲ୍ୟା ମୁହାଣ ବାଲୁକାଶଯ୍ୟାରେ ରହିଥିବା ଦେଖିବାକୁ ମିଳିଛି। ଗତ କିଛିଦିନ ହେଲା ଋଷିକୁଲ୍ୟା ମୁହାଣ ଓ ପୋତାଗଡ଼ ଅଞ୍ଚଳରେ ଏହି ପକ୍ଷୀଙ୍କ ସମାଗମ ବଢ଼ିବାରେ ଲାଗିଛି। ସେମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନେ ମଧ୍ୟ ଆକୃଷ୍ଟ ହେଉଛନ୍ତି।

ଏମାନଙ୍କ ରଙ୍ଗ ଧଳା ହୋଇଥିବା ବେଳେ ଡେଣାରେ କଳାରଙ୍ଗର ଷ୍ଟ୍ରିପ୍‌ ରହିଥାଏ। ପକ୍ଷୀମାନଙ୍କ ମଧ୍ୟରେ ଧ୍ରୁବହଂସର ଅମ୍ଳଜାନ ଗ୍ରହଣ କରିବା କ୍ଷମତା ଅଧିକ। ଏଣୁ ସେମାନେ ସର୍ବାଧିକ ଉଚ୍ଚତାରେ ଉଡ଼ି ଗୋଟିଏ ଦିନରେ ସର୍ବାଧିକ ୧୫ରୁ ୧୬ଶହ କିମି ଯାତ୍ରା କରିଥାଆନ୍ତି। ମଙ୍ଗୋଲିଆ ମୁଖ୍ୟ ଆସ୍ଥାନ। ଶୀତଦିନରେ ସେଠାକାର ତାପମାତ୍ରା ଶୂନ ଡିଗ୍ରିରୁ ତଳକୁ ଖସୁଥିବାରୁ ଧ୍ରୁବହଂସ ଖାଦ୍ୟ ଅନ୍ବେଷଣରେ ଓଡ଼ିଶା ଉପକୂଳମୁହାଁ ହୋଇଥାଆନ୍ତି। ବିଶେଷକରି ଚିଲିକା, ଭିତରକନିକା ଓ ଋଷିକୁଲ୍ୟା ମୁହାଣକୁ ଅଧିକ ଆସିଥାନ୍ତି। ଗତ ପ୍ରାୟ ୧୦ବ‌ର୍ଷ ହେଲା ଋଷିକୁଲ୍ୟା ମୁହାଣ ଓ ନଦୀପଠାରେ ଏମାନଙ୍କୁ ଦେଖିବାକୁ ମିଳୁଛି। ନଭେମ୍ବର ମାସରୁ ଫେବ୍ରୁଆରି ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ରହିଥାଆନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁଁ ଚଳିତବର୍ଷ ଟିକେ ବିଳମ୍ବରେ ଧ୍ରୁବହଂସ ଆସିଛନ୍ତି। ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଅଞ୍ଚଳବାସୀ ମଧ୍ୟ ଏହି ପକ୍ଷୀଙ୍କ ସୁରକ୍ଷା ବ୍ୟବସ୍ଥା ପାଇଁ ତତ୍ପର ରହିଥିବା ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe