ଓଡ଼ିଶାରେ ସକ୍ରିୟ ହେଲା ମୌସୁମୀ: କଳାହାଣ୍ଡି, ଗଞ୍ଜାମ, ଗଜପତି ଜିଲ୍ଲା ଛୁଇଁଲା

ଜୁନ୍‌ ୨୨ରୁ ବଦଳିପାରେ ପାଗ, ବଢ଼ିବ ବର୍ଷା

ମୌସୁମୀ ଆସୁଛି: ୩ ଦିନ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ

The Weather Channel

ଭୁବନେଶ୍ବର: ମାଲକାନଗିରିରେ ଅଟକିଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଟିକିଏ ଆଗକୁ ବଢ଼ିଛି। ୧୧ ଦିନ ପରେ କୋରାପୁଟ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲା ସ୍ପର୍ଶ କରିଛି। ବର୍ଷା ପରିମାଣ ବଢ଼ି ନ ଥିଲେ ମଧ୍ୟ କୋହଲା ପାଗ ଲାଗିରହିଥିବାରୁ ତାତି ସାମାନ୍ୟ ହ୍ରାସ ପାଇଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାର ଆଉ କିଛି ଜିଲ୍ଲାରେ ସକ୍ରିୟ ହେବାର ସମ୍ଭାବନା ରହିଛି। ଏଥିଲାଗି ପାଗ ଅନୁକୂଳ ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆସନ୍ତା‌ ୨୧ ତାରିଖ(ଶୁକ୍ରବାର)ଠାରୁ ଉପକୂଳ ଓଡ଼ିଶା ସମେତ ନୟାଗଡ଼, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସୁନ୍ଦରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ମାତ୍ର ଉପକୂଳ ଓଡ଼ିଶାରେ ଗରମ ଓ ଗୁଳୁଗୁଳି ଲାଗିରହିବ। ୨୨ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁରରେ କାଳବୈଶାଖୀ ବର୍ଷାର ଆଶଙ୍କା ରହିଛି। ପରବର୍ତ୍ତୀ ସମୟରେ ମୌସୁମୀ ବାୟୁ ଅଧିକ ସକ୍ରିୟ ହେବା ସହ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ରାଜ୍ୟର ସମସ୍ତ ଅଞ୍ଚଳରେ ତାପମାତ୍ରା ୩୯ ଡିଗ୍ରି ତ‌ଳେ ରହିବ। ୨୨ ଓ ୨୩ ତାରିଖରେ ସର୍ବୋଚ୍ଚ ତାପମାତ୍ରା ୩୫ରୁ ୩୭ ଡିଗ୍ରି ମଧ୍ୟରେ ରହିପାରେ। ୨୪ ତାରିଖରେ ତାପମାତ୍ରା ଆହୁରି କମିବା ସହ ୩୫ ଡିଗ୍ରି ତଳକୁ ଖସିଆସିବ।

ଗତକାଲି ସକାଳଠାରୁ ଆଜି ପୂର୍ବାହ୍ନ ମଧ୍ୟରେ ନବରଙ୍ଗପୁରର ନନ୍ଦାହାଣ୍ଡିରେ ୪୭ ମିମି ବର୍ଷା ହୋଇଥିବା ବେଳେ ପାପଡ଼ାହାଣ୍ଡିରେ ୩୪, ତେନ୍ତୁଲିଖୁଣ୍ଟିରେ ୨୬, ନବରଙ୍ଗପୁରରେ ୨୪.୪, ଡାବୁଗାଁରେ ୧୪.୧, ବରଗଡ଼ର ପାଇକମାଳରେ ୩୭. ମାଲକାନଗିରିର ପଡ଼ିଆରେ ୩୧, କୋରୁକୁଣ୍ଡାରେ ୨୬, ରାୟଗଡ଼ା ଜିଲ୍ଲାର କୋଟ୍ରାଗୁଡ଼ାରେ ୨୬.୨, କୋରାପୁଟର ବୋରିଗୁମ୍ମାରେ ୧୬.୮ ମିମି ବର୍ଷା ହୋଇଛି। ଆଜି ଦିନରେ ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦.୭ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ବାରିପଦାରେ ୪୦.୬, ବୌଦ୍ଧରେ ୪୦.୫, ଝାରସୁଗୁଡ଼ାରେ ୪୦.୧, ଚାନ୍ଦବାଲିରେ ୩୯.୮, ଭଦ୍ରକରେ ୩୯.୭, ନୂଆପଡ଼ାରେ ୩୯.୬, ଖୋର୍ଦ୍ଧାରେ ୩୯.୫, ଢେଙ୍କାନାଳରେ ୩୯.୨, ଭବାନୀପାଟଣା, ପାରଳାଖେମୁଣ୍ଡି, କେନ୍ଦ୍ରାପଡ଼ା, ନୟାଗଡ଼, ଜଗତ୍‌ସିଂହପୁରରେ ୩୯ ଡିଗ୍ରି ଲେଖାଏ ରହିଥିଲା। କେ‌ତେକ ଜିଲ୍ଲାରେ ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ୫ ଡିଗ୍ରିରୁ ଅଧିକ ଥିଲା। କେନ୍ଦୁଝରରେ ସ୍ବାଭାବିକଠାରୁ ୬.୯ ଡିଗ୍ରି ଅଧିକ ଥିବାବେଳେ ବାରିପଦାରେ ୬.୭, ଅନୁଗୁଳରେ ୬.୫, ଫୁଲବାଣୀରେ ୬.୪, ଝାରସୁଗୁଡ଼ାରେ ୬.୧, ଚାନ୍ଦବାଲିରେ ୬, ବାଲେଶ୍ବରରେ ୫.୬, କଟକରେ ୫.୩, ଭୁବନେଶ୍ବରରେ ୫.୧ ଡିଗ୍ରି ଅଧିକ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe