ଓଡ଼ିଶାରେ ମୌସୁମୀ

ଓଡ଼ିଶାରେ ମୌସୁମୀ

ଭୁବନେଶ୍ବର : ବହୁ ପ୍ରତୀକ୍ଷିତ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଛୁଇଁଛି। ନିର୍ଧାରିତ ସମୟ (ଜୁନ୍‌ ୧୦)ଠାରୁ ୧୧ ଦିନ ପରେ ମୌସୁମୀ ଓଡ଼ିଶାରେ ପହଞ୍ଚିଛି। ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗିରହିଛି। ବର୍ତ୍ତମାନ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ମୌସୁମୀ ଅଧିକ ସକ୍ରିୟ ରହିଛି। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତି ଜାହିର କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ ପାଣିପାଗ ବିଭାଗର ପରବର୍ତ୍ତୀ ମହାନିର୍ଦ୍ଦେଶକ ତଥା ପାଣିପାଗ ବିଶେଷଜ୍ଞ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ମୌସୁମୀ ଆଜି ଓଡ଼ିଶା ଛୁଇଁଥିବାରୁ ସକାଳୁ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି। ଏବେ ଉପକୂଳ ଓଡ଼ିଶାରେ ମୌସୁମୀ ସକ୍ରିୟ ରହିଛି। ସମଗ୍ର ରାଜ୍ୟରେ ପହଞ୍ଚିବାକୁ ଆହୁରି ୪୮ ଘଣ୍ଟା ସମୟ ଲାଗିବ। ଦକ୍ଷିଣ ଓଡ଼ିଶା‌ ଦେଇ ଧୀରେ ଧୀରେ ପ୍ରବେଶ କରିଛି।

ମୌସୁମୀ ପ୍ରବେଶର ପ୍ରଥମ ଦିନ ଅର୍ଥାତ ଶୁକ୍ରବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, ମୟୂରଭଞ୍ଜରେ ମୌସୁମୀ ପ୍ରବେଶ କରିଥିବା ବେଳେ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୁଳ ଓ କେନ୍ଦୁଝରର କିଛି ଅଂଶରେ ନିଜର ଉପସ୍ଥିତି ଜାହିର କରିଛି। ବିଳମ୍ବରେ ମୌସୁମୀ ଛୁଇଁଥିଲେ ମଧ୍ୟ ଚଳିତବର୍ଷ ସ୍ବାଭାବିକ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ତେବେ ଦେବଗଡ, ସୁନ୍ଦରଗଡ, ଝାରସୁୁଗୁଡା, ସମ୍ବଲପୁର, ବଲାଙ୍ଗୀର, ନୂଆପଡା, ସୋନପୁରକୁ ମୌସୁମୀ ସ୍ପର୍ଶ କରିନାହିଁ।

ଅନ୍ୟପକ୍ଷରେ ଉତ୍ତର ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ୨୩ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ଅଶାନ୍ତ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ହେବ। ବେଳେବେଳେ ପବନର ବେଗ ୫୦ କିମି ବି ଛୁଇଁପାରେ। ‌ତେଣୁ ଆସନ୍ତା ୪୮ ଘଣ୍ଟା ଯାଏ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, କେନ୍ଦୁଝର,ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ଭଦ୍ରକ, ସମ୍ବଲପୁର, ସୁନ୍ଦରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ଏଥିପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଝାରସୁଗୁଡ଼ା, ବରଗଡ଼, ବାଲେଶ୍ୱର,ମୟୂରଭଞ୍ଜ, କଳାହାଣ୍ଡି, କନ୍ଧମାଳ, ଖୋର୍ଦ୍ଧା, ଗଞ୍ଜମ ଓ ପୁରୀର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଗୋପାଳପୁରରେ ୭୬.୪ ମିମି ବର୍ଷା ହୋଇଥିବା ବେଳେ ହୀରାକୁଦରେ ୭୦.୪, ବାରିପଦାରେ ୬୭, ଫୁଲବାଣୀରେ ୬୨, ଭୁବନେଶ୍ବରରେ ୪୩.୩, ପୁରୀରେ ୪୮, କୋରାପୁଟରେ ୪୭, ଅନୁଗୁଳରେ ୪୪.୬, ସୋନପୁରରେ ୩୯, କେନ୍ଦୁଝରରେ ୩୬.୬ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ସବୁଠି ତାପମାତ୍ରା ହ୍ରାସ ପାଇଛି।

ଉଲ୍ଲେଖଥାଉକି, ମୌସୁମୀ ପହଞ୍ଚିବା ପୂର୍ବରୁ ଓଡ଼ିଶାରେ ଏବର୍ଷ ୨୪% କମ୍ ବର୍ଷା େରକର୍ଡ େହାଇଛି। ୧୮ଟି ଜିଲ୍ଲାରେ ସ୍ବାଭାବିକ ଠାରୁ କମ୍ ବର୍ଷା େହାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe