ସକ୍ରିୟ ହେଉଛି ମୌସୁମୀ: ୧୦ରୁ ଉପକୂଳ ଓ ଉତ୍ତର, ୧୧ରୁ ଆଭ୍ୟନ୍ତରୀଣ ଓଡ଼ିଶା‌‌ରେ ବର୍ଷା

Advertisment
ଲଘୁଚାପ ପ୍ରଭାବରେ ରାଜ୍ୟରେ ୭ରୁ ପ୍ରବଳ ବର୍ଷା ସମ୍ଭାବନା

Image Courtesy of India Today

ଭୁବନେଶ୍ବର : ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଧୀରେଧୀରେ ଦେଶର ବିଭିନ୍ନ ସ୍ଥାନରେ ସକ୍ରିୟ ହେବା‌ରେ ଲାଗିଛି। ଆଜି କେନ୍ଦ୍ରୀୟ ଆରବସାଗରର କିଛି ଅଧିକ ସ୍ଥାନ, ସମ୍ପୂର୍ଣ୍ଣ ଉପକୂଳ କର୍ଣ୍ଣାଟକ ଓ ଗୋଆ, ମହାରାଷ୍ଟ୍ରର କିଛି ଅଞ୍ଚଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ଓ ତେଲେଙ୍ଗାନାର କିଛି କିଛି ଅଞ୍ଚଳରେ ସକ୍ରିୟ ହୋଇଛି। ତେବେ ଆସନ୍ତା ୧୦ ତାରିଖ ଆଡ଼କୁ ଓଡ଼ିଶାରେ ମଧ୍ୟ ସକ୍ରିୟ ହୋଇଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉତ୍ତର ବଙ୍ଗୋପସାଗର ସାମ୍ଭାବ୍ୟ ଲଘୁଚାପ ଜୁନ୍‌ ୧୧ରେ ସୃଷ୍ଟି ହୋଇ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ରାଜ୍ୟକୁ ଟାଣି ଆଣିବ। ୧୦ ତାରିଖରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ। ଆଭ୍ୟନ୍ତରୀଣ ଅଞ୍ଚଳରେ ୧୧ରୁ ବର୍ଷା ହେବ। ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଦକ୍ଷିଣ ଓଡ଼ିଶାରେ ବିଶେଷ କରି ବୌଦ୍ଧ, ଫୁଲବାଣୀ, ଆଭ୍ୟନ୍ତରୀଣ ଗଞ୍ଜାମ, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରିର ସମୁଦାୟ ବର୍ଷା କେତେକ ସ୍ଥାନରେ ୨୫୦ ମିମି ହୋଇପାରେ। ରାଜ୍ୟର ବାକି ଅଞ୍ଚଳରେ ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଜୁନ୍‌ ୧୦ ତାରିଖ ପୂର୍ବରୁ ରାଜ୍ୟରେ ମୌସୁମୀ ଛୁଇଁବାର ସମ୍ଭାବନା କମ୍‌ ରହିଛି। କାରଣ ଆକଳନ କରାଯାଉଛି ଯେ ଜୁନ୍‌ ୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ବର ସମେତ ଉପକୂଳ ଅଞ୍ଚଳ ଓ ଆଭ୍ୟନ୍ତରରେ ଗରମ ଜାରି ରହିବ। ଜୁନ୍‌ ୭ରୁ ୯ ତାରିଖ ଭିତରେ କେତେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୦ରୁ ୪୧ ଡିଗ୍ରି ରହିବ। ଭୂ-ବିକିରିତ ଦୀର୍ଘ ତରଙ୍ଗ ରଶ୍ମି ଅଧିକ ରହିବା ସହ ଉତ୍ତର-ପଶ୍ଚିମା ପବନ ବହିବ। ତେବେ ୧୧ ତାରିଖରୁ ଏସବୁର ପରିବର୍ତ୍ତନ ଘଟି ୧୩ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବହିବ ଏବଂ ସର୍ବାଧିକ ତାପମାତ୍ରା ୩୦ ଡିଗ୍ରିରୁ କମି ଯାଇପାରେ। ଓଡ଼ିଶା ସହିତ ଛତିଶଗଡ଼, ମଧ୍ୟପ୍ରଦେଶ ଓ ବିଦର୍ଭରେ ମଧ୍ୟ ଭୀ‌ଷଣ ବର୍ଷା ହେବ। ଏହାସହ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଓ ଉତ୍ତର ପ୍ରଦେଶରେ ମଧ୍ୟ ମୌସୁମୀ ବର୍ଷା ହେବାର ଆକଳନ କରାଯାଉଛି। ଏହା ଯଦି ହୁଏ, ୧୫ ସୁଦ୍ଧା କେନ୍ଦ୍ରୀୟ, ପୂର୍ବ ଓ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳକୁ ମୌସୁମୀ ଛୁଇଁବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe