ସେପ୍ଟେମ୍ବରରେ ବିଧାନସଭା ମୌସୁମୀ ଅଧିବେଶନ : କେଉଁଠି ହେବ ନିଷ୍ପତ୍ତି ହୋଇପାରିନି: ବାଚସ୍ପତି

ସାମ୍ବାଦିକ ନ ଆସିଲେ ଅଧିବେଶନ ଡାକିବା ଅର୍ଥ ରହିବନି: ବିରୋଧୀ

ଏଥରକ ବିଧାନସଭାରେ ଆସିବ ୧୪ଟି ଅଧ୍ୟାଦେଶ ବିଲ୍‌

odishaassembly.nic.in

ଭୁବନେଶ୍ୱର : ଆସନ୍ତା ସେପ୍ଟେମ୍ବରରେ ବିଧାନସଭା ମୌସୁମୀ ଅଧିବେଶନ ଡକାଯିବ। କନ୍ତୁ କୋଭିଡ ମହାମାରୀ ଦୃଷ୍ଟିରୁ ବିଧାନସୌଧରେ ହେବ କି ବାହାରେ ହେବ, ସେ ନେଇ ଠୋସ୍‌ ନିଷ୍ପତ୍ତି ହୋଇପାରିନି। ଆଜି ଏ ସମ୍ପର୍କରେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଅନ୍ୟପଟେ ବିରୋଧୀ କହିଛନ୍ତି ୬ ମାସ ଭିତରେ ବିଧାନସଭା ଡାକିବାର ନିୟମ ରହିଛି। କରୋନା ମହାମାରୀକୁ ଡରିଲେ ହେବନି। ଅଧିବେଶନରେ ସାମ୍ବାଦିକମାନଙ୍କୁ ଆସିବାକୁ ଅନୁମତି ଦିଆନଗଲେ ବିଧାନସଭା ଡାକିବାର ଅର୍ଥ କିଛି ରହିବନି। ଏ ନେଇ ଅଗଷ୍ଟ ୨୦ ଓ ୨୧ରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକରେ ବିସ୍ତୃତ ଆଲୋଚନା ହେବାର ଅଛି।

ଶ୍ରୀ ପାତ୍ର କହିଛନ୍ତି, ଲକ୍‌ଡାଉନ୍‌ ଭିତରେ ଗତ ମାର୍ଚ୍ଚ ମାସ ୩୦ ତାରିଖରେ ଶେଷଥର ପାଇଁ ଲୋକସେବା ଭବନର କନଭେନ୍‌ସନ୍‌ ହଲ୍‌ରେ ବିଧାନସଭା ଅନୁଷ୍ଠିତ ହୋଇଥିଲା। ଆଇନ ଅନୁଯାୟୀ, ୬ ମାସ ଭିତରେ ପୁଣି ଅଧିବେଶନ ବସିବା କଥା। ଏ ଦୃଷ୍ଟିରୁ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ମୌସୁମୀ ଅଧିବେଶନ ଡକାଯିବ। କିନ୍ତୁ କୋଭିଡ୍‌-୧୯ ମହାମାରୀ ଭିତରେ କିପରି ସାମାଜିକ ଦୂରତା ଓ ସରକାରୀ ନିର୍ଦ୍ଦେଶାବଳୀ ଅନୁପାଳନ କରିବା ପୂର୍ବକ ଅଧିବେଶନ ଡକାଯିବ ସେ ନେଇ ବିଚାର ବିମର୍ଶ ଚାଲିଛି। ଦୁଇଦିନ ତଳେ ରାଜସ୍ଥାନରେ ବିଧାନସଭା ଅଧିବେଶନ ଡକାଯାଇଥିଲା। ସେଠାରେ କିପରି ଅନୁଷ୍ଠିତ ହେଲା ସେ ନେଇ ସେଠାକାର ବିଧାନସଭା ବାଚସ୍ପତିଙ୍କ ସହ ଆଲୋଚନା କରାଯାଇଛି। ଏହାସହିତ କର୍ଣ୍ଣାଟକ ବିଧାନସଭା ବାଚସ୍ପତି, ଲୋକସେବା ଅଧ୍ୟକ୍ଷ, ଲୋକସେବା ଓ ରାଜ୍ୟସଭାର ଉଭୟ ମହାସଚିବଙ୍କ ସହ ମଧ୍ୟ ପରାମର୍ଶ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ସହିତ ସଂକ୍ରମଣ ପ୍ରତିହତ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଲାଗୁ କରାଯାଇଥିବା ନିୟମ ଅନୁପାଳନ କରିବାକୁ ସମସ୍ତେ ପରାମର୍ଶ ଦେଇଛନ୍ତି। ଏ ନେଇ ମଧ୍ୟ ବିରୋଧୀ ଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ଆସନ୍ତା ୬ ଦିନ ଭିତରେ ରାଜ୍ୟପାଳ, ସରକାରଙ୍କ ସହ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ବର୍ଷକୁ ୬୦ ଦିନ ହିସାବରେ ୩ ଥର ବିଧାନସଭା ଡାକିବା ନିୟମ ରହିଛି। ଏହି ଦୃଷ୍ଟିରୁ ସେପ୍ଟେମ୍ବରରେ ଅଧିବେଶନ ଡାକିବାକୁ ବାଧ୍ୟ। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ବିଧାନସଭା ବୈଠକ କଲେ ସେଠାକୁ ସାମ୍ବାଦିକମାନେ ଯାଇପାରୁନାହାନ୍ତି। ବିଧାନସଭା ଭିତରେ ଅଧିବେଶନ କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରାଯାଇଛି। କରୋନା ତ ସବୁବେଳେ ସାଙ୍ଗରେ ରହିଥିବ। ତାରି ଭିତରେ ଆମକୁ ଗତିଶୀଳ ହେବାକୁ ପଡ଼ିବ। ବିଧାନସଭା ଚାଲୁଥିବାବେଳେ ଯଦି ସାମ୍ବାଦିକମାନଙ୍କୁ ଭିତରେ ରହିବାକୁ ଅନୁମତି ନ ମିଳିବ ତାହେଲେ ସେ ଅଧିବେଶନ ଡାକିବାର କିଛି ମୂଲ୍ୟ ନାହିଁ ବୋଲି ଶ୍ରୀ ନାଏକ ରୋକଠୋକ କହିଛନ୍ତି। ଖାଲି ଅଧିବେଶନ ଡାକିବା ବାହାନାରେ ଯଦି ସରକାର କରନ୍ତି ତାହେଲେ ଠିକ୍‌ ହେବନି। ଗୃହର ଆଲୋଚନା ଲୋକମାନଙ୍କ ପାଖରେ ପହଞ୍ଚିପାରିବ ନାହିଁ। ଅନ୍ୟପଟେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଧାନସଭା ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ଲେଖିଥିଲେ। ପୁନର୍ବାର ଅଗଷ୍ଟ ତୃତୀୟ ସପ୍ତାହରେ ଡାକିବାକୁ ମଧ୍ୟ ଚିଠି ଦିଆଗଲା। କିନ୍ତୁ କୌଣସିଟିର ଉତ୍ତର ମିଳିଲାନାହିଁ। ବିଧାନସଭା ସଚିବାଳୟରୁ ଜାଣିବାକୁ ପାଇଛି ଯେ, ଅଗଷ୍ଟ ଶେଷ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ବିଧାନସଭା ଡାକିବାକୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ଏବେସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନେଇପାରିନାହାନ୍ତି। ଏ ସମ୍ପର୍କରେ ବାଚସ୍ପତିଙ୍କ ସହ ଆଲୋଚନା ହୋଇଛି। ଆଲୋଚନା ସମୟରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ ଡାକିବାକୁ ଅନୁରୋଧ କରିଥିଲି। ଆସନ୍ତା ୨୦ ଓ ୨୧ ତାରିଖରେ ବିଧାନସଭା ଷ୍ଟାଣ୍ଡିଂ କମିଟି ବୈଠକ କରିବାକୁ ବାଚସ୍ପତି ଅନୁମତି ଦେଇଛନ୍ତି। ମୌସୁମୀ ଅଧିବେଶନରେ ସରକାରଙ୍କ କୋଭିଡ୍‌ ପରିଚାଳନା ତ୍ରୁଟି, ଦାଦନ ଶ୍ରମିକଙ୍କୁ କାମ ନ ମିଳିବା, ବେକାରୀ, ଚାଷୀଙ୍କ ସମସ୍ୟା ନେଇ ଗୃହରେ ସରକାରଙ୍କୁ ଜବାବ ମଗାଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe