New Indian Express
ଭୁବନେଶ୍ବର : ଆସନ୍ତା ୨ ଦିନ ମଧ୍ୟରେ କେରଳ ଛୁଇଁବ ମୌସୁମୀ। କିନ୍ତୁ ଓଡ଼ିଶାକୁ କେବେ ପ୍ରବେଶ କରିବ, ସେ ନେଇ ଅନିଶ୍ଚିତତା ଦେଖାଦେଇଛି। ସାଧାରଣତଃ କେରଳକୁ ମୌସୁମୀ ପ୍ରବେଶ କରିବାର ୧୦/୧୧ ଦିନ ମଧ୍ୟରେ ଓଡ଼ିଶାକୁ ଆଗମନ ହୁଏ। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଏଥିରେ ବାଧା ସୃଷ୍ଟି କରିପାରେ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି, ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଛୁଇଁଯିବ। ଓଡ଼ିଶାକୁ ପ୍ରବେଶ କରିବା ପାଇଁ ୧୦ରୁ ୧୨ଦିନ ସମୟ ଲାଗିବ। କିନ୍ତୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ମୌସୁମୀକୁ ସକ୍ରିୟ କରୁଥିବାରୁ କେରଳରେ ଜୁନ୍ ୧ରେ ମୌସୁମୀ ବର୍ଷା ହେବ। ଯଦି ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ମହାରାଷ୍ଟ୍ର, ଗୁଜରାଟମୁହାଁ ହୁଏ, ତେବେ ତାହା ବାୟୁମଣ୍ଡଳରୁ ଜଳୀୟ ବାଷ୍କ ଟାଣି ନେଇଯିବ ଏବଂ ଓଡ଼ିଶାକୁ ମୌସୁମୀ ଆଗମନ ବିଳମ୍ବ ହୋଇଯିବ ବୋଲି ଶ୍ରୀ ଦାସ କହିଛନ୍ତି।
Zee Newsପାଣିପାଗ ବିଜ୍ଞାନୀ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଯାଇଛି। ଆସନ୍ତା ୫ ତାରିଖ ଯାଏ ଏହା ଚାଲୁ ରହିବ। ଏହି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା କମିଯାଇଛି। ଆସନ୍ତା ସପ୍ତାହରେ ଉପକୂଳ ଓଡ଼ିଶାରେ ତାତି ବଢ଼ିବାର ସମ୍ଭାବନା ରହିଛି। ଆଜି କେରଳ ଉପକୂଳର ଦୂରରେ ଦକ୍ଷିଣ ପୂର୍ବ ଆରବ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତାକାଲି ଲଘୁଚାପରେ ପରିଣତ ହେବାର ସମ୍ଭାବନା ଅଛି। ଏହାପରେ ୧ ତାରିଖରେ ଅବପାତ, ୨ରେ ଡିପ୍ ଡିପ୍ରେସନ୍ ଓ ୩ ତାରିଖରେ ମହାରାଷ୍ଟ୍ର ଓ ଗୁଜୁରାଟ ଉପକୂଳମୁହାଁ ହୋଇ ୪ ବା ୫ରେ ତାରିଖରେ ଗୁଜରାଟ ଉପକୂଳ ସ୍ପର୍ଶ କରିବ। ଏହାପରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତର ଭାରତରେ ବର୍ଷା କରାଇବ। କେରଳ ଅପେକ୍ଷା ଗୁଜରାଟରେ ଭାରି ବର୍ଷା ହେବା ସହ ସେଠାରେ ବନ୍ୟାର ସମ୍ଭାବାନା ରହିଛି। ଏହାଦ୍ବାରା ଓଡ଼ିଶାକୁ ଆରବ ସାଗରରୁ ପଶ୍ଚିମା ପବନ ଆସିବ। ୩୧ ମେ’ରୁ ଜୁନ୍ ୨ ତାରିଖ ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ସଂପୂର୍ଣ୍ଣ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଓଡ଼ିଶା ଉପକୂଳରେ ପାଗ ଆଂଶିକ ମେଘୁଆ ରହିବା ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି। ୩/୪ ତାରିଖରେ ଦକ୍ଷିଣ ଓଡ଼ିଶାରେ ଏଭଳି ପାଗ ଲାଗି ରହିବ।
ପୂର୍ବ ଆକଳନ ଅନୁଯାୟୀ, ୬ ତାରିଖରେ ମିଆଁମାର୍ ଉପକୂଳ ନିକଟରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମେ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ୯ ତାରିଖ ବେଳକୁ ଏହା ୱେଲ୍- ମାର୍କ ଲଘୁଚାପରେ ପରିଣତ ହେବ। ଏହା କ୍ରମେ ଅଧିକ ବ୍ୟାପ୍ତ ହୋଇ ୧୦ତାରିଖ ଦିନ ସମସ୍ତ ଉପକୂଳ ଓଡ଼ିଶା ଏବଂ ୧୧ ତାରିଖ ଦିନ ସମଗ୍ର ଓଡ଼ିଶାରେ ବର୍ଷା ହୋବର ସମ୍ଭାବନା ଅଛି। ଜଗତସିଂହପୁର ଓ ବାଲେଶ୍ବରରେ ଭାରି ବର୍ଷା ହୋଇପାରେ। ତେବେ ଏହି ବଙ୍ଗୋପସାଗରୀୟ ଲଘୁଚାପ ଆରବସାଗରୀୟ ଲଘୁଚାପ ଭଳି ଅଧିକ ଘନୀଭୂତ ହେବାର ସମ୍ଭାବନା ନାହିଁ।
ଆଜି ସ୍କାଏମେଟ୍ ପ୍ରକାଶ କରିଛି ଯେ ମୌସୁମୀ କେରଳ ସ୍ପର୍ଶ କରିଛି। କିନ୍ତୁ ଗତକାଲି କେରଳରେ କିଛି ବର୍ଷା ହୋଇଥିଲେ ମଧ୍ୟ ଆଜି ବିଶେଷ ବର୍ଷା ହୋଇନାହିଁ। ଆସନ୍ତାକାଲି ୩୧ ତାରିଖରେ କେରଳରେ ୧୦ରୁ ୧୫ମିମି ବର୍ଷା ହେବ, ଯାହାକି ମୌସୁମୀ ପାଇଁ ସର୍ବନିମ୍ନ ଆବଶ୍ୟକତାଠାରୁ ଅଧିକ ରହିବ।
New Indian Expressବିଭିନ୍ନ ମଡେଲ ଦେଖି ଡ. ପଶୁପାଳକ କହିଛନ୍ତି, କେରଳରେ ୧ ତାରିଖରେ ଭାରି ବର୍ଷା (୫୦ରୁ ୬୦ ମିମି) ହେବାର ସମ୍ଭାବନା ରହିଛି। ଏଣୁ ଆସନ୍ତା ୨ ଦିନ ମଧ୍ୟରେ କେରଳକୁ ମୌସୁମୀ ଛୁଇଁବ। ଯାହା କି ସ୍ବାଭାବିକ ସମୟ। ତେବେ ମୌସୁମୀ ଆଗମନର ସ୍ବାଭାବିକ ସମୟ ମୁମ୍ବାଇରେ ୧୦ ଜୁନ୍ ଥିବା ବେଳେ ଜୁନ୍ ୩ରେ ଭାରି ଲଘୁଚାପଜନିତ ବର୍ଷା ହେବ। ଗୁଜରାଟରେ ମୌସୁମୀ ପ୍ରବେଶର ସ୍ବାଭାବିକ ସମୟ ୨୦ ଜୁନ୍ ଥିବା ବେଳେ ୪/୫ତାରିଖରେ ଭାରି ବର୍ଷାର ସମ୍ଭାବନା ଅଛି। ଓଡ଼ିଶାରେ ସ୍ବାଭାବିକ ମୌସୁମୀ ପ୍ରବେଶ ସମୟ ୧୧ରୁ ୧୫ ଜୁନ୍ ଥିବା ବେଳେ ୧୦ ଓ ୧୧ ତାରିଖରେ ରାଜ୍ୟର ଅଂଧିକାଶ ଅଞ୍ଚଳରେ ମଧ୍ୟମରୁ ଭାରି ବର୍ଷା ହେବାର ସମ୍ଭାବନା ଅଛି। ତେବେ ଏହାକୁ ପ୍ରାକ୍ ମୌସୁମୀ ବର୍ଷା କିମ୍ବା ମୌସୁମୀ ବର୍ଷା କୁହାଯିବ, ତାହା ଓଡ଼ିଶାର ଦକ୍ଷିଣରେ ଥିବା ରାଜ୍ୟମାନଙ୍କର ବର୍ଷାର ପରିମାଣ ଉପରେ ନିର୍ଭର କରିବ। ୧୦ ଓ ୧୧ ତାରିଖର ସମ୍ଭାବ୍ୟ ବର୍ଷା, ପ୍ରାକ୍ ମୌସୁମୀ ହେଉ କି ମୌସୁମୀ ବର୍ଷା, ଏହା ଚାଷ ପାଇଁ ଅନୁକୂଳ ରହିବ।
Follow Us