ଚାଷୀଙ୍କ ପାଇଁ ଖୁସି ଖବର: ଲଘୁଚାପ ଆଣିବ ବର୍ଷା, ଚତୁର୍ଥ ସପ୍ତାହରୁ ସକ୍ରିୟ ହେବ ମୌସୁମୀ

ଚାଷୀଙ୍କ ପାଇଁ ଖୁସି ଖବର: ଲଘୁଚାପ ଆଣିବ ବର୍ଷା, ଚତୁର୍ଥ ସପ୍ତାହରୁ ସକ୍ରିୟ ହେବ ମୌସୁମୀ

The Economist

୨୩% ନିଅଣ୍ଟିଆ, ୫ ଜିଲ୍ଲାରେ ସ୍ଥିତି ଗମ୍ଭୀର
ଅଗଷ୍ଟ ଓ ସେପ୍ଟେମ୍ବରରେ ଅଧିକ ବର୍ଷିବ

ଭୁବନେଶ୍ବର : ଓଡ଼ିଶାର ଚାଷୀଙ୍କ ପାଇଁ ଖୁସି ଖବର। ଦୁର୍ବଳ ସ୍ଥିତିରେ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା ସପ୍ତାହରେ ପୁଣିଥରେ ସକ୍ରିୟ ହେବ। ୨୧ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତାହାର ପ୍ରଭାବରେ ୨୪ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ବିଶେଷକରି ଉପକୂଳ, ଉତ୍ତର ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ପରିମାଣ ଅଧିକ ରହିବ। ମହାନଦୀ ଉପରମୁଣ୍ଡ ଛତିଶଗଡ଼ ସହ ରାଜ୍ୟ ଭିତରର ସମସ୍ତ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି।

ମୌସୁମୀ ଦୁର୍ବଳ ରହିଥିବାରୁ ସାରା ରାଜ୍ୟରେ ନିଅଣ୍ଟିଆ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ୍‌ ଆର୍‌ ବିଶ୍ବାସଙ୍କ ସୂଚନା ଅନୁଯାୟୀ ମୌସୁମୀ ଦୁର୍ବଳ ରହିଥିବାରୁ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ବଡ଼ ବର୍ଷା ହେବାର ସମ୍ଭାବନା ନାହିଁ। କାଁ ଭାଁ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ଇତିମଧ୍ୟରେ ୧୮ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି ଏବଂ ୫ ଜିଲ୍ଲାରେ ସ୍ଥିତି ସାଂଘାତିକ ରୂପ ଧାରଣ କରିଛି। ଭଦ୍ରକରେ ସ୍ବାଭାବିକଠାରୁ ୫୬% କମ୍‌ ବର୍ଷା ହୋଇଥିବା ବେଳେ ଗଜପତି, ବଲାଙ୍ଗୀର, ଯାଜପୁର, କେନ୍ଦୁଝର ଜିଲ୍ଲାରେ ନିଅଣ୍ଟିଆ ପରିମାଣ ୪୦%ରୁ ଅଧିକ ରହିଛି। ଜୁନ୍‌ ପହିଲାରୁ ଆଜି ସୁଦ୍ଧା ରାଜ୍ୟରେ ସ୍ବାଭାବିକ ଭାବେ ୩୮୧.୧ ମିମି ବର୍ଷା ହେବା କଥା। ତେବେ ମାତ୍ର ୨୯୨.୯ ମିମି ବର୍ଷା ହୋଇଛି। ଅର୍ଥାତ୍‌ ରାଜ୍ୟରେ ୨୩% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ୨୧ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଥିବାରୁ ୧୯ ତାରିଖରୁ ବର୍ଷା ପରିମାଣ ବଢ଼ିବ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଦୁର୍ବଳ ମୌସୁମୀ ସ୍ଥିତି ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ନିଅଣ୍ଟିଆ ବର୍ଷା ପରିମାଣ ବଢ଼ିବ। ଟାଣ ଖରା ମଧ୍ୟ ହେବ। ଜୁଲାଇ ୨୧ ବେଳକୁ ଉତ୍ତର ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହୋଇ ୨୨ ତାରିଖରେ ଲଘୁଚାପରେ ପରିଣତ ହେବ। ଲଘୁଚାପ ୨୩ ତାରିଖରେ ଉପକୂଳକୁ ସ୍ପର୍ଶ କରିବା ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପ୍ରାଥମିକ ଆକଳନରୁ ଜଣାପଡ଼ୁଛି। ଏହାଦ୍ବାରା ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ୨୩ ଓ ୨୪ ତାରିଖରେ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ। ୨୧ରୁ ୨୪ ତାରିଖ ମଧ୍ୟରେ ଉପକୂଳ, କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶାରେ ୧୦୦ ମିମି, ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ ୧୩୦ ମିମି ଓ ସ୍ଥାନେସ୍ଥାନେ ୧୮୦ ମିମି ବର୍ଷା ହୋଇପାରେ। ମହାନଦୀ ଉପରମୁଣ୍ଡ ଛତିଶଗଡ଼ ସହ ରାଜ୍ୟ ଭିତରର ସମସ୍ତ ନଦୀ ଅବବାହିକାରେ ପ୍ରବଳ ବର୍ଷା ହେବ। ଆମେରିକାର କଲମ୍ବିଆ ବିଶ୍ବବିଦ୍ୟାଳୟର ବିଭିନ୍ନ ମଡେଲ୍‌ରୁ ଜଣାପଡ଼ୁଛି ଯେ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହେବ। ଏହି ମାସ ଶେଷ ସପ୍ତାହରେ ଚାଷୀଙ୍କ ରୁଆ ବେଉଷଣ କାମ ଜୋରସୋରରେ ଚାଲିବ। ତେଣୁ ପର୍ଯ୍ୟାପ୍ତ ସାର, ଧାନ ବିହନ, ମୁଗ, ବିରି, ମାଣ୍ଡିଆ, ରାଶି ଆଦି ଅମଳ କ୍ଷମ ବିହନ ଉପଲବ୍ଧ କରାଇବାର ଆବଶ୍ୟକତା ରହିଛି ବୋଲି ପ୍ରଫେସର ପଶୁପାଳକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe