୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

୧୦ରେ ଓଡ଼ିଶା ଛୁଇଁବ ମୌସୁମୀ

Outlook India

ଭୁବନେଶ୍ବର : ଏଥର ଠିକ୍‌ ସମୟରେ ଓଡ଼ିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କେରଳକୁ ୨ ଦିନ ବିଳମ୍ବରେ ମୌସୁମୀର ଆଗମନ ହୋଇଥିଲେ ସୁଦ୍ଧା ଓଡ଼ିଶାକୁ ଆଗମନରେ ବିଳମ୍ବ ହେବ ନାହିଁ। ଆସନ୍ତା ୧୧ ତାରିଖରେ ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଏହା ମୌସୁମୀକୁ ସକ୍ରିୟ କରିବ ଓ ଓଡ଼ିଶାର ଅଧିକାଂଶ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ସିକିମ୍‌, ଝାରଖଣ୍ଡ, ବିହାର ଓ ଛତିଶଗଡ଼ ସମେତ ମହାରାଷ୍ଟ୍ରର କିଛି ଅଞ୍ଚଳରେ ମୌସୁମୀ ସକ୍ରିୟ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ କହିଛନ୍ତି ଯେ କେରଳକୁ ମୌସୁମୀ ଆସିବା ୨ଦିନ ବିଳମ୍ବ ହୋଇଥିଲେ ବି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମୌସୁମୀକୁ ତ୍ବରାନ୍ବିତ କରିବ ଓ ବଳ ଯୋଗାଇବ। ଫଳରେ ସ୍ବାଭାବିକ ସମୟରେ ଓଡ଼ିଶାକୁ ମୌସୁମୀର ଆଗମନ ହେବ। ୧୧ତାରିଖରେ ଲଘୁଚାପ ଯୋଗୁଁ ରାଜ୍ୟରେ ୯ ତାରିଖ ଆଡ଼କୁ ବର୍ଷା ଆରମ୍ଭ ହୋଇଯିବ। ୧୦ ତାରିଖକୁ ମୌସୁମୀ ସକ୍ରିୟ ହେବ ଓ ରାଜ୍ୟରେ ଭଲ ବର୍ଷା ହେବ ବୋଲି ସେ କହିଛନ୍ତି।

ଅନ୍ୟପଟେ ଆଜି ସମ୍ପୂର୍ଣ୍ଣ କେରଳକୁ ଛୁଇଁଛି ମୌସୁମୀ। ଏଥିସହ ସମ୍ପୂର୍ଣ୍ଣ ଦକ୍ଷିଣ ଆରବସାଗର ସମେତ ଲକ୍ଷଦ୍ବୀପ, ଉପକୂଳ ଓ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅଧିକାଂଶ ସ୍ଥାନ, ଉତ୍ତର ଆଭ୍ୟନ୍ତରୀଣ କର୍ଣ୍ଣାଟକର କିଛି କିଛି ଅଞ୍ଚଳ, ତାମିଲନାଡ଼ୁର ଆଉ କିଛି ଅଞ୍ଚଳ ଓ ଆନ୍ଧ୍ରପ୍ରଦେଶର କେତେକ ଅଞ୍ଚଳରେ ବି ମୌସୁମୀ ସକ୍ରିୟ ହୋଇଛି।

କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଆସନ୍ତା ୨ଦିନ ପାଗ ଶୁଖିଲା ଓ ଖରାଟିଆ ରହିବ। ୭ ତାରିଖ ଦିନ ନୂଆପଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜ‌ାରି କରାଯାଇଛି। ଏଥିସହ ୮ ତାରିଖ ଦିନ ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

ଅପରପକ୍ଷେ ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଓଡ଼ିଶା, ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ୧୦ ତାରିଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ତାହା ୧୧ ତାରିଖ ବେଳକୁ ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି। ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରେ ସକ୍ରିୟ ଥିବା ମୌସୁମୀକୁ ଓଡ଼ିଶା ଆଡ଼କୁ ଟାଣି ଆଣିବ। ଏଣୁ ଉପକୂଳ ଅଞ୍ଚଳରେ ୧୦ ତାରିଖରୁ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୧ତାରିଖରୁ ବର୍ଷା ଆରମ୍ଭ ହେବ। କ୍ରମଶଃ ବର୍ଷାର ପରିମାଣ ବଢ଼ିବ ଓ ୪ ଦିନ ବର୍ଷା ଜାରି ରହିବ। ଚଳିତ ମୌସୁମୀ ଓଡ଼ିଶା ଚାଷ ପାଇଁ ଅନୁକୂଳ ରହିବ। ପଶ୍ଚିମ ଓଡ଼ିଶାରେ ମାଟି ଶୁଖିଲା ଥିବାରୁ ବର୍ଷା ଯୋଗୁଁ ଚାଷ କାମ ଭଲ ହେବ। ଉତ୍ତର ଉପକୂଳରେ ମାଟି ଆର୍ଦ୍ର ଥିବାରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବାକୁ ଡ. ପଶୁପାଳକ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe