୫-'ଟି' ଆଧାରରେ ମାସିକ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

Advertisment
ହକି ବିଶ୍ୱକପ୍‌ରେ ଟିକେଟ୍‌ କଳାବଜାରୀ ନେଇ ଅଭିଯୋଗ: ଏମିତି ପ୍ରତିକ୍ରିୟା ରଖିଲେ କ୍ରୀଡ଼ାମନ୍ତ୍ରୀ

ଭୁବନେଶ୍ବର : ଏଣିକି ପ୍ରତିମାସରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ବିଭାଗ ବିଭାଗୀୟ ମନ୍ତ୍ରୀଙ୍କୁ ୫'ଟି' ଆଧାରରେ ମାସିକିଆ ରିପୋର୍ଟ ପ୍ରଦାନ କରିବେ। ଉଭୟ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା। ବୈଠକରେ ସ୍ପୋର୍ଟ୍ସ ସିଟି ନିର୍ମାଣ, କଳିଙ୍ଗ ସ୍ପୋର୍ଟ୍ସ ହବ୍ ଓ ସୁନ୍ଦରଗଡ଼ରେ ଆଷ୍ଟ୍ରୋ ଟର୍ଫ୍ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ନେଇ ଆଲୋଚନା ହୋଇଛି। ଏହାସହ ବିଭିନ୍ନ ବିଭାଗର ଵେବ୍ ପୋର୍ଟାଲଗୁଡ଼ିକର ସୁରକ୍ଷା ଓ ଆଧୁନିକୀକରଣ ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି।

ଲୋକସେବା ଭବନରେ ମନ୍ତ୍ରୀ ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ନୂଆ କ୍ରୀଡ଼ାନୀତି, ଅନଲାଇନ୍ ସେବା, ପିଇଟିଙ୍କୁ ତାଲିମ୍ ଏବଂ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା। ଭୁବନେଶ୍ବର ଉପକଣ୍ଟ ସିଜୁଆ ନିକଟ ଏନଏମଆଇଇଟି ସରକାରୀ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ମିତ ନୂଆ ବିଲଡିଂରେ ଶାରୀରିକ ଶିକ୍ଷାଦାନ ଆରମ୍ଭ ହୋଇଛି। ସେହିପରି ଭୁବନେଶ୍ବର, ରାଉଲକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରରେ କ୍ରୀଡ଼ା ବିଦ୍ୟାଳୟ ପ୍ରତିଷ୍ଠା ହେବ। ସେଥିମଧ୍ୟରୁ ବ୍ରହ୍ମପୁର, ସମ୍ବଲପୁର ଏବଂ ଜୟପୁରରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଥିବାବେଳେ ରାଉଲକେଲାରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଥିବା ନେଇ ବିଭାଗ ପକ୍ଷରୁ ମନ୍ତ୍ରୀଙ୍କୁ ସୂଚନା ଦିଆଯାଇଥିଲା। ବୈଠକରେ କଳିଙ୍ଗ ଇଣ୍ଟରନ୍ୟାସନାଲ୍ ସ୍ପୋର୍ଟସ୍ ସିଟି ନିର୍ମାଣ, କଳିଙ୍ଗ ସ୍ପୋର୍ଟସ୍ ହବ୍, ଆଞ୍ଚଳିକ ଏବଂ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ଏବଂ ସୁନ୍ଦରଗଡ଼ରେ ଆଷ୍ଟ୍ରୋ ଟର୍ଫ୍ କାର୍ଯ୍ୟର ଦ୍ରୁତ ଅଗ୍ରଗତି ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

ସେହିପରି ଇଲେକ୍ଟ୍ରୋନିକ୍ସ୍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗର ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଵେବ୍ ପୋର୍ଟାଲଗୁଡ଼ିକର ସୁରକ୍ଷା ଉପରେ ମନ୍ତ୍ରୀ ଶ୍ରୀ ବେହେରା ଗୁରୁତ୍ବ ଦେଇଥିଲେ। ଏସବୁ ପୋର୍ଟାଲଗୁଡ଼ିକର ଆଧୁନିକୀକରଣ, ମୋ ସରକାର କାର୍ଯ୍ୟକ୍ରମ ପାଇଁ ଯୋଗାଯୋଗ ସେଣ୍ଟର, ବିଜୁ ଯୁବ ସଶକ୍ତିକରଣ ଯୋଜନାରେ ଯୁକ୍ତ ୨ରେ ଉତ୍ତୀର୍ଣ୍ଣ ହୋଇଥିବା ମେଧାବୀ ଛାତ୍ରାଛାତ୍ରୀଙ୍କ ପାଇଁ ୧୫ ହଜାର ଲ୍ୟାପଟପ୍ କ୍ରୟ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ। ଓକାକରେ ନୂଆ ଡାଟା ସେଣ୍ଟର, ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ଏବଂ ନୂଆ ନିଯୁକ୍ତି ସୁଯୋଗ ପାଇଁ ଆଇଟି ନୀତିରେ ପରିବର୍ତ୍ତନ ଆଣିବା ସହିତ ୧୮ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା।

ବୈଠକରେ କ୍ରୀଡ଼ା ଓ ଯୁବସେବା ବିଭାଗ କମିସନର ତଥା ଶାସନ ସଚିବ ବିଶାଳ କୁମାର ଦେବ, ନିର୍ଦ୍ଦେଶକ ଆର୍. ଭିନିଲ୍ କ୍ରିଷ୍ଣା, ଯୁଗ୍ମ ଶାସନ ସଚିବ ମନୋଜ ପାଢ଼ୀ ଏବଂ ଉପଶାସନ ସଚିବ ରଞ୍ଜିତ କୁମାର ପରିଡ଼ା ଉପସ୍ଥିତ ଥିବାବେଳେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସଚିବ ମନୋଜ କୁମାର ମିଶ୍ର, ଓକାକ ସିଇଓ ମନୋଜ କୁମାର ପଟ୍ଟନାୟକ, ଜେନେରାଲ୍ ମ୍ୟାନେଜର ମଧୁମିତା ରଥ ଏବଂ ଯୁଗ୍ମ ଶାସନ ସଚିବ ଆଦିତ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe