ମାନିଲେନି ଦଳୀୟ ନିଷ୍ପତ୍ତି: ଦ୍ରୌପଦୀଙ୍କୁ ଭୋଟ୍ ଦେଲେ ମୋକିମ୍

Advertisment

ଅକଳରେ କଂଗ୍ରେସ, ସଭାପତି କହିଲେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ

ଅକଳରେ କଂଗ୍ରେସ, ସଭାପତି କହିଲେ ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ

ମାନିଲେନି ଦଳୀୟ ନିଷ୍ପତ୍ତି: ଦ୍ରୌପଦୀଙ୍କୁ ଭୋଟ୍ ଦେଲେ ମୋକିମ୍

ଭୁବନେଶ୍ବର : ଦଳୀୟ ନିଷ୍ପତ୍ତିକୁ ମାନିଲେନି କଂଗ୍ରେସ ବିଧାୟକ। ସୋମବାର ଦିନ ରାଷ୍ଟ୍ରପତି ନିର୍ବାଚନ ପାଇଁ ହୋଇଥିବା ମତଦାନରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ଏନ୍‌ଡିଏ ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। କଂଗ୍ରେସର ୯ଜଣ ବିଧାୟକଙ୍କ ମଧ୍ୟରୁ ୮ଜଣ ଦଳୀୟ ନିଷ୍ପତ୍ତି ମାନିଥିବା ବେ‌ଳେ ମୋକିମ୍ କିନ୍ତୁ ଦଳ ବିରୋଧରେ ଯାଇଛନ୍ତି। ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତ ସିହ୍ନାଙ୍କ ବଦଳରେ ଶ୍ରୀମତୀ ମୁର୍ମୁଙ୍କୁ ମୋକିମ୍ ଭୋଟ୍ ଦେବାକୁ ନେଇ ରାଜ୍ୟ କଂଗ୍ରେସରେ କମ୍ପନ ସୃଷ୍ଟି ହୋଇଛି। ‌ତେବେ ଯାଞ୍ଚ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପିସିସି ପକ୍ଷରୁ କୁହାଯାଇଛି।

ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯିବା ପରେ ପାର୍ଟି ନା ମାଟି ବଡ଼; ଏହାକୁ ନେଇ ଅକଳରେ ପଡ଼ିଥିଲା ରାଜ୍ୟ କଂଗ୍ରେସ। କଂଗ୍ରେସ ବିଧାୟକମାନେ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ୍ ଦେବେ ନା ମିଳିତ ବିରୋଧୀ ପ୍ରାର୍ଥୀ ଯଶୋବନ୍ତଙ୍କ ସପକ୍ଷରେ ଭୋଟ୍ ଦେବେ ତାହାକୁ ନେଇ ଦିନ ଦିନ ଚର୍ଚ୍ଚା ହୋଇଥିଲା। ବିଧାୟକ ସୁର ରାଉତରାୟ ଦ୍ରୌପଦୀଙ୍କ ସପକ୍ଷରେ ଭୋଟ୍ ଦେବାକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପତ୍ର ଲେଖିବେ ବୋଲି କହିଥିଲେ। ହେଲେ ଦଳର ଚାପରେ ପଡ଼ି ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଥିଲେ।

ଶେଷରେ ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ କଂଗ୍ରେସ ତରଫରୁ ଭୋଟ୍ ଦିଆଯିବ ବୋଲି ପାର୍ଟି ପକ୍ଷରୁ ଘୋଷଣା କରାଯାଇଥିଲା।

ଦ୍ରୌପଦୀଙ୍କୁ ଭୋଟ୍ ଦେବା ପରେ ଗଣମାଧ୍ୟମକୁ ମହମ୍ମଦ ମୋକିମ୍ କହିଛନ୍ତି ଯେ ମୁଁ ବ୍ୟକ୍ତିଗତ ଭାବେ ବିଚାର କରି ଭୋଟ୍ ଦେଇଛି। ଅନେକ ନାଗରିକ ଫୋନ୍ କରି ମଧ୍ୟ ଏଥିପାଇଁ ଅନୁରୋଧ କରିଥିଲେ। ସମ୍ବିଧାନର ସର୍ବୋଚ୍ଚ ପଦବିରେ ଜଣେ ଓଡ଼ିଆ ବସିବାକୁ ଯାଉଥିବାରୁ ଓଡ଼ିଆଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ଦ୍ରୌପଦୀଙ୍କୁ ଭୋଟ୍ ଦେଇଛି। ଜଣେ ଓଡ଼ିଆଭାବେ ନିଜ ବିବେକ ଅନୁଯାୟୀ ଭୋଟ୍ ଦେଇଛି, ଭାବୁଛି ଠିକ୍ କରିଛି। ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ହ୍ବିପ୍ ହୋଇ ନ ଥାଏ। ‌ଯେହେତୁ ଜଣେ ଓଡ଼ିଆ ଭାବେ ଏହି ନିଷ୍ପତ୍ତି ନେଇଛି ତେଣୁ ଦଳ ମଧ୍ୟ ଏହାକୁ ଏହାକୁ ଭିନ୍ନ ଚକ୍ଷୁରେ ଦେଖିବ ନାହିଁ ବୋଲି ଆଶା କରୁଛି ବୋଲି ସେ କହିଛନ୍ତି।

ମୋକିମ୍‌ ଏମିତି ଏକ ନିଷ୍ପତ୍ତି ନେବେ ବୋଲି ସହଯୋଗୀ ବିଧାୟକମାନେ ସାମାନ୍ୟ ସୁରାକ୍ ପାଇ ପାରି ନ ଥିଲେ। ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ବିଧାୟକମାନଙ୍କର ଦୁଇ ଥର ବୈଠକ କରିଥିଲେ। ବୈଠକରେ ସବୁ ବିଧାୟକ ଉପସ୍ଥିତ ଥିଲେ। ଯଶୋବନ୍ତଙ୍କୁ ସମର୍ଥନ ନେଇ କାହାର ଭିନ୍ନମତ ନ ଥିଲା। ଆଜି ମଧ୍ୟ ବିଧାନସଭା ପରିସରରେ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରକୋଷ୍ଠରେ ବସି ନିଜେ ପିସିସି ସଭାପତି ରାଷ୍ଟ୍ରପତି ନିର୍ବାଚନ ସଂକ୍ରାନ୍ତରେ ବିଧାୟକମାନଙ୍କ ସହ ଆଲୋଚନା କରିଥିଲେ। ବିଧାନସଭା ଗୃହ ଭିତରେ ଦଳର ଅନ୍ୟ ବିଧାୟକମାନଙ୍କ ସହ ମିଶି ମୋକିମ୍‌ ମୁଢ଼ି ଉପରେ ଜିଏସ୍‌ଟି ଲାଗୁର ପ୍ରତିବାଦ କରିଥିଲେ। କିନ୍ତୁ ସେଠାରୁ ବାହାରି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଦେଲା ବେଳେ ମୋକିମ୍‌ ଯେ ଗୋଷ୍ଠୀରୁ ଭିନ୍ନ ହୋଇଯିବେ, ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା।

ତେବେ‌ ମୋକିମ୍‌ଙ୍କ ଏହି ନିଷ୍ପତ୍ତିକୁ କଂଗ୍ରେସ ବିଧାୟକମାନେ ନିନ୍ଦା କରିଛନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦଳୀୟ ନିଷ୍ପତ୍ତିକୁ ଅବମାନନା କରି ଏନ୍‌ଡିଏ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ଉଚିତ ହୋଇନାହିଁ। ଏ ସଂପର୍କରେ ହାଇକମାଣ୍ଡଙ୍କୁ ଅବଗତ କରାଯାଇଛି। ହାଇକମାଣ୍ଡଙ୍କଠାରୁ ନିର୍ଦେଶ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯିବ। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଏହା ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ। ଦଳୀୟ ନିଷ୍ପତ୍ତିକୁ ବିଧାୟକମାନେ ମାନିବା କଥା ବୋଲି ଦୁହେଁ ମତ ରଖିଛନ୍ତି। ମୋକିମଙ୍କ ଏହି ନିଷ୍ପତ୍ତି ସଂପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଏ କଥା ମୁଁ ଗଣମାଧ୍ୟମରୁ ଶୁଣିବାକୁ ପାଉଛି। ଯାଞ୍ଚ ପରେ ଦଳୀୟ ଫୋରମ୍‌ରେ ଏ ସଂପର୍କରେ ଚର୍ଚା କରାଯିବ।

ଅପରପକ୍ଷରେ ଏହି ଘଟଣାରେ ମୋକିମ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଟ୍ବିଟ୍‌ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଏନ୍‌ଡିଏ ପକ୍ଷରୁ ଓଡ଼ିଆ ଜନଜାତି ଜନନେତ୍ରୀ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରାଯିବା ପରେ ସାରା ଦେଶରୁ ସମର୍ଥନର ସୁଅ ଛୁଟିଥିଲା। ରାଜନୈତିକ ମତ ପାର୍ଥକ୍ୟ ଓ ବିରୋଧ ସତ୍ତ୍ବେ ମୋଦୀଙ୍କ ନିଷ୍ପତ୍ତି ସହ ଦେଶର ଅନେକ ରାଜନୈତିକ ଦଳ ସ୍ବର ମିଳାଇ ଶ୍ରୀମତୀ ମୁର୍ମଙ୍କୁ ସମର୍ଥନ ଦେବା ପାଇଁ ସହମତି ପ୍ରକାଶ କରିଥିଲେ। ଆଜି ବିଧାୟକ ଶ୍ରୀ ମୋକିମ ଓଡ଼ିଆ ମାଟିର ଝିଅଙ୍କ ସମର୍ଥନରେ ଭୋଟ୍ ଦେଇଥିବା ଘୋଷଣା କରିଛନ୍ତି। ଯାହା ସ୍ବାଗତଯୋଗ୍ୟ ପଦକ୍ଷେପ‌ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେହିପରି ବିଜେପି ବିରୋଧୀ ଦଳ ନେତା ପ୍ରଦୀପ ନାୟକ ଓ ରାଜ୍ୟ ସଭାପତି ସମୀର ମହାନ୍ତି ମଧ୍ୟ ମୋକିମ୍‌ଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe