ଜଙ୍ଗଲ ବିଭାଗ ଜମି ନେବା ପୂର୍ବରୁ ମୋରମ୍ ଲୁଟ୍‌, ଏସ୍‌ପିଙ୍କ ଅଫିସ ନିକଟରେ ମାତିଛନ୍ତି ମୋରମ ମାଫିଆ

ରାଜସ୍ବ ଅଧିକାରୀ ନିଃସହାୟ

ଜଙ୍ଗଲ ବିଭାଗ ଜମି ନେବା ପୂର୍ବରୁ ମୋରମ୍ ଲୁଟ୍‌, ଏସ୍‌ପିଙ୍କ ଅଫିସ ନିକଟରେ ମାତିଛନ୍ତି ମୋରମ ମାଫିଆ

ଯାଜପୁର/ପାଣିକୋଇଲି/କୋରେଇ: ଏସ୍‌ପି ଅଫିସକୁ ଲାଗିଥିବା ଏକର ଏକର ସରକାର ଜମିରୁ କୋଟି କୋଟି ଟଙ୍କାର ମୋରମ ଲୁଟ୍ ହେଉଛି। ଏଠାରେ ସରକାରୀ ନର୍ସରି ପାଇଁ ଜଙ୍ଗଲ ବିଭାଗକୁ ହସ୍ତାନ୍ତର ପ୍ରକ୍ରିୟା ଚାଲିଥିବାବେଳେ ଏହାର ପୂରା ଫାଇଦା ଉଠାଇଛନ୍ତି ମୋରମ ମାଫିଆ। ପ୍ରଭାବଶାଳୀଙ୍କ ବାହୁ ଛାୟା ତଳେ ରହି ମାଫିଆମାନେ ଏହି ମହାଦୁର୍ନୀତିକୁ ଆପଣେଇଛନ୍ତି। ମାତ୍ର ତଳିଆ ରାଜସ୍ବ କର୍ମଚାରୀ ବାରମ୍ବାର ତହସିଲ ଉଚ୍ଚ କର୍ତ୍ତୃପକ୍ଷକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ ହେଁ ଉଚ୍ଚ କର୍ତ୍ତୃପକ୍ଷ ଏହାକୁ ଅସ୍ବୀକାର କରିଛନ୍ତି। କିଛି ଜାଣିନଥିବା ପ୍ରକାଶ କରିଛନ୍ତି ତହସିଲଦାର। ଅନ୍ୟପଟେ ଯାଜପୁର ଜିଲ୍ଲାରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ଦିନକୁ ଦିନ ବଢ଼ି ବଢ଼ି ଚାଲିଥିବ‌ା ‌ବେଳେ ଜିଲ୍ଲା ପୁଲିସ ମୁଖିଆଙ୍କ ଅଫିସ୍‌ ପଛପଟ ସରକାରୀ ଜମିରୁ କୋଟି‌ କୋଟି ଟଙ୍କାର ମୋରମ ଲୁଟ୍ ହେଉଥିଲେ ହେଁ ରୋକ ଲଗାଇବାକୁ ଅଧିକାରୀଙ୍କ ହାତକାତ ପାଉନାହିଁ।ଏଭଳି ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।

ବ୍ୟାସନଗର ତହସିଲ ଅଧୀନ ପାଣିକୋଇଲି ରାଜସ୍ବ ସର୍କଲ ଅନ୍ତର୍ଗତ ପାଣିକୋଇଲି ମୌଜାରେ ରହିଛି ଆରକ୍ଷୀ ଅଧୀକ୍ଷକ କର୍ଯ୍ୟାଳୟ। ଏହାର ପାଚେରିକୁ ଲାଗିଛି ଏକ ଅଦିବାସୀ ସାହି। ସାହି ନିକଟ ସରକାରୀ ଜମିରୁ ବେଧଡ଼କ ମୋରମ ଖୋଳାଯାଇ ଚାଲାଣ ହେଉଛି। ଏକ ଠିକାସଂସ୍ଥାକୁ ‌କୋଟିକୋଟି ଟଙ୍କାର ‌ଏହି ମୋରମ ବିକ୍ରି କରାଯାଉଛି। ଚୋରା ମୋରମକୁ ନିର୍ମାଣକାରୀ ସଂସ୍ଥା ଶହଶହ ହାଇୱା ଗାଡ଼ିରେ ଦିନରାତି ଚାଲାଣ କରୁଛି। ଫଳରେ ଏକ ବିରାଟ ପୋଖରୀ ସୃଷ୍ଟି ହେଲାଣି। ଚୋରା ଚାଲଣକାରୀ ସରକାରୀ ତହବିଲକୁ ଟଙ୍କା ଟିଏ ନଦେଇ କୋଟି କୋଟି ଟଙ୍କା ମୋରାମ ଲୁଟ କରିଚାଲିଛନ୍ତି। ଏହି ବାଟେ ଦେଇ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଯାଉଥିଲେ ମଧ୍ୟ ସମସ୍ତ‌େ ଆଖି ବୁଜି ଦେଇଛନ୍ତି। ଅନ୍ୟ ପକ୍ଷରେ ମୋରମ ଉଠାଯାଉଥିବା ସ୍ଥାନର କିଛି ଦୂରରେ ପ୍ରବାସୀ ଓଡିଆ ଫରେନ୍ତାଙ୍କ ପଞ୍ଜିକୃତ ପାଇଁ ଜିଲ୍ଲା ପ୍ରଶାସନ ଡେରା ପକାଇଥିବାବେଳେ ଏହି ବେଆଇନ ମୋରମ ଉଠାଣ ଉପରେ କିପରି ନଜର ପଡୁନାହିଁ? ଏଠାରୁ କୋଟି କୋଟି ଟଙ୍କାର ମୋରମ ଚାଲାଣକୁ ନେଇ ଏବେ ସାରା କୋରେଇ ଅଞ୍ଚଳରେ ଆଲୋଚନା ହେଉଛି। କେଉଁ ଶକ୍ତିଶାଳୀଙ୍କ ଇଙ୍ଗିତରେ ଚାଲିଛି, ଯାହା ପାଇଁ ପୁଲିସ, ଜଙ୍ଗଲ ବିଭାଗ ଓ ପ୍ରଶାସନ ସମସ୍ତେ ନିରବ ଅଛନ୍ତି। କୋଟି କୋଟି ଟଙ୍କା ଭୂସମ୍ପତ୍ତି ଲୁଟ ହେବା ସହିତ ‌ଲକ୍ଷ ଲକ୍ଷ ରାଜସ୍ବ ହରାଉଛନ୍ତି ସରକାର । ଯାହାକି ଜିଲ୍ଲାରେ ମାଫିଆ ରାଜକୁ ଖୋଲା ପୋତ୍ସାହନ ମିଳୁଛି ବୋଲି ଚର୍ଚ୍ଚା ହେଉଛି।
କୋଟି କୋଟି ଟଙ୍କାର ଚୋରା ମୋରମ ଚାଲାଣ ସଂକ୍ରାନ୍ତରେ ପାଣିକୋଇଲି ରାଜସ୍ବ ନିରୀକ୍ଷକ ସୁଧୀର ରଂଜନ ମଲ୍ଲିକଙ୍କୁ ପଚାରିବାରେ ସେ କହିଛନ୍ତି, ବ୍ୟାସନଗର ତହସିଲଦାରଙ୍କ ନିକଟରେ ବାରମ୍ବାର ଏ ବିଷୟରେ ଲିଖିତ ଅଭିଯୋଗ କରାଯାଇଛି। ମାତ୍ର ଏନେଇ କୌଣସି ସୁଫଳ ମିଳିପାରିନାହିଁ।

ଏ ବିଷୟରେ ବ୍ୟାସନଗର ତହସିଲଦାର ଡକ୍ଟର ଶରତ ମହାପାତ୍ରଙ୍କୁ ପଚାରିବାରୁ ତାଙ୍କ ପାଖରେ ଏ ଖବର ନଥିବା ସେ କହିଥିଲେ। ଏ ସମ୍ପର୍କରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ସହିତ ଆଲୋଚନା କରିବେ। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି କିଏ ସତ କହୁଛନ୍ତି ଆରଆଇ ନା ତହସିଲଦାର। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ବହୁ ରହସ୍ୟ ଉନ୍ମୋଚିତ ହୋଇପାରିବ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe