ଭୁବନେଶ୍ବର : ଯୁଦ୍ଧପ୍ରବଣ ୟୁକ୍ରେନ୍ରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏ ପର୍ଯ୍ୟନ୍ତ ୧୯୯ଜଣ ଓଡ଼ିଆ ଛାତ୍ରଛାତ୍ରୀ ୟୁକ୍ରେନ୍ରୁ ଓଡ଼ିଶାକୁ ଫେରି ସାରିଲେଣି। ତେବେ ଖାର୍କିଭ୍ ଓ ପିସୋଚିନ୍ ଅଞ୍ଚଳରେ ୩ଦିନ ଧରି ଭୀଷଣ ଯୁଦ୍ଧ ଭିତରେ ଫସି ରହିଥିବା ୬୫ ଛାତ୍ରଛାତ୍ରୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି। ରାଜ୍ୟ ସରକାର ଦୁଇଟି ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ୍ ସୀମାକୁ ସ୍ଥାନାନ୍ତରିତ କରିବାରେ ସଫଳ ହୋଇଛନ୍ତି। ଦୁଇଟି ସ୍ବତନ୍ତ୍ର ବସ୍ ଯୋଗେ ପଶ୍ଚିମ ୟୁକ୍ରେନ୍ ସୀମାକୁ ଛାତ୍ରଛାତ୍ରୀଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସେ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପ୍ରକ୍ରିୟା ଜାରି ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ୟୁକ୍ରେନ୍ରେ ଥିବା ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବେ ଉଦ୍ଧାର କରିବା ଲାଗି ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି। ସରକାରଙ୍କ ପକ୍ଷରୁ ବିଭିନ୍ନ ଦେଶରେ ସହାୟତା ପାଇଁ ୪ଜଣ ସ୍ବତନ୍ତ୍ର ପ୍ରତିନିଧି ନିଯୁକ୍ତ ହୋଇଛନ୍ତି। ଦିଲ୍ଲୀ, ମୁମ୍ବାଇରେ ୨୪ଘଣ୍ଟିଆ ହେଲ୍ପ ଡେସ୍କ ସରକାରଙ୍କ ପକ୍ଷରୁ ଖୋଲା ଯାଇଛି। ଏହାସହ ନୂଆଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟରେ ମଧ୍ୟ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରୁଛି। ୟୁକ୍ରେନ୍ରେ ଫସି ରହିଥିବା ୫ଶହ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪ଶହ ଜଣ ୱାର ଜୋନ୍ରୁ ନିରାପଦରେ ଅନ୍ୟ ସ୍ଥାନକୁ ପଳାଇଛନ୍ତି। ୪ଶହ ଛାତ୍ରଙ୍କ ମଧ୍ୟରୁ ୩୮୦ଜଣ ପୋଲାଣ୍ଡ, ରୋମାନିଆ, ହଙ୍ଗେରୀ ଓ ସ୍ଲୋଭାକିଆରେ ଅଛନ୍ତି। ବଳକା ଶହେ ଛାତ୍ରଙ୍କୁ ଖାର୍କିଭ୍ରୁ ଅନ୍ୟ ସହରକୁ ନେବା ପାଇଁ ସରକାର ପ୍ରଚେଷ୍ଟା ଜାରି ରହିଛନ୍ତି। ଯେହେତୁ ଖାର୍କିଭ ଏବେ ୱାର ଜୋନ୍ରେ ସାମିଲ ହୋଇଛି, ଏ ଦୃଷ୍ଟିରୁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ନିରାପଦ ସ୍ଥାନକୁ ନେବା କଷ୍ଟକର ହେଉଛି। ସ୍ଥାନୀୟ କିଛି ବ୍ୟକ୍ତିଙ୍କ ସହାୟତାରେ ରାଜ୍ୟ ସରକାର ନିଜସ୍ବ ଖର୍ଚରେ ବସ୍, ଟ୍ରେନ୍ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନାନ୍ତରିତ କରିବା ଲାଗି ଉଦ୍ୟମ କରାଯାଉଛି।
ଗତକାଲି ରାଜ୍ୟ ସରକାର ଖାର୍କିଭ୍ରୁ ଛାତ୍ରଛାତ୍ରୀଙ୍କୁ ଖାର୍କିଭ୍ ଷ୍ଟେସନ୍କୁ ଆଣିବାରେ ସକ୍ଷମ ହୋଇଥିଲେ। ମାତ୍ର ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟର ନୂଆ ନିର୍ଦେଶାବଳୀ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣି ନିଜ ସ୍ଥାନକୁ ଫେରିବାକୁ ବାଧ୍ୟ ହୋଇଥିଲେ। ପରବର୍ତୀ ସମୟରେ ରାଜ୍ୟ ସରକାର ୨୫ ଛାତ୍ରଙ୍କୁ ବସ୍ ଯୋଗେ ଖାର୍କିଭ୍ରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାରେ ସକ୍ଷମ ହୋଇଥିଲେ। ଛାତ୍ରଛାତ୍ରୀଙ୍କୁ ଖାଦ୍ୟ, ମେଡିକାଲ ସେବା ଯୋଗାଇ ଦିଆଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ସ୍ବତନ୍ତ୍ର ବିମାନ ଜରିଆରେ ଛାତ୍ରଛାତ୍ରୀଙ୍କୁ ଭାରତ ଓ ପରବର୍ତୀ ସମୟରେ ଓଡ଼ିଶାକୁ ନିରାପଦରେ ଫେରାଇ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।
Follow Us