ନବରଙ୍ଗପୁରରେ ଅଧିକ, କୋରାପୁଟରେ କମ୍‌: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ

Advertisment
ନବରଙ୍ଗପୁରରେ ଅଧିକ, କୋରାପୁଟରେ କମ୍‌: ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ

Business Standard

ଜୟପୁର: କାଁଭାଁ ବ୍ୟତିକ୍ରମ ଏବଂ ଅବ୍ୟବସ୍ଥା ସତ୍ତ୍ବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ବାତାବରଣରେ ନିର୍ବାଚନ ସଂପନ୍ନ ହୋଇଛି। କୋରାପୁଟ, ରାୟଗଡ଼ା ଓ ମାଲକାନଗିରି ଜିଲ୍ଲାରେ ୬୦ପ୍ରତିଶତରୁ ଊର୍ଦ୍ଧ୍ବ ମତଦାନ ହୋଇଛି। ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୭୭ପ୍ରତିଶତ ଭୋଟ୍‌ ପଡ଼ିଥିବା ସୂଚନା ମିଳିଛି। ‌ସେହିପରି ମାଲକାନଗିରି ଜିଲ୍ଲା ବ୍ୟତୀତ ଅନ୍ୟ ତିନିଟି ଜିଲ୍ଲାରେ ଭୋଟ୍‌ ବର୍ଜନ ନିଷ୍ପତ୍ତିରେ ଅଟଳ ରହି ଶହ ଶହ ଭୋଟର ମତଦାନ କରିନାହାନ୍ତି। ରାତି ସାଢ଼େ ୯ଟା ସୁଦ୍ଧା ମିଳିଥିବା ଖବର ଅନୁସାରେ ନବରଙ୍ଗପୁର ଜିଲ୍ଲାର କିଛି ବୁଥ୍‌ରେ ମତଦାନ ଜାରି ରହିଥିଲା।

କୋରାପୁଟ ଜିଲ୍ଲାର ୧୧୫୯ ବୁଥ୍‌ରେ ୧୧ ସାଂସଦ ଏବଂ ୪୮ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଛି। ଦଶମନ୍ତପୁର ବ୍ଲକ ପଦୁଗୁଡ଼ ସ୍ଥିତ ବୁଥ୍‌ରେ ଖଣ୍ଡିଏ ଭୋଟ ବି ପଡ଼ିନି। କୋରାପୁଟ ମୁଖ୍ୟାଳୟର ଟାଉନହଲ, ପୂଜାରୀପୁଟ, ଜାନିଗୁଡ଼ା ଆଦି ବୁଥରେ ୪୫ ମିନିଟ୍‌, ନନ୍ଦପୁର ବ୍ଲକର ସୁବାଲାର ବୁଥରେ ୪୬ ମିନିଟ୍‌, ନାରାୟଣପାଟଣା ବ୍ଲକ ପୋଡାପଦର ପଂଚାୟତର ୧୭୩ ନମ୍ବର ବୁଥରେ ପ୍ରାୟ ୩ ଘଣ୍ଟା ବିଳମ୍ବରେ ମତଦାନ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୬୧.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟିଆରେ ୭୫.୬ ପ୍ରତିଶତ ମତଦାନ ହୋଇଛି। କିଛି ପୋଲିଂ ପାର୍ଟି ପହଞ୍ଚି ନଥିବାରୁ ଜିଲ୍ଲାରେ ମତଦାନ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି। ମାଓ ପ୍ରଭାବିତ ଅଂଚଳରେ କଡ଼ା ସୁରକ୍ଷାରେ ମତଦାନ ହୋଇଛି।

ରାୟଗଡା ଜିଲ୍ଲାର ତିନି ବିଧାନସଭା ଆସନ ଯଥା ରାୟଗଡ଼ା, ବିଷମକଟକ ଓ ଗୁଣପୁର ନିର୍ବାଚନମଣ୍ଡଳୀ ସହ କୋରାପୁଟ ଲୋକସଭା ଆସନ ପାଇଁ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଜିଲ୍ଲାର ମୋଟ ୮୮୪ଟି ବୁଥ୍‌ରେ ୩୦ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ଆଜି ଭୋଟର ନିର୍ଦ୍ଧାରଣ କରିଛନ୍ତି। ସଂଧ୍ୟା ୫ଟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ ଜିଲ୍ଲାରେ ୬୨.୯୬ ପ୍ରତିଶତ ମତଦାନ ହୋଇଛି। ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ୬୩.୨୦ ପ୍ରତିଶତ, ବିଷମକଟକ ନିର୍ବାଚନ ମଣ୍ଡଳୀରେ ୬୭.୯୯ ପ୍ରତିଶତ ଓ ଗୁଣପୁର ନିର୍ବାଚନ ମଣ୍ଡଳୀରେ ୫୭.୪୪ ପ୍ରତିଶତ ଭୋଟ ହୋଇଥିବା ଜଣାପଡିଛି। ପତ୍ନୀ ପୂଜା ମହାଜନଙ୍କ ସହ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଗାନ୍ଧୀନଗର ଉଚ୍ଚପ୍ରାଥମିକ ବିଦ୍ୟାଳୟର ଭୋଟ ଦେଇଥିଲେ।

ଅନ୍ୟପଟେ ନକ୍ସଲ ହିଂସାର ଅପବାଦ ମୁଣ୍ଡାଇଥିବା ମାଲକାନଗିରି ଜିଲ୍ଲାରେ ବିନା କୌଣସି ପ୍ରତିବନ୍ଧକରେ ନିର୍ବାଚନ ସଂପନ୍ନ ହୋଇଛି। ହିଂସା ନେଇ କୌଣସି ଖବର ନଥିବା ବେଳେ ସ୍ବାଭିମାନ ଅଞ୍ଚଳ ଏବଂ ବଣ୍ଡାଘାଟିରେ ଭୋଟର ମତାଧିକାର ସାବ୍ୟସ୍ତ ନିମନ୍ତେ ବେଶ୍‌ ଉତ୍ସାହିତ ଥିଲେ। ଜିଲ୍ଲାପାଳ ସଚିନ ପାଵାର ଓ ଏସ୍‌ପି ନୀତୀଶ ଵାଧଵାନୀ ମଧ୍ୟ ମାଲକାନଗିରିରେ ମତଦାନ କରିଥିଲେ। ଅଳ୍ପ କିଛି ସ୍ଥାନରେ ଇଭିଏମ୍‌ ଖରାପ ଯୋଗୁଁ ମତଦାନ ବିଳମ୍ବ ହୋଇଥିଲା। ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ସିଲ କରି ୧୮୦୦ ଯବାନଙ୍କୁ ନିୟୋଜିତ କରାଯାଇଥିଲା। ରାତି ୭ଟା ସୁଦ୍ଧା ୬୫.୮୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୬୬.୬୦ ପ୍ରତିଶତ ଏବଂ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୬୫.୦୧ ପ୍ରତିଶତ ମତଦାନ ହୋଇଛି। ଆଦିବାସୀ ଅଧ୍ୟୁଷିତ ଏବଂ ରାଜ୍ୟର ସବୁଠାରୁ ଗରିବ ଜିଲ୍ଲା ନବରଙ୍ଗପୁର ଏଥର ନୂଆ ରେକର୍ଡ କରିଛି। ଜିଲ୍ଲାରେ ମୋଟ ୭୭ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୫.୨୦ ପ୍ରତିଶତ, ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୩.୪୪ ପ୍ରତିଶତ, ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୭.୧୦ ପ୍ରତିଶତ, ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୭୩.୪୪ ପ୍ରତିଶତ ମତଦାନ ହୋଇଛି। ବହୁ ବୁଥ୍‌ରେ ରାତି ୮ଟା ପର୍ଯ୍ୟନ୍ତ ମତଦାନ ଚାଲିଥିଲା। କେବଳ ନବରଙ୍ଗପୁର ସହରରେ ୭୪.୯୫ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe