ଶ୍ରେଣୀ କକ୍ଷରେ କାନ୍ଦିଲେ, ଚିତ୍କାର କଲେ ୧୫ରୁ ଅଧିକ ଛାତ୍ରୀ

Advertisment
ଶ୍ରେଣୀ କକ୍ଷରେ କାନ୍ଦିଲେ, ଚିତ୍କାର କଲେ ୧୫ରୁ ଅଧିକ ଛାତ୍ରୀ

ଭଦ୍ରକ: ପ୍ରବଳ ଗରମ ଗୁଳୁଗୁଳି ଯୋଗୁଁ ଭଦ୍ରକ ପୁରୁଣାବଜାରସ୍ଥିତ ଡିଏନ୍‌ ବାଳିକା ହାଇସ୍କୁଲର ୧୫ରୁ ଅଧିକ ଛାତ୍ରୀ ଆଜି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଅପରାହ୍‌ଣରେ ଡିଏନ୍‌ ବାଳିକା ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀମାନେ ଅସୁସ୍ଥ ଅନୁଭବ କରିଥିଲେ। ଜଣେ ପରେ ଜଣେ ଏମିତି ୧୫ରୁ ଊର୍ଦ୍ଧ୍ବ ଛାତ୍ରୀ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହିତ ଅଣ ନିଃଶ୍ବାସୀ ହୋଇ ପଡ଼ିଥିଲେ। କେତେକ ଶ୍ରେଣୀ କକ୍ଷରେ କାନ୍ଦି ବଡ଼ ପାଟିରେ ଚିତ୍କାର କରିବା ସହ ଅଚେତ ହୋଇ ଯାଇଥିଲେ। ଛାତ୍ରୀମାନଙ୍କର ଅସ୍ବାଭାବିକ ଆଚରଣ ଓ ଚିତ୍କାର ଶୁଣି ଅନ୍ୟ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରୀମାନେ ଭୟଭୀତ ହୋଇ ପଦାକୁ ପଳାଇ ଆସିଥିଲେ।

ସେପଟେ ସ୍କୁଲରେ କନ୍ଦାକଟା ଓ ଚିତ୍କାର ଶୁଣି ସ୍ଥାନୀୟ ଅଞ୍ଚଳର ଅଭିଭାବକମାନେ ମଧ୍ୟ ସ୍କୁଲକୁ ଦୌଡ଼ିଥିଲେ। କେତେକ ଅଭିଭାବକ ଓ ଶିକ୍ଷକ ଅସୁସ୍ଥ ଛାତ୍ରୀମାନଙ୍କର ଝଡ଼ାଫୁଙ୍କା କରିଥିଲେ। ପରେ କିଛି ଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଯାଇ ଘରକୁ ପଠାଯାଇଥିଲା।  ଘଟଣା ସଂପର୍କରେ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମନୋରମା ପଣ୍ଡା କହିଛନ୍ତି, ୩ ଦିନ ତଳେ ଜଣେ ଛାତ୍ରୀ ଛାତିରେ ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲେ। ଗତକାଲି ମଧ୍ୟ ଜଣେ ଛାତ୍ରୀଙ୍କର ଛାତିରେ ଯନ୍ତ୍ରଣା ହୋଇଥିଲା। ଆଜି ଏକାବେଳେ ଦଶମ ଶ୍ରେଣୀର ୧୦ରୁ ୧୫ ଜଣ ଛାତ୍ରୀ ହଠାତ ଅସୁସ୍ଥ ଅନୁଭବ କରିବା ସମସ୍ତଙ୍କୁ ଭୟଭୀତ କରିଛି। ତେବେ ଗୋଟିଏ ଶ୍ରେଣୀ କକ୍ଷରେ ଆଜି ୨୧୨ ଜଣ ଦଶମ ଶ୍ରେଣୀ ଛାତ୍ରୀ ପରୀକ୍ଷା ଦେଉଥିଲେ। ଏହି ସମୟରେ ବିଦ୍ୟୁତ୍ ଚାଲିଯିବାରୁ ଫ୍ୟାନ୍‌ ବନ୍ଦ ହୋଇ ଯାଇଥିଲା।  ଗୁଳୁଗୁଳି ଅସହ୍ୟ ହେବାରୁ ହୁଏତ ଛାତ୍ରୀମାନେ ଅଣନିଃଶ୍ବାସୀ ହୋଇ ପଡ଼ିଥିଲେ। ଶ୍ରେଣୀ କକ୍ଷରେ ‌ବାୟୁ ଚଳାଚଳର ସେତେଟା ସୁବିଧା ନାହିଁ। ଏକ ଅଣଓସାରିଆ ଗଳି ରାସ୍ତାରେ ସ୍କୁଲଟି ଥିବା ବେଳେ ଗୋଟିଏ ଗୋଟିଏ ଶ୍ରେଣୀରେ ଅତ୍ୟଧିକ ଛାତ୍ରୀ ବସି  ପଢୁଥିବାରୁ ଏଭଳି ହୋଇଥିବା ଆଶଙ୍କା କରାଯାଉଛି। ଏହି ସ୍କୁଲଟି ୫-ଟିରେ ସାମିଲ ହୋଇଥିବାବେଳେ ଏହାର ପରିବେଶ ଛାତ୍ରୀମାନଙ୍କ ପାଇଁ ଅନୁପ‌ଯୁକ୍ତ ବୋଲି ଅଭିଭାବକମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe