୧୮ରୁ ଅଧିକ ଆଦିବାସୀ ଗାଁକୁ ମାଡ଼ିନି କରୋନା

Advertisment
୧୮ରୁ ଅଧିକ ଆଦିବାସୀ ଗାଁକୁ ମାଡ଼ିନି କରୋନା

ବୁଗୁଡ଼ା : ଗଞ୍ଜାମ ଜିଲ୍ଲାରେ ଏମିତି କିଛି ଗ୍ରାମ ଅଛି, ଯେଉଁଠି ଲୋକଙ୍କ ଏକତା ଏବଂ ସଚେତନତା ‌ଯୋଗୁଁ ଆଜି ସୁଦ୍ଧା ଜଣେ ବି କରୋନାରେ ସଂକ୍ରମିତ ହୋଇନାହାନ୍ତି। ଏହାର ଉଦାହରଣ ହେଲା, ବୁଗୁଡ଼ା ବ୍ଲକ୍‌ କରଚୁଲି ପଞ୍ଚାୟତ ଅଧୀନ କିରିଆମ୍ବା, ବଡ଼ତଣ୍ଡା, ନୂଆପଲ୍ଲୀ ଓ ସିଙ୍ଗିପୁର; କରସିଂ ପଞ୍ଚାୟତ ଅଧୀନ ଖଦାଳପଲ୍ଲୀ, ମହୁଲପଲ୍ଲୀ, କରଞ୍ଜସାହି, ଡିମିରିସାହି, ମଶାଣିସାହି, ସମଲେଇ, ପୋକସୁଂଘା, ବରଡ଼ସାହି, ବେଢ଼ାଖାଲ, ନୂଆପଲ୍ଲୀ, ରାବଗଡ଼ ଓ ବଡ଼ପଡ଼ା; ମାଣିତରା ପଞ୍ଚାୟତ ଅଧୀନ କଣ୍ଡରେଇ ଓ ଗୋଲିଆ ପଞ୍ଚାୟତର ତାଳସର ଏବଂ ଡାହାଣୀପଲ୍ଲୀ। ଦ୍ବିତୀୟ ଲହରରେ କରୋନା ବୁଗୁଡ଼ା ବ୍ଲକରେ ୩୫ରୁ ଅଧିକ ଲୋକଙ୍କ ପ୍ରାଣ ନେଲାଣି। ତେବେ ଉକ୍ତ ଗ୍ରାମଗୁଡ଼ିକରେ କରୋନା ମହାମାରୀର ଉଭୟ ଲହରର କୌଣସି ପ୍ରଭାବ ପଡ଼ିନାହିଁ।

ଏହି ସବୁ ଆଦିବାସୀ ଗ୍ରାମର ଲୋକେ ଏ ଯାଏ କରୋନା ମହାମାରୀ କଣ ତାହା ବି ଠିକ୍ ଭାବେ ଜାଣିନାହାନ୍ତି। ଗାଁମାନଙ୍କୁ ରାସ୍ତା ନାହିଁ। ବଣ ପାହାଡ଼ ଘେରରେ ଥିବା ଏହି ସବୁ ଗାଁକୁ ଝରଣା ଓ ନାଳ ଡେଇଁ ଯିବାକୁ ପଡ଼େ। ଗ୍ରାମର ଯୁବକମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ ଗତବର୍ଷ ଫେରିଆସିଛନ୍ତି। ମହିଳାମାନେ ଖଲିପତ୍ରରୁ ଦି ପଇସା ରୋଜଗାର କରୁଥିବା ବେଳେ ପୁରୁଷମାନେ ଜଙ୍ଗଲଜାତ ଦ୍ରବ୍ୟ ଓ କାଠ ସଂଗ୍ରହ କରି ସହରକୁ ବିକିବା ଲାଗି ଆସନ୍ତି। ତେବେ ବର୍ତ୍ତମାନ କୌଣସି ଗ୍ରାମବାସୀ ଭୟରେ ସହରକୁ ଆସୁନାହାନ୍ତି। ହୋଟେଲ୍ ଓ ଭୋଜିଭାତ ବନ୍ଦ ହୋଇଯାଇଥିବାରୁ ଖଲି ବ୍ୟବସାୟ ବି ବନ୍ଦ ହୋଇଛି। ଗ୍ରାମରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରି ବର୍ତ୍ତମାନ ଏହି ଆଦିବାସୀମାନେ ଘରେ ସେମିତି ପଡ଼ି ରହିଛନ୍ତି। ଲକ୍‌ଡାଉନ୍ ‌ଯୋଗୁଁ ସେମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି ବୋଲି କିଛି ଗ୍ରାମବାସୀ କହିଛନ୍ତି।

ବର୍ତ୍ତମାନ ଆଶା ଓ ଅଙ୍ଗନବାଡ଼ି କର୍ମୀମାନେ ଗାଁକୁ ଆସି ସଚେତନ କରୁଛନ୍ତି। ଅଧିକାଂଶ ଗ୍ରାମବାସୀଙ୍କ ପାଖରେ ମାସ୍କ୍ କି ସାନିଟାଇଜର୍ ନଥିବା ଦେଖିବାକୁ ମିଳିଛି। ତେବେ ସବୁଠୁ ବଡ଼ କଥା ହେଲା, ସେମାନେ ଘରୁ ପଦାକୁ ବାହାରୁ ନାହାନ୍ତି। ନିତିଦିନିଆ କାମ ସାରିବା ପରେ ଘର ଭିତରେ ଏକ ପ୍ରକାର ଗୃହାବଦ୍ଧ ହୋଇ ରହୁଛନ୍ତି। ମାଟିକୁ ହାତରେ ଘଷି ଏହାକୁ ସାନିଟାଇଜର୍ ଭାବେ ବ୍ୟବହାର କରୁଛନ୍ତି। ମହିଳାମାନଙ୍କ ପାଇଁ ପଣତ ଓ ପୁରୁଷମାନଙ୍କ ପାଇଁ ଗାମୁଛା ମାସ୍କ୍ ଭଳି ବ୍ୟବହାର କରୁଥିବା ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe