କାମ କରୁନି ୨୦%ରୁ ଅଧିକ ଏଟିଏମ୍: ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ, ଗାଁଠୁ ସହର ଚାରିଆଡ଼େ ସମସ୍ୟା

ଦେଶବ୍ୟାପୀ ଦେଖାଦେଇଥିବା ଏଟିଏମ୍‌ ଅଚଳ ସମସ୍ୟା ଓଡ଼ିଶାରେ ମଧ୍ୟ ଗମ୍ଭୀର ରୂପ ଧାରଣ କରିଛି। ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁ ନଥିବା ଅଭିଯୋଗ ହୋଇଛି। ଏହା କେବଳ ଗତ କିଛି ଦିନର ସମସ୍ୟା ନୁହେଁ।

ATMs  looted

ATMs looted

ଭୁବନେଶ୍ବର: ଦେଶବ୍ୟାପୀ ଦେଖାଦେଇଥିବା ଏଟିଏମ୍‌ ଅଚଳ ସମସ୍ୟା ଓଡ଼ିଶାରେ ମଧ୍ୟ ଗମ୍ଭୀର ରୂପ ଧାରଣ କରିଛି। ଅଧିକାଂଶ ଏଟିଏମ୍‌ରୁ ଟଙ୍କା ବାହାରୁ ନଥିବା ଅଭିଯୋଗ ହୋଇଛି। ଏହା କେବଳ ଗତ କିଛି ଦିନର ସମସ୍ୟା ନୁହେଁ। ପ୍ରାୟ ଦୁଇ ତିନି ମାସ ଆଗରୁ ଏହି ସମସ୍ୟା ଆରମ୍ଭ ହୋଇଛି। ଧୀରେ ଧୀରେ ତାହା ବିଭିନ୍ନ ଅଞ୍ଚଳକୁ ବ୍ୟାପିଛି। ରାଜ୍ୟରେ ୨୦ ପ୍ରତିଶତରୁ ଅଧିକ ଏଟିଏମ୍ କାମ କରୁନଥିବା ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏଟିଏମ୍‌ଗୁଡ଼ିକ ଏହା ଦ୍ବାରା ଅଧିକ ପ୍ରଭାବିତ ହୋଇଛି। ଟଙ୍କା ଉଠାଇପାରୁନଥିବାରୁ ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଶେଷ କରି ଯେଉଁ ଅଞ୍ଚଳଗୁଡ଼ିକରେ ହାତଗଣତି ଏଟିଏମ୍ ରହିଛି, ସେଠାରେ ଲୋକମାନେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି। ଗ୍ରାମାଞ୍ଚଳ ଓ ଛୋଟ ସହରରେ ବାସ କରୁଥିବା ଲୋକମାନଙ୍କୁ ଟଙ୍କା ଉଠାଇବା ଲାଗି ନାକେଦମ୍ ହେବାକୁ ପଡ଼ୁଛି। ଅଧିକାଂଶ ସ୍ଥାନରେ ଅଚଳ ଏଟିଏମ୍‌ର ସଟରକୁ ବନ୍ଦ କରି ରଖାଯାଇଛି। ଆଉ କିଛି ଏଟିଏମ୍ ଖୋଲାଥିବା ବେଳେ କାଚ ଉପରେ ‘ଆଉଟ୍‌ ଅଫ୍‌ ଅର୍ଡର’ (କାମ କରୁନାହିଁ) ଲେଖାଯାଇଛି। ସେହିପରି କେତେକ ଏଟିଏମ୍ କାଉଣ୍ଟର ଖୋଲାଥିଲେ ମଧ୍ୟ ତାହାର ସ୍କ୍ରିନ୍‌ରେ ଏଟିଏମ୍‌ରୁ ଟଙ୍କା ବାହାରୁ ନଥିବା ଇଂରାଜୀରେ ଲେଖାଯାଇଛି। 

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ ଏହି ସମସ୍ୟା ଦ୍ବାରା ଆକ୍ରାନ୍ତ ହୋଇଛି। ଏହି ସମସ୍ୟାର ସମାଧାନ ହେବା ଲାଗି ଆହୁରି ୨ରୁ ୩ ମାସ ସମୟ ଲାଗିଯିବ ବୋଲି କୁହାଯାଉଛି। କାରଣ ଏହି ସମସ୍ୟାଟି ‘ଏଜିଏସ୍‌ ଟ୍ରାଞ୍ଜାକ୍ଟ’ ନାମକ ଏକ ଏଟିଏମ୍ ପରିଚାଳନା କମ୍ପାନି ଦେବାଳିଆ ହୋଇଯିବାରୁ ଆରମ୍ଭ ହୋଇଛି। ତେଣୁ ସେହି ସଂସ୍ଥା ପରିଚାଳନା କରୁଥିବା ଏଟିଏମ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବଦଳାଇବା କିମ୍ବା ଅନ୍ୟ ଏକ ସଂସ୍ଥା ଦ୍ବାରା ତାହା ପରିଚାଳିତ ନ ହେବା ପର୍ଯ୍ୟନ୍ତ, ପ୍ରଭାବିତ ହୋଇଥିବା ଏଟିଏମ୍‌ଗୁଡ଼ିକରୁ ଟଙ୍କା ଉଠାଇବା ସମ୍ଭବ ହୋଇନପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

ଗ୍ରାହକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ
ଗାଁଠୁ ସହର ଚାରିଆଡ଼େ ସମସ୍ୟା
ସମାଧାନ ପାଇଁ ୨ରୁ ୩ ମାସ ଲାଗିବ

ଏଜିଏସ୍‌ ଟ୍ରାଞ୍ଜାକ୍ଟ ଏକ ପୁରୁଣା ଏଟିଏମ୍ ପରିଚାଳନା କମ୍ପାନି। ଏହା ବହୁ ସଂଖ୍ୟାରେ ଏଟିଏମ୍ ସ୍ଥାପନ କରିବା ସହ ତାହାର ପରିଚାଳନା କରୁଥିଲା। ତେଣୁ, ପୁରୁଣା ଏଟିଏମ୍‌ଗୁଡ଼ିକ ଏହି ସମସ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି। କମ୍ପାନି ଗତ କିଛି ମାସ ହେଲାଣି ତାହା ଘୋର ଆର୍ଥିକ ସଙ୍କଟ ଦେଇ ଗତି କରିବା ସହ ଦେବାଳିଆ ହୋଇପଡ଼ିଛି। ଓଡ଼ିଶାରେ ଏହି ସଂସ୍ଥା କର୍ମଚାରୀମାନଙ୍କୁ ଚାରି ମାସ ହେଲା ଦରମା ଦେଇନାହିଁ। ରାଜ୍ୟରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକ ଗତ କିଛି ଦିନ ଧରି ସମସ୍ୟାର ସମାଧାନ କରିବା ଲାଗି ନିଜ ଆଡ଼ୁ ଉଦ୍ୟମ କରୁଥିଲେ। ସେମାନେ ଇଞ୍ଜିନିୟରମାନଙ୍କୁ ଡାକି ବୈଷୟିକ ତ୍ରୁଟି ସୁଧାରୁଥିଲେ। ମାତ୍ର ଏବେ ତାହା ମଧ୍ୟ ସମ୍ଭବ ହେଉନଥିବା ଜଣାପଡ଼ିଛି। ଏହି ସମସ୍ୟାକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଜଣେ ସ୍ଥାନୀୟ ଅଧିକାରୀ ସ୍ବୀକାର କରିଛନ୍ତି। ସମସ୍ୟା ସମାଧାନ ଲାଗି ସବୁ ପ୍ରକାର ଉଦ୍ୟମ ହେଉଥିବା ସେ କହିଛନ୍ତି। 

ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ତଥ୍ୟ ଅନୁସାରେ ୨୦୨୪ ଡିସେମ୍ବର ସୁଦ୍ଧା ରାଜ୍ୟରେ ୭୫୬୭ ଏଟିଏମ୍ ରହିଛି। ସେଥିରୁ ପ୍ରାୟ ଅଧା, ଅର୍ଥାତ ୩୪୦୪ଟି ଏଟିଏମ୍ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ଖୋଲିଛି। ବ୍ୟାଙ୍କର ୩୮୮ଟି ଏଟିଏମ୍ ଗ୍ରାମାଞ୍ଚଳ, ୧୭୦୯ଟି ଅର୍ଦ୍ଧ ସହରାଞ୍ଚଳ ଓ ୧୩୦୭ଟି ସହରାଞ୍ଚଳରେ ରହିଛି। ସେଥିପାଇଁ ଏହି ସମସ୍ୟା ଦ୍ବାରା ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ଚାରିଆଡ଼େ ଷ୍ଟେଟ୍‌ ବ୍ୟାଙ୍କ ଗ୍ରାହକମାନେ ପ୍ରଭାବିତ ହୋଇଛନ୍ତି। ରାଜ୍ୟରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ରାଜ୍ୟରେ ୫୬୨୪ଟି ଏଟିଏମ୍ ସ୍ଥାପନ କରିଛନ୍ତି। ଘରୋଇ ବ୍ୟାଙ୍କଗୁଡ଼ିକ ୧୬୨୬ଟି ଏଟିଏମ୍ ସ୍ଥାପନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe