ଏସ୍‌ସିବିରେ ୫୦ ବର୍ଷ ପୁରୁଣା ୪୫ରୁ ଅଧିକ କୋଠା, ଯାଞ୍ଚ କରି ରିପୋର୍ଟ ଦେବାକୁ ପୂର୍ତ୍ତ ବିଭାଗକୁ ଚିଠି

Advertisment
ଏସ୍‌ସିବିରେ କାଡାଭରିକ୍‌ ପ୍ରତିରୋପଣ

Worldorgs.com

କଟକ : କଟକ ବଡ଼ ଡାକ୍ତରଖାନାର କୋଠାର ସ୍ଥିତି ଯାଞ୍ଚ ହେବ। ବିଶେଷଜ୍ଞ ଯନ୍ତ୍ରୀଙ୍କ ଦ୍ବାରା ଗଠିତ (ଷ୍ଟ୍ରକ୍‌ଚରାଲ୍‌) ବୈଷୟିକ ଟିମ୍‌ ଦ୍ବାରା ଯାଞ୍ଚ କରାଯାଇ ରିପୋର୍ଟ ଦେବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ(ଓବିସିସି) ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛି। କଟକ ବଡ଼ଡାକ୍ତରଖାନାକୁ ବିଶ୍ବସ୍ତରୀୟ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଏହାର ନିର୍ମାଣ ଦାୟିତ୍ବ ନେଇଛି ଓବିସିସି। ତେଣୁ ପୁରୁଣା କୋଠାର ସ୍ଥିତି ସ୍ପଷ୍ଟ ହେବା ପରେ ପରବର୍ତ୍ତୀ ଯୋଜନା ଓବିସିସି ପ୍ରସ୍ତୁତ କରିବ ବୋଲି ଜଣାପଡିଛି। ପୂର୍ବରୁ ଅସୁରକ୍ଷିତ ଘୋଷିତ କୋଠାରେ ଏବେ ବି ରୋଗୀ ସେବା ଚାଲିଛି ବୋଲି ଏକ ସ୍ବତନ୍ତ୍ର ରିପୋର୍ଟ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା।

ତଥ୍ୟ ଅନୁଯାୟୀ ୧୯୦୦ରୁ ୧୯୭୧ ଭିତରେ ତିଆରି ହୋଇଥିବା ୪୫ଟି କୋଠା ଏବେ ଏସ୍‌ସିବି କ୍ୟାମ୍ପସରେ ଅଛି। ଯଦି ହ‌ଷ୍ଟେଲ ଓ ଷ୍ଟାଫ୍‌ କ୍ବାର୍ଟର୍ସକୁ ମିଶାଯାଏ ତେବେ ଏହି ସଂଖ୍ୟା ଅଧିକ ହେବ। ଅବଶ୍ୟ ଅଧିକ ସଂଖ୍ୟକ କୋଠା ୧୯୫୧ରୁ ୧୯୭୧ ମଧ୍ୟରେ ନିର୍ମାଣ ହୋଇଛି। ପାଖାପାଖି ୫୦ ବର୍ଷର ପୁରୁଣା କୋଠାଗୁଡ଼ିକ ବ୍ୟବହାର ହେଉଛି। ଏସ୍‌ସିବିକୁ ଏମ୍‌ସ ପ୍ଲସ୍ ଶ୍ରେଣୀଭୁକ୍ତ କରିବାକୁ ହେଲେ ଏହି ପୁରୁଣା କୋଠାଗୁଡ଼ିକର ସ୍ଥିତି ସର୍ଭେ କରିବା ଏବେ ଗୁରୁତ୍ବପୂର୍ଣ୍ଣ ହୋଇପଡ଼ିଛି। ଏହି ସବୁ କୋଠାର ବିମ୍‌, ଷ୍ଟ୍ରକ୍‌ଚର ସବୁ କେଉଁଭଳି ସ୍ଥିତିରେ ରହିଛି ତାର ଯାଂଚ ଏକ ଷ୍ଟ୍ରକ୍‌ଚରାଲ୍‌ ଇଞ୍ଜିନିୟରିଂ ଟିମ୍‌ ଦ୍ବାରା କରିବା ପାଇଁ ଲିଖିତ ନିର୍ଦ୍ଦେଶ ଆସିଛି।

ଇତିମଧ୍ୟରେ ୩୫ ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ବିଶ୍ବସ୍ତରୀୟ ଏସ୍‌ସିବି ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଆରମ୍ଭ ହୋଇ ୨୦୨୪ ପୂର୍ବରୁ ଏହାର ନିର୍ମାଣ ସାରିବାକୁ ଯୋଜନା ରଖାଯାଇଛି। ନୂଆ ଯୋଜନା ଅନୁସାରେ ଷ୍ଟାଫ୍‌ କଲୋନି ପାଇଁ ୧୨ଟି ୧୨ମହଲା ବିଶିଷ୍ଟ ଟାୱାର୍‌ ଓ କ୍ଲିନିକାଲ୍‌ କୋଠା ପାଇଁ ୧୦ ମହଲା ବିଶିଷ୍ଟ ୪ଟି ଟାୱାର୍‌ ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe