ଆଷାଢ଼ ମାସରେ ବର୍ଷା ନାହିଁ, ଜିଲ୍ଲାର ଅଧାରୁ ଅଧିକ ଜମି ଚାଷ ହୋଇନପାରି ପଡ଼ିଆ

Advertisment
ଆଷାଢ଼ ମାସରେ ବର୍ଷା ନାହିଁ, ଜିଲ୍ଲାର ଅଧାରୁ ଅଧିକ ଜମି ଚାଷ ହୋଇନପାରି ପଡ଼ିଆ

Housing

ଖୋର୍ଦ୍ଧା: ଓଡ଼ିଆ ପଂଜିକା ଅନୁସାରେ, ଅକ୍ଷୟ ତୃତୀୟାରେ ଚାଷୀ ଧାନ ବିହନ ବୁଣା ଅନୁକୂଳ କରେ । ବର୍ଷା ଋତୁର ପ୍ରଥମ ମାସ ଆଷାଢ଼ ମାସର ୧୫ ଦିନ ଶେଷ ହୋଇଛି । ପାଣିପାଗ ବିଭାଗର ଆକଳନରେ ଓଡ଼ିଶାକୁ ମୌସୁମୀ ଛୁଇଁବାର ୧୮ ଦିନ ଅତିକ୍ରାନ୍ତ ହୋଇସାରିଛି, କିନ୍ତୁ ଖୋର୍ଦ୍ଧା ଜିଲ୍ଲାକୁ ବର୍ଷା ଏକ ପ୍ରକାର "ସାତ ସପନ' ଭଳି ହୋଇଛି ।

ପାଣିପାଗ ବିଭାଗ ଅନୁସାରେ, ଚଳିତ ବର୍ଷ ଜୁନ୍ ମାସରେ କ୍ରମବର୍ଦ୍ଧିଷ୍ଣୁ (କୁମୁଲେଟିଭ୍) ଭାବେ ପ୍ରଥମ ସପ୍ତାହ ୨ ତାରିଖରୁ ୮ ତାରିଖ ମଧ୍ୟରେ ବର୍ଷା ୯୦ ପ୍ରତିଶତ କମ ହୋଇଛି, ଜୁନ୍ ମାସର ଦ୍ୱିତୀୟ ସପ୍ତାହ ୯ରୁ ୧୫ ତାରିଖ ମଧ୍ୟରେ ୯୬ ପ୍ରତିଶତ କମ ବର୍ଷା ହୋଇଛି, ତୃତୀୟ ସପ୍ତାହ ୧୬ରୁ ୨୨ ତାରିଖ ମଧ୍ୟରେ ୬୬ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଥିବା ବେଳେ ଚତୁର୍ଥ ସପ୍ତାହ ୨୩ରୁ ୨୯ ତାରିଖ ମଧ୍ୟରେ ୫୫ ପ୍ରତିଶତ କମ୍ ବର୍ଷା ହୋଇଛି । କିନ୍ତୁ ବାସ୍ତବ ବର୍ଷାର ପରିମାଣ ଅନୁସାରେ, ପ୍ରଥମ ସପ୍ତାହରେ ୯୦ ପ୍ରତିଶତ କମ୍ ବର୍ଷା ହୋଇଥିବାେ ବଳେ ଦ୍ୱିତୀୟ ସପ୍ତାହରେ ସଂପୂର୍ଣ୍ଣ ଶୁଷ୍କ ରହିଛି, ତୃତୀୟ ସପ୍ତାହରେ ୩୩ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ଚତୁର୍ଥ ସପ୍ତାହରେ ୩୦ ପ୍ରତିଶତ କମ୍ ବର୍ଷା ହୋଇଛି ।

ଜୁନ୍ ମାସରେ ସାଧାରଣତଃ ୧୦ ଦିନ ବର୍ଷାରେ ହାରାହାରି ୧୯୬.୨ ମିମି ବର୍ଷା ହୋଇଥାଏ । କିନ୍ତୁ ଚଳିତ ବର୍ଷ ବର୍ତମାନ ସୁଦ୍ଧା ହାରାହାରି ୭୨.୮୪ ମିମି ବର୍ଷା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା ବେଗୁନିଆରେ ୧୬୭ ମିମି ହୋଇଥିବା ବେଳେ ବୋଲଗଡ଼ରେ ୧୧୩ ମିମି ବର୍ଷା ହୋଇଛି । ବଳକା ୮ଟି ବ୍ଲକରେ ବର୍ଷା ପରିମାଣ ବାଣପୁର ବ୍ଲକ ବ୍ୟତୀତ ୬୦ ମିମିରୁ ଅଧିକ ହୋଇନାହିଁ । ବାଣପୁର ବ୍ଲକରେ ୯୩ ମିମି ବର୍ଷା ରେକର୍ଡ କରାଯାଇଛି । ଯଦି ୨୦୧୧ରୁ ୨୦୨୨ ମଧ୍ୟରେ ବର୍ଷାର ତଥ୍ୟକୁ ଅନୁଶୀଳନ କରାଯାଏ ତେବେ ୨୦୧୧ରେ ସ୍ୱାଭାବିକ ଅଧିକ ବର୍ଷା ହୋଇଥିବା ବେଳେ ପୁଣି ୨୦୧୯ରେ ସ୍ୱାଭାବିକରୁ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଏହାପରେ ପୁଣି ବର୍ଷାର ପରିମାଣ ଗତ ଦୁଇବର୍ଷ ଧରି କ୍ରମାଗତ ଭାବେ ହ୍ରାସ ପାଇଛି ।

କୃଷି ବିଶେଷଜ୍ଞଙ୍କ ଅନୁସାରେ, ଯେଉଁଠାରେ ଜଳସେଚନର ସୁବିଧା ନାହିଁ ସେଠାରେ ବର୍ଷକୁ ଗୋଟିଏ ଫସଲ ଧାନ ଚାଷ ହୁଏ । ବର୍ତମାନ ଉପଲବ୍ଧ ହାଇବ୍ରିଡ୍ କିସନ ଓ ମରୁଡ଼ିନିରୋଧ ଧାନ ଚାଷ ପାଇଁ ଜୁନ୍, ଜୁଲାଇ ଓ ଅଗଷ୍ଟ ମାସ ମଧ୍ୟରେ ସର୍ବନିମ୍ନ ୨୦୦ ମିମିରୁ ୪୦୦ ମିମି ବର୍ଷା ଆବଶ୍ୟକ । ଏଭଳି ସ୍ଥିତିରେ ଖୋର୍ଦ୍ଧା ଜିଲ୍ଲାରେ ୨୦୨୦ରେ ଏହି ତିନି ମାସରେ ହାରାହାରି ୨୨୬ ମିମି, ୨୦୨୧ରେ ୨୪୦ ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ଜୁନ୍ ମାସରେ ମାତ୍ର ୭୨ ମିମି ବର୍ଷା ହୋଇଛି । ଏଭଳି ସ୍ଥିତିରେ ଚଳିତ ବର୍ଷ ଚାଷ କାମ ବିଶେଷତଃ ମୋଟ ୧ଲକ୍ଷ ୨୮ ହଜାର ହେକ୍ଟର ଚାଷ ଜମି ମଧ୍ୟରୁ ଖରିଫ ଋତୁରେ କେବଳ ବର୍ଷା ଜଳ ଭରସାରେ ଧାନ ଚାଷ ହେଉଥିବା ୫୦ହଜାର ହେକ୍ଟର ଚାଷ ଜମି ବର୍ତମାନ ପଡ଼ିଆ ପଡ଼ିଛି । ଯଦି ଜୁଲାଇ ମାସର ପ୍ରଥମ ୧୫ ଦିନ ମଧ୍ୟ ଏଭଳି ବର୍ଷା କମହୁଏ ତେବେ ଚଳିତ ବର୍ଷ ଧାନ ଚାଷ ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବ ବୋଲି କୃଷିବିଶେଷଜ୍ଞମାନେ ମତ ଦେଇଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଜିଲ୍ଲାର କୃଷି ବିଭାଗ ନିକଟରେ ଏଭଳି ସାଂଘାତିକ ସ୍ଥିତି ନେଇ କୌଣସି ତଥ୍ୟ ନାହିଁ, କିମ୍ବା ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କଲେ କୌଣସି ଉତ୍ତର ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe