ରେଳବାଇର ଏକ ଏକରରୁ ଅଧିକ ଜମି ଜବରଦଖଲ; ଓଏମ୍‌ପି-ଚୂନଭାଟି ଗଳି ରାସ୍ତାରେ ଭଡ଼ା ଲାଗିଛି ଦୋକାନ, ଗୋଦାମ

Advertisment

ସବୁ ଦେଖୁଥିଲେ ବି ବରିଷ୍ଠ ରେଳବାଇ ଅଧିକାରୀ ଚୁପ୍

ସବୁ ଦେଖୁଥିଲେ ବି ବରିଷ୍ଠ ରେଳବାଇ ଅଧିକାରୀ ଚୁପ୍

ରେଳବାଇର ଏକ ଏକରରୁ ଅଧିକ ଜମି ଜବରଦଖଲ; ଓଏମ୍‌ପି-ଚୂନଭାଟି ଗଳି ରାସ୍ତାରେ ଭଡ଼ା ଲାଗିଛି ଦୋକାନ, ଗୋଦାମ

India Rail Info

କଟକ : ରେଳବାଇର ମୂଲ୍ୟବାନ ଜମିକୁ ଜବରଦଖଲ କରି ଖୁଲମଖୁଲା ବ୍ୟବସାୟ ଚାଲିଛି। ରେଳବାଇ ଜମିରେ ଘର ତିଆରି କରି ଦୋକାନ ଆଉ ଗୋଦାମ ପାଇଁ ଭଡ଼ା ଦିଆଯାଇଛି। କିନ୍ତୁ ରେଳବାଇ ଅଫିସରଙ୍କ କ୍ବାର୍ଟର ଠାରୁ ମାତ୍ର କେତେ ଶହ ମିଟର ଦୂରରେ ଏଭଳି ଚାଲିଥିଲେ ବି ବିଭାଗ ହାତ ବାନ୍ଧି ବସିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେବା ପରେ ଦିନକ ପୂର୍ବରୁ ତିଆରି ଚାଲିଥିବା ଏକ ଘର କାମକୁ ରେଳବାଇ କର୍ତ୍ତୃପକ୍ଷ ଅଟକାଇଛନ୍ତି। କିନ୍ତୁ ସେହି ପାଖାପାଖି ଅଞ୍ଚଳରେ ଏକାଧିକ ଘରେ ବ୍ୟବସାୟ ଚାଲିଥିବା ବେଳେ ସେ ଦିଗରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠୁଛି।

ସୂଚନା ଅନୁଯାୟୀ ଓଏମ୍‌ପି ଛକରୁ ଚୂନଭାଟି ଲେନ୍ ଦେଇ ମାଲଗୋଦାମ ଆଡକୁ ଯାଇଥିବା ରାସ୍ତା ପାର୍ଶ୍ବରେ ରେଳବାଇର ଜମି ରହିଛି। ସହରର ପ୍ରମୁଖ ସ୍ଥାନରେ ଏହି ଜମି ଦୀର୍ଘ ଦିନ ଧରି ବ୍ୟବହାର ହୋଇ ନଥିବାରୁ ସେଥିରେ କେତେକ ବ୍ୟକ୍ତି ପ୍ରଥମେ ଘର ନିର୍ମାଣ କରି ବ୍ୟବସାୟ କରିବା ଆରମ୍ଭ କରିଥିଲେ। କିନ୍ତୁ ରେଳବାଇ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନ ନେବାରୁ ଧୀରେ ଧୀରେ ଜବରଦଖଲ ବଢିବା ସହିତ ଏବେ ପ୍ରାୟ ୧ ଏକରରୁ ଅଧିକ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲି ଯାଇଛି। ଜବରଦଖଲକାରୀ ସେହି ଅଞ୍ଚଳରେ ସେଡ୍ ଆଉ ଘର ନିର୍ମାଣ କରି ଦୋକାନ ଘର ଓ ଗୋଦାମ ପାଇଁ ଭଡା ଲଗାଇଛନ୍ତି। ଏହି ପ୍ରକ୍ରିୟାରେ ମାସକୁ ଲକ୍ଷାଧିକ ଟଙ୍କା ଘର ଭଡା ଆଦାୟ ହେଉଥିବା ବେଳେ ଜବରଦଖଲକାରୀ ନିର୍ଦ୍ଦିଷ୍ଟ କିଛି ରେଳବାଇ ଅଧିକାରୀଙ୍କ ସହ ସଂପର୍କ ରଖି ବେଫିକର ବ୍ୟବସାୟ କରି ଚାଲିଥିବା ଅଭିଯୋଗ ହେଉଛି। କଟକ ରେଳ ଷ୍ଟେସନ, ବରିଷ୍ଠ ଅଧିକାରୀ ମାନଙ୍କର କାର୍ଯ୍ୟାଳୟ ଏବଂ କ୍ବାର୍ଟର ୫ଶହ ମିଟର ପରିଧି ଭିତରେ ରହିଥିଲେ ବି ଏଭଳି ଜବରଦଖଲ କେମିତି ମାଡି ଚାଲିଛି, ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି।

ଏହାକୁ ନେଇ ଅଭିଯୋଗ ହେବା ପରେ ରେଳବାଇର କେତେକ ଅଧିକାରୀ ଅଞ୍ଚଳ ପରିଦର୍ଶନ କରିଥିଲେ। କିନ୍ତୁ ଜବରଦଖଲ ହଟାଇବା ଦିଗରେ ଏଯାଏ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅନ୍ୟପଟେ ବ୍ୟାବସାୟିକ ଗୁରୁତ୍ବ ଦୃଷ୍ଟିରୁ ଏହି ଅଞ୍ଚଳରେ ପିପିପି ମୋଡ୍‌ରେ ମଲ୍‌ଟି ପ୍ଲେକ୍ସ ନିର୍ମାଣ ପାଇଁ ଇତିମଧ୍ୟରେ କଟକ ସାଂସଦଙ୍କ ଜରିଆରେ ସରକାରଙ୍କ ପ୍ରସ୍ତାବ ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ରେଳବାଇ ଜମି ଜବରଦଖଲ କରି ନିର୍ଦ୍ଦିଷ୍ଟ କିଛି ଲୋକ ମାସକୁ ଲକ୍ଷାଧିକ ଟଙ୍କା ଆୟ କରୁଥିବା ବେଳେ ଏଥିରେ ରାଜକୋଷକୁ ଗୋଟିଏ ଟଙ୍କା ବି ଯାଉ ନାହିଁ। ଏଭଳି ସ୍ଥିତିରେ ଜବରଦଖଲ ହଟାଇ ମୂଲ୍ୟବାନ ଜମିର ସୁ ବିନିଯୋଗ କରି ରାଜକୋଷର ଆୟ ବଢାଇବା ସହିତ ସାଧାରଣ ଲୋକଙ୍କ ଆବଶ୍ୟକତା ପୂରଣ କରିବା ଭଳି ଯୋଜନା କାର୍ଯ୍ୟକାରୀ କରିବାକୁ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe