ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ ନାଁରେ ୧୦କୋଟିରୁ ଅଧିକ ଠକେଇ, ମୁମ୍ବାଇରୁ ୨ଜଣଙ୍କୁ ଗିରଫ କଲା ଇଓଡବ୍ଲୁ,

ଅଭିଯୋଗକାରୀଙ୍କ ପାଇଁ ନମ୍ବର ଜାରି କଲା ଇଓଡବ୍ଲୁ

ତୀରମାଡ଼ ଘଟଣାରେ ଅଭିଯୁକ୍ତ ଗିରଫ

Times of India

ଭୁବନେଶ୍ବର : ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ବିନିଯୋଗ ନାଁରେ ୧୦କୋଟିରୁ ଅଧିକ ଠକେଇ ହୋଇଛି। ଏହି ମାମଲାରେ କ୍ରାଇମବ୍ରାଞ୍ଚ୍‌ର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ମୁମ୍ବାଇରୁ ୨ ଧୂର୍ତ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଆଇଏଏଭିଆଇସି ପ୍ରାଇଭେଟ୍ ଲିମିଟେଡ୍‌ର ଅର୍ପଣ ପଟେଲ ଓ ଆଦ୍ୟାଜ୍ୟୋତି ନାୟକ।

ଗତ ୧୦ ମାର୍ଚ୍ଚରେ ଇଓଡବ୍ଲୁ ମୁମ୍ବାଇରେ ଚଢ଼ଉ କରି ଖାର୍ ଅଞ୍ଚଳର ଏକ ଭଡ଼ା ଘରୁ ଉଭୟଙ୍କୁ ଗିରଫ କରିଥିଲା। ଭଡ଼ାଘରୁ ଠକେଇ ସଂପର୍କିତ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ନଗଦ ୯୦ହଜାର ଟଙ୍କା, ଦାମୀ ମୋବାଇଲ, ଲାପଟପ୍ ଓ ହାର୍ଡ ଡିସ୍କ୍ ମଧ୍ୟ ଜବତ କରିଥିବା ଜଣାପଡ଼ିଛି। ଅଭିଯୁକ୍ତ ଦ୍ବୟ ମୁମ୍ବାଇର ଏକ ନକଲି ଷ୍ଟକ୍ ମାର୍କେଟ୍‌ ପରାମର୍ଶଦାତା କମ୍ପାନି ଖୋଲି ଅଧିକ ସୁଧ ଦେବାକୁ ଲୋଭ ଦେଖାଇଥିଲେ। ସେମାନେ ଓଡ଼ିଶାରୁ ପ୍ରାୟ ୪ଶହ ଲୋକଙ୍କ ଠାରୁ ୫କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଲୋକଙ୍କୁ ଷ୍ଟକ୍ ମାର୍କେଟ୍‌ରେ ସେମାନଙ୍କ କମ୍ପାନି ସହାୟତାରେ ଟଙ୍କା ବିନିଯୋଗ କରିବାକୁ କହୁଥିଲେ। ତାଙ୍କ କମ୍ପାନି ମାଧ୍ୟମରେ ଟଙ୍କା ବିନିଯୋଗ କଲେ ମାତ୍ର ୧୫ଦିନରେ ମୂଳଟଙ୍କା ଉଠିବା ସହିତ ଦୁଇଗୁଣା ଲାଭ ପାଇବେ ବୋଲି ଲୋଭ ଦେଖାଇଥିଲେ।

ଗତ ୪ମାର୍ଚ୍ଚରେ ଯାଜପୁର ବିଞ୍ଝାରପୁରର ସ୍ବାଧୀନ କୁମାର ସାହୁ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ମୁମ୍ବାଇର ଆଇଏଏଭିଆଇସି ପ୍ରାଇଭେଟ୍ ଲିମିଟେଡ୍‌ ବିଭିନ୍ନ ସ୍କିମ୍‌ରେ ଷ୍ଟକ୍ ମାର୍କେଟ୍‌ରେ ଟଙ୍କା ଲଗାଇଲେ ଅଧିକ ସୁଧ ଦେବ ବୋଲି ବିଜ୍ଞାପନ ଦେଇଥିଲା। ଉକ୍ତ ବିଜ୍ଞାପନ ଆଧାରରେ ସେ ୨୦୨୧ ଜୁଲାଇରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୧୫ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ମାତ୍ର ଟଙ୍କା ବିନିଯୋଗ କରିବାପରେ ମଧ୍ୟ ତାଙ୍କୁ ସୁଧ କଥା ଦୂରରେ ଥାଉ ମୂଳ ବି ମିଳିନଥିଲା। ତେଣୁ ବାଧ୍ୟ ହୋଇ ସେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ଘଟଣାର ତଦନ୍ତ କରି ଜାଣିଥିଲା ଯେ ମୁମ୍ବାଇର ଏହି ସଂସ୍ଥା ୨୦୨୦ ଅଗଷ୍ଟ ୩ରେ ପଞ୍ଜୀକରଣ ହୋଇଥିଲା। ଅର୍ପଣ ଓ ଆଦ୍ୟାଜ୍ୟୋତି ସଂସ୍ଥାର ନିର୍ଦ୍ଦେଶକ ଭାବେ ପଞ୍ଜୀକୃତ କରାଇଥିଲେ। ପରେ ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମ ଜରିଆରେ ବିଜ୍ଞାପନ ଦେଇ ଟଙ୍କା ନିବେଶ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଇ ଥିଲେ। ଯେପରିକି ଅଧିକରୁ ଅଧିକ ଲୋକ ସଂସ୍ଥାରେ ଟଙ୍କା ବିନିଯୋଗ କରିବେ ସେଥିପାଇଁ ମାତ୍ର ୧୫ଦିନରେ ମୂଳଧନ ଫେରସ୍ତ ସହିତ ଲାଭ ମିଳିବ ବୋଲି ଆକର୍ଷଣୀୟ ଟ୍ୟାଗ୍ ଲାଇନ୍ ମଧ୍ୟ ଦେଇଥିଲେ। ତେବେ ପ୍ରାଥମିକ ପର୍ଯ୍ୟାୟରେ ଟଙ୍କା ବିନିଯୋଗ କରିବା ପାଇଁ ୨ହଜାରରୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ହୋଇଥିଲା। ୧୫ଦିନ ହେଲେ ଆପେ ଆପେ ପୁଞ୍ଜି ନିବେଶକାରୀ ଆକାଉଣ୍ଟ୍‌କୁ ମୂଳଧନ ଫେରିଯିବ ବୋଲି ସ୍କିମ୍‌ରେ ଉଲ୍ଲେଖ ଥିଲା। ଏହାସହିତ ଟଙ୍କା ବିନିଯୋଗକାରୀଙ୍କ କୋଡ୍ ସୁପାରିସ୍ କ୍ରମେ ଅନ୍ୟ ଲୋକଙ୍କୁ ଯୋଡ଼ିଲେ ଅଧିକ ୧୫ପ୍ରତିଶତ ଲାଭ ମିଳିବ ବୋଲି ମଧ୍ୟ ପ୍ରତିଶ୍ରୁତି ଦିଆଯାଇଥିଲା। ଏହି ପ୍ରତିଶ୍ରୁତି ଆଧାରରେ ରାଜ୍ୟରୁ ପ୍ରାୟ ୫କୋଟି ଟଙ୍କା ଏହି କମ୍ପାନି ନେଇଥିବା ଇଓଡବ୍ଲୁ ସୂଚନା ଦେଇଛି।

କେବଳ ଓଡ଼ିଶା ନୁହେଁ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଭଳି ୮ଟି ରାଜ୍ୟରୁ ହଜାରେରୁ ଅଧିକ ଲୋକଙ୍କ ଠାରୁ ୧୦କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ଜଣାପଡ଼ିଛି। ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ୮ଟି ରାଜ୍ୟରେ ୧୦କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଜଣାପଡ଼ିଛି। ଠକେଇ ପରିମାଣ ଆହୁରି ବଢ଼ିପାରେ। ତେଣୁ ଠକେଇର ଶିକାର ହୋଇଥିବା ବ୍ୟକ୍ତି ବା ଆଇଏଏଭିଆଇସି ପ୍ରାଇଭେଟ୍ ଲିମିଟେଡ୍‌ରେ ଟଙ୍କା ବିନିଯୋଗକାରୀଙ୍କୁ ଅଭିଯୋଗ କରିବା ପାଇଁ ଇଓଡବ୍ଲୁ ପକ୍ଷରୁ ୯୪୩୭୭୩୬୪୧୨ ନମ୍ବର ଜାରି କରାଯାଇଛି। ଏହି ନମ୍ବରରେ ଫୋନ୍ କରି ଲୋକେ ଅଭିଯୋଗ କରିପାରିବେ ବୋଲି ଶ୍ରୀ ତ୍ରିପାଠୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe