କରୋନା ପାଇଁ ବିପଦରେ ୨୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ

Advertisment

ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ରୋଗୀ ଅଧିକ ସମ୍ବେଦନଶୀଳ

ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ରୋଗୀ ଅଧିକ ସମ୍ବେଦନଶୀଳ

କରୋନା ପାଇଁ ବିପଦରେ ୨୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ

The Week

ଭୁବନେଶ୍ବର : କରୋନା ପାଇଁ ରାଜ୍ୟରେ ୨୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଏବେ ବିପଦରେ। ମଧୁମେହ, ଉଚ୍ଚ ରକ୍ତଚାପ ଓ କିଡ୍‌ନି ରୋଗରେ ଆକ୍ରାନ୍ତ ରୋଗୀ କରୋନା ପାଇଁ ଅଧିକ ସମ୍ବେଦନଶୀଳ। ରାଜ୍ୟରେ ଏ ପର୍ଯ୍ୟନ୍ତ ଯେତିକି କରୋନା ଜନିତ ମୃତ୍ୟୁ ହୋଇଛି ତହିଁରେ ପ୍ରାୟ ୬୦ ପ୍ରତିଶତ ଲୋକଙ୍କ ଏକାଧିକ ରୋଗ ବା କୋ-ମର୍ବିଡିଟି ରହିଛି। ଏଭଳି ପରିସ୍ଥିତିରେ ରାଜ୍ୟରେ ଥିବା ଏକାଧିକ ରୋଗରେ ପୀଡ଼ିତ ଲକ୍ଷାଧିକ ଲୋକଙ୍କୁ ସଚେତନତା ସହିତ ଯତ୍ନର ଆବଶ୍ୟକତା ରହିଛି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୭ ମସିହାରେ ଜାତୀୟ କର୍କଟ, ମଧୁମେହ, ହୃଦ୍‌ରୋଗ ଓ ଷ୍ଟ୍ରୋକ୍‌ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବା ଏନ୍‌ପିସିଡିସିଏସ୍ ଆରମ୍ଭ ହୋଇଛି। ଅଣ ସଂକ୍ରମିତ ରୋଗୀଙ୍କ ଚିହ୍ନଟ ପାଇଁ ୭ଟି ରାଜ୍ୟରେ ଏହା ଆରମ୍ଭ ହୋଇଥିଲା। ଏଥିପାଇଁ ଆଶା କର୍ମୀମାନେ ଘରକୁ ଘର ବୁଲି ମଧୁମେହ ସମେତ ରକ୍ତଚାପ ଓ ୩ ପ୍ରକାର କର୍କଟ ରୋଗର ଚିହ୍ନଟ କରିଥିଲେ। ପରୀକ୍ଷା ପାଇଁ ରାଜି ହେଉଥିବା ବ୍ୟକ୍ତିମାନଙ୍କ ନାଁ ଓ ତଥ୍ୟ ଏନ୍‌ସିଡି ଆପ୍‌ରେ ପଞ୍ଜୀକୃତ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଧା କଟକ, ପୁରୀ, କଳାହାଣ୍ଡି, ରାୟଗଡ଼ା ଓ ସମ୍ବଲପୁରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏବେ ୩୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଛି। ତେବେ ୧୫ଟି ଜିଲ୍ଲାରେ ଏହା ସଂପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇଛି। ଏ ପର୍ଯ୍ୟନ୍ତ ଏନ୍‌ସିଡି ଆପ୍‌ରେ ୭୦ ଲକ୍ଷରୁ ଅଧିକ ଲୋକ ପଞ୍ଜୀକରଣ କରି ସାରିଛନ୍ତି। ଯେଉଁମାନଙ୍କର ସ୍କ୍ରିନିଂ କରାଯାଇଛି ତାହାର ତଥ୍ୟ ମଧ୍ୟ ଆପ୍‌ରେ ଅପଲୋଡ୍‌ ହୋଇଛି।

publive-image ICER

କୋ-ମର୍ବିଡିଟି ବିଶେଷକରି ୩୦ବର୍ଷରୁ ଅଧିକ ବୟସର ଲୋକଙ୍କଠାରେ ଦେଖିବାକୁ ମିଳିଥାଏ। ୨୦୧୧ ମସିହା ଜନଗଣନା ଅନୁସାରେ ଓଡ଼ିଶା ଜନସଂଖ୍ୟା ପ୍ରାୟ ୪କୋଟି ୨୦ଲକ୍ଷ। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବା ମୁତାବକ, ୩୦ବର୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଲୋକଙ୍କ ସଂଖ୍ୟା ରାଜ୍ୟରେ ହେଉଛି ୩୭ ପ୍ରତିଶତ ଅର୍ଥାତ୍ ୧କୋଟି ୫୫ଲକ୍ଷରୁ ଅଧିକ। ତହିଁରୁ ୮-୧୩ ପ୍ରତିଶତ ଅର୍ଥାତ୍ ୧୩-୨୦ଲକ୍ଷ ଲୋକଙ୍କ କୋ-ମର୍ବିଡିଟି ରହିଛି। ତେବେ ଏହା ଭିତରେ ରାଜ୍ୟରେ ଜନସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିବାରୁ ଏହି ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ପ୍ରତ୍ୟେକ ବର୍ଷ କିଛି ଲୋକଙ୍କ ସ୍କ୍ରିନିଂ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଏ। ୨୦୧୮/୧୯ ବର୍ଷରେ ୨୭ଲକ୍ଷ ଲୋକଙ୍କ ସ୍କ୍ରିନିଂ ହୋଇଥିବା ବେଳେ ୨୦୧୯/୨୦ରେ ପ୍ରାୟ ୩୩ଲକ୍ଷ ଲୋକଙ୍କ ସ୍କ୍ରିନିଂ ହୋଇଛି। ଫଳରେ ଚଳିତବର୍ଷ ଯାଏ ୬୦ଲକ୍ଷ ଲୋକଙ୍କ ସ୍କ୍ରିନିଂ ହୋଇଥିବା ବେଳେ ବଳକା ୯୦ଲକ୍ଷ ଲୋକଙ୍କ ସ୍କ୍ରିନିଂ ହେବା ବାକି ରହିଛି। ୨୦୨୦/୨୧ବର୍ଷରେ ୪୦ଲକ୍ଷ ଲୋକଙ୍କ ସ୍କ୍ରିନିଂ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ତେବେ ଜିଲ୍ଲାୱାରି ପୂର୍ବରୁ କ୍ୟାମ୍ପ ଜରିଆରେ ଯେଉଁଭଳି ଭାବେ ସ୍କ୍ରିନିଂ କରାଯାଉଥିଲା, ତାହା କରୋନା ପାଇଁ ବନ୍ଦ ରହିଛି। ଏବେ ମନ୍ଥର ଗତିରେ ସ୍କ୍ରିନିଂ ଚାଲୁଛି। ତେଣୁ ଚଳିତବର୍ଷ ଧାର୍ଯ୍ୟ ଲୋକମାନଙ୍କ ସ୍କ୍ରିନିଂ କରାଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ୬୦ବର୍ଷରୁ କେତେ ଜଣ ବ୍ୟକ୍ତି କୋ-ମର୍ବିଡିଟିର ଶିକାର ତାହା ସ୍ପଷ୍ଟ ହୋଇପାରି ନାହିଁ।

publive-image Gen Physio

ଅପରପକ୍ଷରେ ରାଜ୍ୟରେ ସିକେଡି ବା କିଡ୍‌ନି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ସାଢ଼େ ୫ହଜାରରୁ ଅଧିକ ରହିଛି। ରାଜ୍ୟ ଏନ୍‌ସିଡି ସେଲ୍‌କୁ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ କ୍ୟାପିଟାଲ ହସ୍ପିଟାଲ ଓ ବଡ଼ମ୍ବାରେ ଥିବା ସିଏଚ୍‌ସିରେ ଚିକିତ୍ସିତ ହେଉଥିବା କିଡ୍‌ନି ରୋଗୀଙ୍କ ତାଲିକା ରହିଛି। ମାତ୍ର ରାଜ୍ୟର ୩ଟି ପୁରୁଣା ମେଡିକାଲ କଲେଜ ଏସ୍‌ସିବି, ଏମ୍‌କେସିଜି ଓ ବୁର୍ଲାରେ ଚିକିତ୍ସିତ ହେଉଥିବା କିଡ୍‌ନି ରୋଗୀଙ୍କ ତଥ୍ୟ ନାହିଁ। ତେଣୁ ବାସ୍ତବରେ ଏହି ସଂଖ୍ୟା ବହୁତ ଅଧିକ ହେବ ବୋଲି କୁହାଯାଉଛି। ତେଣୁ କୋ-ମର୍ବିଡିଟି ଥିବା ରାଜ୍ୟର ଲକ୍ଷାଧିକ ଲୋକ ଏବେ କରୋନା ପାଇଁ ଅଧିକ ବିପଦ ହୋଇ ପଡ଼ିଛନ୍ତି।

ଏନ୍‌ସିଡି ସେଲ୍‌ର ଯୁଗ୍ମ ନିର୍ଦେଶକ ଡା. ରଶ୍ମି ଶତପଥୀଙ୍କ କହିବାନୁଯାୟୀ, ରାଜ୍ୟରେ ସମୁଦାୟ ଜନସଂଖ୍ୟାରୁ ୩୦ବର୍ଷରୁ ଅଧିକ ଜନସଂଖ୍ୟାର ୮-୧୩ ପ୍ରତିଶତ ଲୋକ କୋ-ମର୍ବିଡିଟିରେ ପୀଡ଼ିତ। ପ୍ରତିବର୍ଷ ଏକ ଧାର୍ଯ୍ୟ ଲୋକଙ୍କୁ ସ୍କ୍ରିନିଂ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଚଳିତବର୍ଷ କରୋନା ପାଇଁ ଯେଉଁଭଳି ଢଙ୍ଗରେ ସ୍କ୍ରିନିଂ ହେବା କଥା ‌ତାହା ହୋଇପାରି ନ ଥିବା ଡା.ଶତପଥୀ କହିଛନ୍ତି।

ଡାକ୍ତର ବିକାଶ ପଟ୍ଟନାୟକଙ୍କ କହିବା କଥା, କୋ-ମର୍ବିଡିଟିରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ରୋଗ ପ୍ରତିରୋଧ ଶକ୍ତି କମ୍ ରହିଥାଏ। ଏ ଦୃଷ୍ଟିରୁ ସେମାନେ କରୋନା ପାଇଁ ସମ୍ବେଦନଶୀଳ। ତେବେ କେବଳ କୋ-ମର୍ବିଡିଟି କହିଲେ ହେବ ନାହିଁ ବୟସର ମଧ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ୬୦ବର୍ଷରୁ ଅଧିକ ଲୋକମାନେ କରୋନା ନେଇ ଅଧିକ ସମ୍ବେଦନଶୀଳ ବୋଲି ଡା.ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe