ବାରିପଦାରେ ଆଇପିଏଲ ବେଟିଂ: ବନ୍ଧାହେଲେ ୩ ବୁକି, ଆହୁରି ଅନେକ ବାକି

Advertisment

୪୧ହଜାର ଟଙ୍କା ଜବତ, ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ 

୪୧ହଜାର ଟଙ୍କା ଜବତ, ଲାଗୁଛି ଲକ୍ଷ ଲକ୍ଷ ଟଙ୍କାର ବେଟିଂ 

ଗଞ୍ଜେଇ ଚୋରା କାରବାର ଅଭିଯୋଗରେ ୨ ଗିରଫ, ୨.୯୦୦ କିଲୋଗ୍ରାମ ଗଞ୍ଜେଇ ଜବତ

ବାରିପଦା: ‘ସମ୍ବାଦ’ ଆକଳନ ସତ ହେଲା। ବାରିପଦାରେ ଚାଲିଥିବା ଆଇପିଏଲ ବେଟିଂର ପର୍ଦ୍ଦାଫାସ୍ କରିଛି ପୁଲିସ୍। ଏହି ବେଟିଂରେ ସଂପୃକ୍ତ ୩ ବୁକିଙ୍କୁ ପୁଲିସ୍ ଆଜି ଗିରଫ କରିବା ସହିତ କୋର୍ଟ ଚାଲଣ କରିଛି। ଗତ ମଙ୍ଗଳବାରଠାରୁ ପୁଲିସ୍ ବାରିପଦାରେ ଚାଲିଥିବା ଆଇପିଏଲ ବେଟିଂ ଏବଂ ଏଥିରେ ସଂପୃକ୍ତ ପ୍ରମୁଖ ବୁକିଙ୍କୁ ଧରିବା ନିମନ୍ତେ ଜାଲ ବିଛାଇଥିଲା। ଖୋଦ୍ ଏସ୍ପି ସ୍ମିତ୍ ପି ପରମାର ଏହାର ତଦାରଖ କରୁଥିଲେ। ବିଶ୍ବସ୍ତ ସୂଚନାକୁ ଆଧାର କରି ବାରିପଦା ଟାଉନ ଥାନା ପୁଲିସ୍ ଏହି ବେଟିଂରେ ସଂପୃକ୍ତି ତିନି ବୁକିଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ଗିରଫ ବୁକିମାନେ ହେଲେ ବାରିପଦା ପୌରପରିଷଦ ୱାର୍ଡ ନଂ-୨୩ ତୁଳସୀଚଉରା ଅଞ୍ଚଳର ତ୍ରିଲୋଚନ ସାହୁ, ଭଞ୍ଜପୁର ବୁଢ଼ିଖମାରି ଶାସନ ଅଞ୍ଚଳର ନାରାୟଣ ମଣ୍ଡଳ ଏବଂ ୱାର୍ଡ ନଂ-୧ ବାବୁସାହି ଅଞ୍ଚଳର ସରୋଜ କୁମାର ସାହୁ। ଉଭୟ ଅନଲାଇନ ଓ ଅଫଲାଇନରେ ଆଇପିଏଲ-୨୦୨୦କୁ ନେଇ ଏକ ସିଣ୍ଡିକେଟ/ରୢାକେଟ ମାଧ୍ୟମରେ ବେଟିଂ ପରିଚାଳନା କରୁଥିବା ଅବସ୍ଥାରେ ପ୍ରଥମେ ପୁଲିସ ହାତରେ ଧରାପଡ଼ିଥିଲେ ସରୋଜ ସାହୁ ଓ ନାରାୟଣ ମଣ୍ଡଳ। ପରେ ତ୍ରିଲୋଚନ ସାହୁଙ୍କୁ ଗିରଫ କରାଯାଇଥିଲା। ଗିରଫ ତିନି ବୁକିଙ୍କ ନିକଟରୁ ନଗଦ ୪୧,୧୩୦ ଟଙ୍କା ଓ ୩ଟି ମୋବାଇ ଫୋନ ଜବତ କରିଛି ପୁଲିସ୍।

ଏନେଇ ବାରିପଦା ଟାଉନ୍ ଥାନାରେ ଆଇପିସି ୨୯୪(ଏ), ୪୨୦, ୩୪ ଏବଂ ଓପିଜି ଆକ୍ଟ ଧାରା ୩ ଅନୁସାରେ କେଶ ନଂ ୭୮୨/୨୦୨୦ରେ ଏକ ମାମଲା ରୁଜୁ କରାଯାଇଛି। ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ  ଗଠିତ ଏକ ପୁଲିସ୍ ଟିମ୍ରେ ଏସ୍ଆଇ ରଞ୍ଜନ କୁମାର ବେହେରା ଏବଂ ଅଶୋକ କୁମାର ବାରିକ, ଏଏସ୍ଆଇ ଜି ଏସ୍ ପରିଡ଼ା, ତୁଷାରକାନ୍ତ ପରିଡ଼ା ଓ ବାସନ୍ତୀ ସିଂ ପ୍ରମୁଖଙ୍କ ସମେତ ପୁଲିସ ସିଭିଲ ସ୍କ୍ୱାର୍ଡ ସାମିଲ ଥିଲେ। ବାରିପଦାରେ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କେବଳ ଆଇପିଏଲ ସମୟରେ ନୁହେଁ ବର୍ଷର ବିଭିନ୍ନ ସମୟରେ ହେଉଥିବା କ୍ରିକେଟ ଏବଂ ଅନ୍ୟାନ୍ୟ ଖେଳରେ ବେଟିଂ ହେଉଛି। ଗିରଫ ଏହି ତିନି ବୁକିଙ୍କ ଛଡ଼ା ବାରିପଦାରେ ଆହୁରି ଅନେକ ବୁକି ଏହି ସିଣ୍ଡିକେଟରେ ସାମିଲ ଥିବା ଜଣାପଡ଼ିଛି। ଅତ୍ୟନ୍ତ ସଂଗଠିତ ଢଙ୍ଗରେ ପୁଲିସ୍ ଆଖିରେ ଧୂଳି ଦେଇ ଚାଲିଛି ଏହି ରୢାକେଟ୍। ତେବେ ପୁଲିସ୍ ଏହି ତିନି ଜଣଙ୍କୁ ଗିରଫ କରି ତଦନ୍ତ ଶେଷ କରୁଛି ନା ଏଥିରେ ଜଡ଼ିତ ଆହୁରି ଏକାଧିକ ବୁକି ଏବଂ କାର୍ପଟଦାରଙ୍କୁ ଧରୁଛି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe