ସକାଳୁଆ ସ୍କୁଲରେ ଉପସ୍ଥାନ ୭୦%; ଅନୁଗୁଳରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

ମେ’ ମାସରେ ସକାଳ ୯ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରି ରହିବ: ଗଣଶିକ୍ଷା ସଚିବ

ସକାଳୁଆ ସ୍କୁଲରେ ଉପସ୍ଥାନ ୭୦%; ଅନୁଗୁଳରେ ସର୍ବାଧିକ, ଗଜପତିରେ ସର୍ବନିମ୍ନ

Image Courtesy of India.com

ଭୁବନେଶ୍ବର : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ ସମୟ ପରିବର୍ତ୍ତନ ସହ ସୋମବାରଠାରୁ ପାଠପଢ଼ା ଆରମ୍ଭ ହୋଇଛି। ସକାଳ ୬ଟାରୁ କ୍ଲାସ ଆରମ୍ଭ ହୋଇଥିବା ବେଳେ ସରକାରୀ ସ୍କୁଲରେ ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଭଲ ରହିଥିଲା। ଆଜି ରାଜ୍ୟ‌ରେ ମୋଟ ଉପସ୍ଥାନ ହାର ୭୦%ରୁ ଅଧିକ ରହିଥିବା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଅନୁଗୁଳରେ ସର୍ବାଧିକ ଉପସ୍ଥାନ ୮୯% ରହିଥିବା ବେଳେ ଦେବଗଡ଼ରେ ୮୪%, କେନ୍ଦ୍ରାପଡ଼ା ଓ ରାୟଗଡ଼ାରେ ୮୨% ରହିଛି। ଗଜପତିରେ ସର୍ବନିମ୍ନ ଉପସ୍ଥାନ ୪୯% ରହିଥିଲା। ଯଦି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଉପସ୍ଥାନ ଦେଖାଯାଏ, ‌ପୁରୀରେ ସର୍ବାଧିକ ୮୮%, ଅନୁଗୁଳରେ ୮୭%, ଦେବଗଡ଼ରେ ୮୫% ରହିଥିଲା। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଦେବଗଡ଼ରେ ୯୧%, ଅନୁଗୁଳରେ ୯୦%, ଯାଜପୁରରେ ୮୬%, ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଅନୁଗୁଳରେ ଉପସ୍ଥାନ ୯୪%, ଢେଙ୍କାନାଳରେ ୯୩%, ଯାଜପୁରରେ ୮୩% ରହିଥିବା ମନ୍ତ୍ରୀ ଶ୍ରୀ ଦାସ ସୂଚନା‌ ଦେଇଛନ୍ତି। ପ୍ରଥମ ଦିନରେ ଶିକ୍ଷକମାନେ ପିଲାଙ୍କୁ ପୁରୁଣା ପାଠ ପଢ଼ାଇଛନ୍ତି।

ସକାଳ ୬ଟାରୁ ପାଠପଢ଼ା ଆରମ୍ଭ ହେଉଥିବାରୁ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଅସନ୍ତୋଷ ବ୍ୟକ୍ତ କରିବା ସହ ଏତେ ସକାଳୁ ପିଲାଙ୍କ ନିଦ ଭାଙ୍ଗୁ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି ଯେ ଏବେ ଗ୍ରୀଷ୍ମ ଛୁଟିର ଆବଶ୍ୟକତା ନାହିଁ। ମେ’ ମାସରେ ସକାଳ ସାଢ଼େ ୮ଟା ସୁଦ୍ଧା ରାଜ୍ୟର ତାପମାତ୍ରା ୩୨ରୁ ୩୪ ଡିଗ୍ରି ଭିତରେ ରହିବ। ପୂର୍ବାହ୍ନ ୯ଟା ସୁଦ୍ଧା ତାପମାତ୍ରା ୩୫ ଡିଗ୍ରି ଟପିବ ନାହିଁ। ତେଣୁ ଏହି ସମୟ ମଧ୍ୟରେ ପିଲାଙ୍କ ପାଠପଢ଼ା ସହ ମଧ୍ୟାହ୍ନଭୋଜନ ଶେଷ କରି ପୂର୍ବାହ୍ନ ୯ଟାରେ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe