ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ: ବାଇକ୍, ପିସ୍ତଲ, ଅଫୁଟା ଗୁଳି ଜବତ

ଜଟଣୀ ଥାନାରେ ଅଛି ଦୁଇଟି ହତ୍ୟା ମାମଲା

ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗିରଫ: ବାଇକ୍, ପିସ୍ତଲ, ଅଫୁଟା ଗୁଳି ଜବତ

ଭୁବନେଶ୍ୱର/ପୁରୀ: ଜଟଣୀ ଓ ପୁରୀରେ ଆତଙ୍କ ଖେଳାଉଥିବା ଦୁର୍ଦ୍ଦାନ୍ତ ଅପରାଧୀ ବିରଞ୍ଚି ନାୟକକୁ ଡେଲାଙ୍ଗ ଥାନା ପୁଲିସ ଗିରଫ କରିଛି। ଜଟଣୀ ଥାନାରେ ଦୁଇ ଦୁଇଟି ହତ୍ୟା ମାମଲା ସହ ଅନ୍ୟ ପାଞ୍ଚଟି ମାମଲା ଏବଂ ଡେଲାଙ୍ଗ ଥାନାରେ ଗୋଟିଏ ମାମଲାରେ ତା’ର ସମ୍ପୃକ୍ତ ରହିଥିବା ପୁଲିସ୍‌ କହିଛି। ତା’ ନିକଟରୁ ପୁଲିସ ଗୋଟିଏ ଚୋରା ବାଇକ୍‌, ଏକ ପିସ୍ତଲ ଓ ଚାରିଟି ଅଫୁଟା ଗୁଳି ଜବତ କରିଛି। ଆଜି ତାକୁ କୋର୍ଟଚାଲାଣ କରିଛି। ୨୦୦୬ ମସିହାରୁ ବିରଞ୍ଚି ଅପରାଧ ଜଗତରେ ପାଦ ଥାପିଥିଲା। ଜଟଣୀ ଥାନାରେ ତା’ ବିରୋଧରେ ପ୍ରଥମେ ଏକ ହତ୍ୟା ଘଟଣାରେ ମାମଲା ରୁଜୁ ହୋଇଥିଲା। ଏହାର ପ୍ରାୟ ଦଶ ବର୍ଷ ପରେ ପୁଣି ଏକ ହତ୍ୟା ମାମଲାରେ ତା’ର ସମ୍ପୃକ୍ତ ରହିଥିଲା। ସେବେଠାରୁ ସେ ଫେରାର୍‌ ରହିଥିଲା।

ପୁଲିସ ସୂଚନା ଅନୁଯାୟୀ, ଜଟଣୀ ଥାନା ଅନ୍ତର୍ଗତ ବାଛେରା ଗାଁ'ର ବିରଞ୍ଚି ନାୟକ ଡେଲାଙ୍ଗ ଥାନାର ୧୧/୨୦ ନମ୍ବର ମାମଲାରେ ସମ୍ପୃକ୍ତ ରହିଥିଲା। ତାକୁ ପୁଲିସ ଗିରଫ କରିବା ପାଇଁ ଖୋଜାଖୋଜି କରୁଥିଲା। ଗତକାଲି ସନ୍ଧ୍ୟାରେ ଡେଲାଙ୍ଗ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ବିରଞ୍ଚି ଏକ ଚୋରା ବାଇକରେ ପୁରୀ ଆଡ଼କୁ ଆସୁଥିବା ଖବର ମିଳିଥିଲା। ପୁଲିସ ଏହି ମଉକାକୁ ହାତଛଡ଼ା କରିନଥିଲା। ପୁଲିସ୍‌ ହରିରାଜପୁର ଛକରେ ତାକୁ ଧରି ପକାଇଥିଲା। ବିରଞ୍ଚି ନିକଟରୁ ଏହି ଚୋରା ବାଇକକୁ ପୁଲିସ ଜବତ କରିବା ପରେ ତାକୁ ଯାଞ୍ଚ କରିବାରେ ତା’ ନିକଟରୁ ଏକ ୭ ଏମ୍‌ଏମ୍‌ ପିସ୍ତଲ ଓ ୪ଟି ଅଫୁଟା ଗୁଳି ମିଳିଥିଲା। ଏ ନେଇ ଡେଲାଙ୍ଗ ଥାନାରେ ପୁଲିସ ୧୧୫/୨୦ ନମ୍ବରରେ ଆଉ ଏକ ମାମଲା ରୁଜୁ କରି ବିରଞ୍ଚିକୁ ଗିରଫ କରିଥିଲା। ଆଜି ପୁଲିସ ବିରଞ୍ଚିକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe