ବିଷ ପିଇଲେ ମା’ ଓ ୪ ଭାଇଭଉଣୀ, ଭାଇର ମୃତ୍ୟୁରେ ପୂରା ପରିବାର ମ୍ରିୟମାଣ

ମୁଖିଆଙ୍କ ଦେହାନ୍ତ ପରେ ଭାଙ୍ଗି ପଡ଼ିଲା ପରିବାର; କୀଟନାଶକ ପିଇ ଗୋଟିଏ ପରିବାରର ତିନି ଜଣ ଗୁରୁତର

The Financial Express

ଝାରସୁଗୁଡ଼ା: ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ସାନ ଭାଇ ଅସୁସ୍ଥ ଅବସ୍ଥାରେ ପ୍ରାୟ ଦୁଇ ବର୍ଷ ହେଲା କୋମାରେ ରହିଥିଲେ। ତାଙ୍କର ସେବା ଶୁଶ୍ରୂଷାରେ ପରିବାରର ସ‌ମସ୍ତେ ଲାଗି ରହିଥିଲେ। ସାନ ଭାଇ ଦୀପକ ବିଶ୍ବାଳ(୨୧)ଙ୍କ ପ୍ରତି ୪ ଭାଇ ଭଉଣୀଙ୍କର ଥିଲା ଖୁବ୍‌ ସ୍ନେହ। ଘରେ ଅସୁସ୍ଥ ଭାଇ ସହିତ ୪ ଭାଇ ଭଉଣୀ ଏବଂ ସେମାନଙ୍କର ମା ଥିଲେ। ଶେଷରେ ମୃତ୍ୟୁ ସହ ସଂଗ୍ରାମ କରି ହାରିଗଲେ ସାନ ଭାଇ। ସୋମବାର ରାତିରେ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ତାଙ୍କ ମୃତ୍ୟୁରେ ପୂରା ପରିବାର ଏମିତି ଭାଙ୍ଗିପଡ଼ିଲେ ଯେ ମାନସିକ ଭାରସାମ୍ୟ ହରାଇ ବସିଲେ ଏବଂ ସମସ୍ତେ ବିଷ ପିଇ ମରିଯିବାକୁ ନିଷ୍ପତ୍ତି ନେଲେ। ଦୀପକଙ୍କ ମୃତଦେହ ପାଖରେ ମାଙ୍କ ସମେତ ଅନ୍ୟ ୩ ଭଉଣୀ ଓ ଜଣେ ଭାଇ ବିଷ ପିଇ ଦେଇଥିଲେ। ତେବେ ସୌଭାଗ୍ୟକୁ ସମସ୍ତେ ମୃତ୍ୟୁ ମୁଖରୁ ରକ୍ଷା ପାଇ ଯାଇଥିଲେ ମଧ୍ୟ ବିପଦମୁକ୍ତ ହୋଇ ନଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି। ୪ ଜଣ ଏବେ ଝାରସୁଗୁଡ଼ା ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ବଡ଼ ଭଉଣୀ  ଲିଲି ଗୁରୁତର ଅବସ୍ଥାରେ ବୁର୍ଲା ମେଡକାଲକୁ ସ୍ଥାନାନ୍ତର ହୋଇଛନ୍ତି। ଏହି ଅଭାବନୀୟ ଘଟଣାଟି ଘଟିଛି ଝାରସୁଗୁଡ଼ା ବିଟିଏମ୍‌ ଫାଣ୍ଡି ଅନ୍ତର୍ଗତ ଲହଣ୍ଡାବୁଡ଼ ଗ୍ରାମରେ।

ପୁଲିସ ସୂତ୍ରରୁ ପ୍ରକାଶ ଯେ ୨୦୧୮ରେ ସହରର ବେହରାମାଲଠାରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଦୀପକ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ତାକୁ ଚିକତ୍ସା କରାଯାଇଥିଲେ ମଧ୍ୟ ସେ ଏକ ପ୍ରକାର କୋମାରେ ଥିଲେ। ସୋମବାର ସନ୍ଧ୍ୟାରେ ସେ ଗୁରୁତର ଅସୁସ୍ଥ ହୋଇ ପଡ଼ିବା ପରେ ବଡ଼ଭାଇ ଶ୍ରୀକାନ୍ତ (୩୫) ଓ ଅନ୍ୟ ଦୁଇଜଣ ସାଙ୍ଗ ମିଶି ଦୀପକକୁ ନେଇ ଏକ ଘରୋଇ ହସ୍‌ପିଟାଲକୁ ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତଦେହ ଘରେ ପହଞ୍ଚିବା ପରେ ମା’ ପୁଷ୍ପାବତୀ( ୬୦), ବଡ଼ଭଉଣୀ ଲିଲି(୩୮), ମଝିଆ ଭଉଣୀ ବନ୍ଦିତା(୩୫), ସାନ ଭଉଣୀ ପିଙ୍କି (୩୦) ଓ ବଡ଼ଭାଇ ଶ୍ରୀକାନ୍ତ ନିଜର ମାନସିକ ଭାରସାମ୍ୟ ହରାଇ ବସିଥି‌ଲେ। ଘରେ କାନ୍ଦବୋବାଳି ପଡ଼ିଥିଲା। ଘରର କବାଟ ଭିତର ପଟୁ ବନ୍ଦ କରି  ପରିବାରର ସମସ୍ତେ ମିଶି ଘରେ ଥିବା ଫିନାଇଲ ଓ କୀଟନାଶକ ପିଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe