କଳ୍ପନା ଓ ବବ୍‌ଲି ହତ୍ୟା ମାମଲା : ବ୍ୟବସାୟୀ ରମେଶ, କଳ୍ପନାଙ୍କ ଭାଇ ଓ ଭାଉଜଙ୍କୁ ଜେରା

ମାନବାଧିକାର କମିସନ୍‌ଙ୍କ ନିକଟରେ ଫେରାଦ ହେଲେ ଅନୁପଙ୍କ ଝିଅ

କଳ୍ପନା ଓ ବବ୍‌ଲି ହତ୍ୟା ମାମଲା : ବ୍ୟବସାୟୀ ରମେଶ, କଳ୍ପନାଙ୍କ ଭାଇ ଓ ଭାଉଜଙ୍କୁ ଜେରା

ଝାରସୁଗୁଡା : କଳ୍ପନା ଦାଶ ଓ ବବ୍‌ଲି ହତ୍ୟା ଘଟଣାରେ ଅନୁପଙ୍କୁ ଦୋଷୀ ପ୍ରମାଣିତ କରିବା ପାଇଁ ରାୟଗଡ଼ ଚକ୍ରଧରନଗର ପୁଲିସ ସମସ୍ତ ଶକ୍ତି ଖଟାଇ ଦେଇଛି। ଅନୁପଙ୍କ ଜଣେ ଘନିଷ୍ଠ ସହଯୋଗୀ ବ୍ୟବସାୟୀ ରମେଶ ଗେନେରିୱାଲଙ୍କୁ ଆଜି ପୁଲିସ ଜେରା କରିଛି। ସେହିପରି ମୃତ କଳ୍ପନାଙ୍କ ଭାଇ ବରୁଣ ଓ ଭାଉଜଙ୍କୁ ମଧ୍ୟ ଜେରା କରାଯାଇଛି। ରାୟଗଡ଼ରୁ ଫେରିବା ପରେ କଳ୍ପନାଙ୍କ ଭାଇ ବରୁଣ କହିଛନ୍ତି, ସେମାନେ ଅତି ଗରିବ। ପୁଲିସ ବାରମ୍ବାର ରାୟଗଡ଼ ଡାକିଲେ ସେମାନଙ୍କ ପକ୍ଷରେ ଯିବା ସମ୍ଭବପର ହେବନି। କଳ୍ପନା ତାଙ୍କ ପାଖକୁ ଆଦୌ ଆସୁ ନଥିଲେ। ସେ ଅଲଗା ରହୁଥିବାରୁ ତା’ ସଂପର୍କରେ ସେମାନଙ୍କ ପାଖରେ କୌଣସି ଖବର ନଥିଲା ବୋଲି ସେ ପୁଲିସକୁ କହିଥିବା ଜଣାଇଛନ୍ତି।

ଏହି ମାମଲାରେ ଅନୁପଙ୍କ ପୁଅ ଶୁଭମ୍‌ଙ୍କୁ ଜେରା ପାଇଁ ନୋଟିସ୍‌ ଦିଆଯିବା ପରେ ଅନୁପଙ୍କ ପରିବାରବର୍ଗଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରିବାର ପକ୍ଷରୁ ଛତିଶଗଡ଼ ପୁଲିସର ନିର୍ଯାତନା ବିରୋଧରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଏହାର ସିବିଆଇ ତଦନ୍ତ ମଧ୍ୟ ଦାବି କରାଯାଇଥିଲା। ଏହି ଦାବି ସଂପର୍କରେ ଗୃହ ବିଭାଗକୁ ଜଣାଇବାକୁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେବାପରେ ସାଏ ପରିବାର ଧାରଣାରୁ ଉଠିଥିଲେ।

ଅନ୍ୟପକ୍ଷରେ ଏହି ମାମଲାରେ ବଳିଷ୍ଠ ପ୍ରମାଣ ରହିଥିବା ଏସ୍‌ପି କହୁଥିବା ବେଳେ ପ୍ରକୃତରେ ଏହି ମାମଲାକୁ କୋର୍ଟରେ ପ୍ରମାଣ କରିବା ପୁଲିସ ପାଇଁ ସହଜ ହେବ ନାହିଁ ବୋଲି ବରିଷ୍ଠ ଆଇନଜୀବୀମାନେ ମତ ଦେଇଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ପରିବାର ସିବିଆଇ ତଦନ୍ତ ଦାବି କରିବା ଘଟଣା ଏହି ମାମଲାକୁ ଭିନ୍ନମୋଡ଼ ଦେଇଥିବା ବେଳେ ପୁଲିସ ଏଥିରେ ଆହୁରି ଅଧିକ ତଦନ୍ତ କରୁଥିବା ଜଣାଯାଇଛି।

ମାନବାଧିକାର କମିସନ୍‌ଙ୍କ ନିକଟରେ ଫେରାଦ ହେଲେ ଅନୁପଙ୍କ ଝିଅ
ଝାରସୁଗୁଡ଼ା : ଆମ ପରିବାରର ମାନବିକ ଅଧିକାର କ୍ଷୁଣ୍ଣ ହୋଇଛି। ରାୟଗଡ଼ ଏସ୍‌ପି ସନ୍ତୋଷ ସିଂହ ମୋ ବାପାଙ୍କୁ ଜଣେ ଅପରାଧୀ ଭାବରେ ଚିତ୍ରଣ କରି ସର୍ବ ସମ୍ମୁଖରେ ନିନ୍ଦିତ କରିଛନ୍ତି। ତାଙ୍କୁ ଗିରଫ କରିବା ପରେ ମୁହଁକୁ ଖୋଲା ରଖି ଗଣମାଧ୍ୟମ ଆଗରେ ହାଜର କରାଯାଇଛି। ଆମକୁ ନଜଣାଇ ତାଙ୍କୁ ଉଠାଇ ନେବା ଭଳି କାର୍ଯ୍ୟ କରାଯାଇଛି। ଏଭଳି କହିଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏଙ୍କ ଝିଅ ଶୁଭ୍ରସ୍ମିତା ସାଏ।

ସୋମବାର ସ୍ଥାନୀୟ ସର୍କିଟ ହାଉସ୍‌ଠାରେ ରାଜ୍ୟ ମାନବିକ ଅଧିକାର କମିସନ୍‌ର ଅଧ୍ୟକ୍ଷ ବିମଳ ପ୍ରସାଦ ଦାସ ଓ ସଦସ୍ୟ ଅସୀମ ଅମିତାଭ ଦାସଙ୍କ ଝାରସୁଗୁଡ଼ା ଗସ୍ତ ଅବସରରେ ତାଙ୍କୁ ସାକ୍ଷାତ କରି ଶୁଭ୍ରସ୍ମିତା ଏକ ଲିଖିତ ଆବେଦନ କରିଛନ୍ତି। ଚାରିବର୍ଷ ତଳେ ଛତିଶଗଡ଼ର ଚକ୍ରଧରନଗର ଥାନା ଅନ୍ତର୍ଗତ ସମ୍ବଲପୁରୀ ଗ୍ରାମ ନିକଟରେ ଘଟିଥିବା ମା-ଝିଅଙ୍କ ଡବଲ ମର୍ଡର ଘଟଣାରେ ପୁଲିସ ଗତ ୧୨ ତାରିଖ ସନ୍ଧ୍ୟା ସାଢ଼େ ୬ ଟାରେ ପରିବାର ଲୋକଙ୍କୁ ନଜଣାଇ ସବୁ ନିୟମ କାନୁନ‌୍‌କୁ ଅଣଦେଖା କରି ତାଙ୍କ ବାପା ଅନୁପ ସାଏଙ୍କୁ ଉଠାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ନ୍ୟାୟିକ ପ୍ରକ୍ରିୟା ଚାଲିଥିବା ବେଳେ ତାଙ୍କୁ ଅପରାଧୀ ଭଳି ଗଣମାଧ୍ୟମରେ ପ୍ରଦର୍ଶିତ କରିବା ମୋ ଭବିଷ୍ୟତ ଜୀବନକୁ ପ୍ରଭାବିତ କରିବାର ଆଶଙ୍କା ସୃଷ୍ଟି କରିଛି ବୋଲି ସେ କହିଛନ୍ତି। ଏ ସଂପର୍କରେ ମାନବିକ ଅଧିକାର କମିସନ୍‌ ବିଚାର କରିବାକୁ ସେ ପ୍ରାର୍ଥନା କରିଛନ୍ତି। ଏହି ଲିଖିତ ଆବେଦନକୁ ସନ୍ଧ୍ୟାରେ ମାନବିକ ଅଧିକାର କମିସନ୍‌ ସଦସ୍ୟ ଶ୍ରୀ ଦାସ ଗ୍ରହଣ କରିଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe