ଜନ୍ମଦିନରେ ହେଲା ମରଣ : ଦୁର୍ଘଟଣାରେ ଚାଲିଗଲେ ମା’ପୁଅ

Advertisment
ଜନ୍ମଦିନରେ ହେଲା ମରଣ : ଦୁର୍ଘଟଣାରେ ଚାଲିଗଲେ ମା’ପୁଅ

ଅନୁଗୁଳ : ଜନ୍ମ ଦିନ ହେଲା ମରଣଦିନ। ଆଜି ଜନ୍ମ‌ତିଥି‌େର ପୁଅର ଦୀର୍ଘ ଓ ନିରାମୟ ଜୀବନ କାମନା କରିବା ଲାଗି ବିଚରା ମା’ ଆଠବର୍ଷର ପୁଅକୁ କୋଳରେ ଧରି ଦୌଡ଼ି ଆସିଥିଲେ ଅନୁଗୁଳର ପ୍ରସିଦ୍ଧ ମା ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରକୁ। ନିଷ୍ଠାର ସହ ପୂଜାର୍ଚ୍ଚନା ସାରି ପୁଅକୁ ଧରି ମାଙ୍କ ସମ୍ମୁଖରେ ନେହୁରା ହୋଇଥିଲେ ‘ମା ଲୋ..ମୋ ପୁଅକୁ କୋଟି ପରମାୟୁ ଦେ.. ବଡ଼ ମଣିଷଟିଏ କରି ମୋ ଦୁଃଖ ଦୂର କରିଦେ’। ମାତ୍ର, ଏହାର କିଛି ସମୟ ପରେ ବୁଢୀ ଠାକୁରାଣୀଙ୍କ ମନ୍ଦିର ସମ୍ମୁଖରେ ଘଟିଥିବା ଦୁର୍ଘଟଣାରେ ମା’-ପୁଅଙ୍କ ଜୀବନ ଚାଲିଗଲା।

ସୂଚନା ଅନୁଯାୟୀ, ଜରପଡ଼ା ଥାନା ମାଟିଗାଡିଆ ଗ୍ରାମର ସ୍ବର୍ଗତ ସୁମନ ସାହୁ ଓ ପତ୍ନୀ କବିତା ସାହୁ(୩୪)ଙ୍କ ପୁଅ ଶୁଭମ୍‌ର ଆଜି ଥିଲା ଅଷ୍ଟମ ଜନ୍ମତିଥି। ସ୍ବାମୀଙ୍କୁ ଅକାଳରେ ହରାଇବା ପରେ ପିତୃହରା ପୁଅକୁ ଅତି ଗେହ୍ଲାରେ କୋଳେଇ କାଖେଇ ବଡ଼ ମଣିଷଟିଏ କରି ଗଢି ତୋଳିବା ପାଇଁ ଅହରହ ଉଦ୍ୟମ କରି ଚାଲିଥିଲେ କବିତା। ଜନ୍ମଦିନରେ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀଙ୍କ ଠାରୁ ଆଶୀର୍ବାଦ ମାଗିବା ପାଇଁ ପୁଅ ଶୁଭମ୍‌କୁ ଧରି ବାହାରିଥିଲେ ଅନୁଗୁଳ। ହେଲେ ଏକାକୀ ଆସିବା ସମ୍ଭବ ନହେବାରୁ ଜରପଡ଼ା ଥାନା ଟେଣ୍ଟୁଲେଇ ଗାଁର ସଂପର୍କୀୟ ବସନ୍ତ ସାହୁ(୪୯)ଙ୍କୁ ଡାକି ତାଙ୍କ ସହ ସ୍କୁଟିରେ ବାହାରିଥିଲେ ମା’-ପୁଅ। ମା’ଙ୍କ ଦର୍ଶନ ସାରି ଅପରାହ୍ଣ ପ୍ରାୟ ସାଢେ ୨ଟାରେ ସେମାନେ ଘରକୁ ଫେରିଥିଲେ। ହେଲେ ମନ୍ଦିର ଠାରୁ ମାତ୍ର ଶହେ ମିଟର ଦୂରରେ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ମନ୍ଦିର ଛକରୁ ରାଜପଥକୁ ଉଠିବା ବେଳେ କଟକରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ସ୍କୁଟି ଚଳାଉଥିବା ବସନ୍ତ ହେଲ୍‌ମେଟ୍‌ ପିନ୍ଧିଥିବାରୁ ତାଙ୍କର ସାମାନ୍ୟ କ୍ଷତି ହୋଇଥିବାବେଳେ ପଛରେ ବସିଥିବା ଶୁଭମ୍‌ ଓ କବିତାଙ୍କ ଉପରେ ଟ୍ରକ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ମା’ ଓ ପୁଅଙ୍କ ଜୀବନ ଚାଲି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe