Advertisment

ସଚିବାଳୟ ଦୌଡ଼ୁଛନ୍ତି ବିଧବା ମା’, ପୁଅ

Advertisment

୧୭ ବର୍ଷ ପରେ ବି ଥଇଥାନ ନିଯୁକ୍ତି ନାହିଁ

୧୭ ବର୍ଷ ପରେ ବି ଥଇଥାନ ନିଯୁକ୍ତି ନାହିଁ

ସଚିବାଳୟ ଦୌଡ଼ୁଛନ୍ତି ବିଧବା ମା’, ପୁଅ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୁନଃଥଇଥାନ ସହାୟତା ଯୋଜନାରେ କର୍ତବ୍ୟରତ କର୍ମଚାରୀଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ପତ୍ନୀ ହେଉ ବା ପୁଅଙ୍କୁ ନିଯୁ୍‌କ୍ତି ପ୍ରଦାନର ବ୍ୟବସ୍ଥା ରହିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିଜସ୍ୱ ଗୃହ ବିଭାଗର ଜଣେ କର୍ମଚାରୀଙ୍କ ଅକାଳ ମୃତ୍ୟୁ ଘଟିବାର ୧୭ ବର୍ଷ ବିତିଗଲାଣି। ପ୍ରଥମେ ତାଙ୍କ ପତ୍ନୀ ବର୍ଷ ବର୍ଷ ଧରି ଦୌଡ଼ି ଦୌଡ଼ି ନିଯୁକ୍ତି ଯୋଗ୍ୟତାରୁ ବାଦ୍‌ ପଡ଼ିଲେ। ଏବେ ସେ ରୁଗ୍ଣ। ଏବେ ତାଙ୍କ ପୁଅ ପାଇଁ ତାକୁ ଧରି ସଚିବାଳୟ ଦୌଡୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ମିଳିଛି। ଏପରି କି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତାଙ୍କ ପାଇଁ ତତ୍ପରତା ପ୍ରକାଶ କରିଛନ୍ତିି। କିନ୍ତୁ ବାଟ ଓଗାଳି ବସିଛନ୍ତି ବିଭାଗର କିଛି ବଡ଼ପଣ୍ଡା। ସେଇଠି ଅଟକି ଯାଇଛି ତାଙ୍କ ନିଯୁକ୍ତି ସଂପର୍କିତ ସରକାରୀ ଫାଇଲ୍‌। ଏହି ନାଲିଫିତାର କରାମତି ଦେଖାଇବାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତିରେ କଳା ବୋଳିବାକୁ ସଂପୃକ୍ତ ଅଧିକାରୀ ଜଣକ ପଛାଉନାହାନ୍ତି।

ଏଭଳି ଅଭାବନୀୟ ପରିସ୍ଥିତିରେ ବିତିଗଲାଣି ୧୭ ବର୍ଷ। ଖବର ଅନୁସାରେ, ଗୃହ ବିଭାଗର ପିଅନ ଉଦୟନାଥ ନାଏକ ଚାକିରିରେ ଥିବା ବେଳେ ୨୦୦୧ ମସିହା ଏପ୍ରିଲ ୨୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାରର ଅନ୍ୟ କୌଣସି ରୋଜଗାର ପନ୍ଥା ନ ଥିବାରୁ ସ୍ୱର୍ଗତଃ ନାଏକଙ୍କ ପତ୍ନୀ ଭାମା ନାଏକ ପୁନଃଥଇଥାନ ସହାୟତା ଯୋଜନା(ଆରଏଏସ୍‌)ରେ ନିଯୁକ୍ତି ପାଇଁ ଆବେଦନ କରିଥିଲେ। ଏଥିପାଇଁ ସେ ବାରମ୍ବାର ସଚିବାଳୟର ଗୃହ ବିଭାଗକୁ ଦୌଡ଼ିଥିଲେ। ବିଭିନ୍ନ କାରଣରୁ ସେ ରୋଗାକ୍ରାନ୍ତ ହୋଇ ସରକାରୀ ଚାକିରି ପାଇଁ ଅନୁପଯୁକ୍ତ ହୋଇ ବାଦ୍‌ ପଡ଼ିଲେ। ସରକାରୀ ନାଲିଫିତା ତଳେ ସବୁଦିନ ପାଇଁ ବୁଜି ହୋଇଗଲା ତାଙ୍କ ଫାଇଲ୍‌। ତାଙ୍କ ବଦଳରେ ତାଙ୍କ ପୁଅର ନିଯୁକ୍ତି ପାଇଁ ଆବେଦନ କରିବାକୁ ତତ୍କାଳୀନ ଗୃହ ବିଭାଗ ସଚିବ ତାଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ପୁଅ ଲିଟୁ ନାଏକ ସାବାଳକ ହେବା ପରେ ନିଜ ମା’ଙ୍କ ପରିବର୍ତେ ନିଜର ନିଯୁକ୍ତି ପାଇଁ ଉଦ୍ୟମ ଆରମ୍ଭ କଲେ। ୨୦୧୪ ମସିହା ଜାନୁଆରି ୧୦ ତାରିଖରେ ଗୃହ ବିଭାଗରେ ଚତୁର୍ଥ ଶ୍ରେଣୀ ପଦବିରେ ନିଯୁକ୍ତି ପାଇଁ ଆବେଦନ ସେ କରିଥିଲେ।

ସରକାରୀ ଯୋଜନାରେ ବିଧବା ମହିଳାଙ୍କୁ ତ ନିଯୁକ୍ତି ମିଳିଲା ନାହିଁ। ତାଙ୍କ ପୁଅର ନିଯୁକ୍ତି ପାଇଁ ଆବେଦନ କରିବାର ମଧ୍ୟ ସାଢ଼େ ଚାରିବର୍ଷ ବିତିଗଲା। ଲିଟୁଙ୍କୁ ଗୃହ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ତାଙ୍କ ଫାଇଲ୍‌ କୁଆଡ଼େ ପୁଟ୍‌-ଅପ୍‌ ହୋଇଛି। କିନ୍ତୁ ବାସ୍‌ ସେତିକି। ଆଉ ଫାଇଲ୍‌ ଆଗେଉନି। ଇତି ମଧ୍ୟରେ ବିଭିନ୍ନ ବିଭାଗରେ ଲିଟୁଙ୍କ ଭଳି ଥଇଥାନ ନିଯୁକ୍ତି ସଂପର୍କିତ ଅନେକ ମାମଲାର ଫଇସଲା ହୋଇସାରିଲାଣି। ବିଧବା ହୁଅନ୍ତୁ ବା ତାଙ୍କ ପୁଅ, ଝିଅ ସରକାରୀ ନିଯୁକ୍ତି ପାଇଲେଣି।

ଉଲ୍ଲେଖଯୋଗ୍ୟ, ଲିଟୁଙ୍କ ଅଭିଯୋଗ ଆଧାରରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ତାଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ମଧ୍ୟ ଗୃହ ବିଭାଗକୁ ନିର୍ଦେଶ ଦିଆଯାଇଥିଲା।ଏଭଳି ଦୁଃଖଦ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଯାଉନାହିଁ। ନଚେତ୍‌ ତାଙ୍କ ପରିସ୍ଥିତି ବଦଳିଥାନ୍ତା ନିଶ୍ଚୟ ବୋଲି ବିଧବା ମହିଳା ଜଣକ କହିଛନ୍ତି। ସେ ପଟେ ଗୃହ ବିଭାଗର ସଂପୃକ୍ତ ଅଧିକାରୀ ଉଦ୍ଦେଶ୍ୟକୃତ ଭାବେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତି କଳଙ୍କିତ କରିବାକୁ ଏହା ଚକ୍ରାନ୍ତ ନୁହେଁ କି ବୋଲି ଲିଟୁ ପ୍ରଶ୍ନ କରୁଛନ୍ତିି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe