ଟ୍ରେନ୍‌ରୁ ଖସି ହାତଗୋଡ଼ ହରାଇଲେ ମା’, ଝିଅ

Advertisment

ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ। କୋରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଥିବା ‌ବେଳେ ଉଭୟଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ। କୋରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଥିବା ‌ବେଳେ ଉଭୟଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Train

ରାୟଗଡ଼ା: ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ଅଘଟଣ। କୋରବା ଏକ୍ସପ୍ରେସ୍‌ରେ ଚାପି ହୋଇ ମା’ ଓ ୪ ବର୍ଷର ଶିଶୁକନ୍ୟା ଗୁରୁତର ହୋଇଥିବା ‌ବେଳେ ଉଭୟଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଟିଟିଲାଗଡ଼ କାନିଝୁରିର ଚୈତନ୍ୟ ଚନ୍ଦନା ପତ୍ନୀ ରତିକା ଓ ୪ବର୍ଷର ଶିଶୁକନ୍ୟା ହସ୍ତିନାଙ୍କ ସହିତ ଦୁଇଦିନ ତଳେ ରାୟଗଡ଼ା ବ୍ଲକ ପେଣ୍ଟା ପଞ୍ଚାୟତର ଜିଞ୍ଜିଲିବାଡ଼ିରେ ରହୁଥିବା ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଆସିଥିଲେ। ଆଜି ରାତି ପ୍ରାୟ ୩ଟାରେ ନିଜ ଗାଁକୁ ଯିବା ପାଇଁ ସମସ୍ତେ ରାୟଗଡ଼ା ଷ୍ଟେସନ୍‌ରେ ଅପେକ୍ଷା କରିଥିଲେ। ବିଶାଖାପାଟଣା-କୋରବା ଲିଙ୍କ୍‌ ଏକ୍ସପ୍ରେସ୍‌ ଆସିବା ପରେ ଚନ୍ଦନାଙ୍କ ପତ୍ନୀ ନିଜ ୪ବର୍ଷର ଝିଅକୁ ଧରି ଚଳନ୍ତା ଟ୍ରେନ୍‌ରେ ଚଢ଼ିବା ବେଳେ ତଳକୁ ଖସି ପଡ଼ିଥିଲେ। ଫଳରେ ଟ୍ରେନ୍‌ ଚକା ତଳେ ପଡ଼ି ରତିକାଙ୍କ ଦୁଇଟି ହାତ ଓ ଗୋଟିଏ ଗୋଡ଼ କଟି ଯାଇଥିବା ବେଳେ ବାମ ଗୋଡ଼ ଭାଙ୍ଗି ଯାଇଥିଲା। ସେହିପରି ହସ୍ତିନାଙ୍କ ଡାହାଣ ହାତ ଓ ଗୋଡ଼ କଟି ଯାଇଥିଲା। ଜିଆରପି ପୁଲିସ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। 

ରାସ୍ତା କଡ଼ରୁ ଶିଶୁର କଟାହାତ ଉଦ୍ଧାର 
ଚାନ୍ଦିଲି ଥାନା ଅନ୍ତର୍ଗତ ଅମଲାଭଟା ଛକରୁ ଥେରୁବାଲି ଯିବା ମୁଖ୍ୟ ରାସ୍ତାର କଡ଼ରୁ ଏକ ଶିଶୁର କଟା ହାତ ଓ ଏକ ବ୍ୟାଗ୍‌ ଜବତ କରିଛି ପୁଲିସ। ଅମଲାଭଟା ଛକରେ ଥିବା ବିଦ୍ୟାଳୟ ସମ୍ମୁଖ ରାସ୍ତା କଡ଼ରେ ଆଜି ଅପରାହ୍ନରେ ପଡିଥିବା କଟା ହାତକୁ ଦେଖି ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇଥିବା ବେଳେ ଏହି କଟା ହାତ କାହାର ଏବଂ ଏହି ସ୍ଥାନକୁ କିଭଳି ଆସିଲା ସେ ନେଇ ଚର୍ଚ୍ଚା ଜୋର ଧରିଛି। ଆଜି ବିଳମ୍ବିତ ରାତିରେ ସିଙ୍ଗାପୁର ରୋଡ୍‌ ଷ୍ଟେସନରେ ଏକ ଟ୍ରେନ୍‌ ଦୁର୍ଘଟଣାରେ ମା’ ଓ ଝିଅ ଗୁରୁତର ହୋଇଥିଲେ। ଝିଅର ଗୋଟିଏ ହାତ ଓ ଗୋଟିଏ ଗୋଡ୍ ସଂପୂର୍ଣ୍ଣ ଭାବେ କଟି ଯାଇଥିଲା। ଉଭୟଙ୍କୁ ଆରପିଏଫ୍‌  ଏବଂ ଜିଆରପି ପୁଲିସ ଉଦ୍ଧାର କରିବା ପରେ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି। ଘଟଣାସ୍ଥଳରୁ ମିଳିଥିବା ହାତଟି ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇଥିବା ଶିଶୁକନ୍ୟାର ବୋଲି ପୁଲିସ ଅନୁମାନ କରୁଛି।

ଶିଶୁକନ୍ୟାର ଅନ୍ୟ ହାତରେ ଥିବା ଚୁଡ଼ି ଅନୁରୂପ କଟା ହାତର ଚୁଡ଼ି ସହ ମେଳ ଖାଉଛି। ତେବେ ଏଠାରେ ପ୍ରଶ୍ନ ଉଠେ ଯେ, ଯଦି ଗୁରୁତର ହୋଇଥିବା ଶିଶୁ କନ୍ୟାକୁ ରେଳବାଇ ପୁଲିସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ କଟି ଯାଇଥିବା ସମସ୍ତ ଅଙ୍ଗ ମେଡିକାଲରେ ଦେଇ ଆସିଥିଲେ ତେବେ ମିଳିଥିବା ହାତଟି କିଭଳି ଏଠାକୁ  ଆସିଲା ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆରପିଏଫ୍‌ ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି କଟା ହାତକୁ ନିରୀକ୍ଷଣ କରିଥିବା ବେଳେ ଗୁରୁତରଙ୍କୁ ସିଙ୍ଗାପୁର ରୋଡ୍ ଷ୍ଟେସନରୁ ଉଦ୍ଧାର କରି ରାୟଗଡ଼ା ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇବା ଆମ ଦାୟିତ୍ୱ ଥିଲା। ସେଠାରୁ ଉଭୟଙ୍କୁ ପରିବାର ଲୋକ ବ୍ରହ୍ମପୁର ନେଇଥିବା ବେଳେ କଟା ହାତ ରାସ୍ତା କଡ଼ରୁ ମିଳିବା ସଂପର୍କରେ ଆମେ କିଛି ଜାଣି ନଥିବା ଆରପିଏଫ୍‌ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପଟେ ମିଳିଥିବା କଟା ହାତ ଆରପିଏଫ୍‌କୁ ହସ୍ତାନ୍ତର କରାଯିବ ବୋଲି ଚାନ୍ଦିଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe