୩ ନବଜାତକଙ୍କ ମଧ୍ୟରୁ ଦୁଇଙ୍କୁ ବିକୁଥିଲା ମା’

ବଡ଼ ମେଡିକାଲ୍‌ରେ ଶିଶୁ ବିକ୍ରି ଉଦ୍ୟମ

୩ ନବଜାତକଙ୍କ ମଧ୍ୟରୁ ଦୁଇଙ୍କୁ ବିକୁଥିଲା ମା’

କଟକ: କଟକ ବଡ଼ ମେଡିକାଲରେ ଗତକାଲି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଜଣେ ମା’ ତା’ର ଦୁଇ ନବଜାତ ଶିଶୁ କନ୍ୟାଙ୍କୁ ବିକି ଦେବାକୁ ଉଦ୍ୟମ କରୁଥିବା ବେଳେ ଧରାପଡ଼ିଛି। ବିକ୍ରି ପାଇଁ ବେଆଇନ ଢଙ୍ଗରେ କାଗଜପତ୍ର ପ୍ରସ୍ତୁତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ଓ ଚାଇଲ୍‌ଡ ଲାଇନ୍‌ ପକ୍ଷରୁ ଚଢଉ କରାଯାଇଛି। ଉତ୍କଟ ଆର୍ଥିକ ସମସ୍ୟା ଯୋଗଁ ମା’ ଏଭଳି କାଣ୍ଡ କରିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳର ଶଶିକାନ୍ତ ଲେଙ୍କାଙ୍କ ସ୍ତ୍ରୀ ସଂଜୁଲତା ବଡ଼ ମେଡିକାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ଵାର୍ଡରେ ଗତ ୨୯ ତାରିଖରେ ତିନିଟି ଶିଶୁ କନ୍ୟା ଜନ୍ମ ଦେଇଥିଲେ। ପୂର୍ବରୁ ତାଙ୍କର ଗୋଟିଏ ୬ ବର୍ଷର ଓ ଗୋଟିଏ ୩ ବର୍ଷର ଝିଅ ଥିଲା । ପୁଣି ୩ଟି ଝିଅ ଜନ୍ମ ହେବାରୁ ତାଙ୍କୁ ବିକି ଦେବା ପାଇଁ ସଂଜୁଲତାଙ୍କ ପକ୍ଷରୁ କଟକର ଜଣେ ମହିଳାଙ୍କ ସହିତ ଯୋଗାଯୋଗ କରାଯାଇଥିଲା। ସମ୍ପୃକ୍ତ ମହିଳା ଜଣକ ଗତକାଲି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଓ୍ଵାଡ୍‌ର୍ରେ ପହଞ୍ଚିଥିଲେ। ୩ଟିରୁ ଦୁଇଟି ନବଜାତ ଶିଶୁ କନ୍ୟାଙ୍କୁ ବିକ୍ରି କରିବାକୁ ମୂଲ୍‌ଚାଲ ହୋଇଥିଲା। ସମ୍ପୃକ୍ତ ମହିଳାଙ୍କ ଜଣେ ସଂପର୍କୀୟ ହାଇକୋର୍ଟ ଛକ ନିକଟରେ ଏଥିପାଇଁ ବଣ୍ଡ୍‌ ପେପର୍‌ କିଣିଥିଲେ। ଘଟଣା ସଂପର୍କରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଆଇନଜୀବୀ ବିପିନ ଚୌଧୁରୀ ଖବର ପାଇଥିଲେ। ସେ ଏ ସମ୍ପର୍କରେ ସେ ଚାଇଲ୍ଡ ଲାଇନ୍‌ ସଂଯୋଜକ ନାରାୟଣ ଶୁକ୍ଳାଙ୍କୁ ଯୋଗାଯୋଗ କରିଥିଲେ। ଚାଇଲ୍ଡ ଲାଇନ୍‌ ପ୍ରତିନିଧି ଏ ସଂପର୍କରେ ମଙ୍ଗଳାବାଗ ଥାନା ପୁଲିସର ସହାୟତା ନେଇ ବଡ଼ ମେଡିକାଲ୍‌ରେ ପହଞ୍ଚିଥିଲେ। ସେହି ସମୟରେ ଶିଶୁ ଦୁଇଟିକୁ କିଣିବାକୁ ଆସିଥିବା ମହିଳା ଜଣକ ସେଠାରୁ ଫେରାର ହୋଇଯାଇଥିଲେ। କଟକ ଡିସିପିଓ ପ୍ରଗତୀ ମହାନ୍ତି ଏ ସମ୍ପର୍କରେ ଆଜି ଭଦ୍ରକ ଡିସିପିଓଙ୍କ ସହିତ ଯୋଗାଯୋଗ କରିିଛନ୍ତି। ନବଜାତ ଶିଶୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲ୍ଲା ପ୍ରଶାସନ ନିଜ ହେପାଜତକୁ ନେବା ସହିତ ଥଇଥାନ ଦାୟିତ୍ୱ ଗ୍ରହଣ କରିବ ବୋଲି ଶ୍ରୀମତି ମହାନ୍ତି ସୂଚନା ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe