ରାଇଘର : ବନ୍ଦ ଘରୁ ମା, ପୁଅଙ୍କ ଗଳିତ ଶବ ଉଦ୍ଧାର

ରାଇଘର : ବନ୍ଦ ଘରୁ ମା, ପୁଅଙ୍କ ଗଳିତ ଶବ ଉଦ୍ଧାର

Pratidin Time

ରାଇଘର : ବହୁ ଦିନ ଧରି ପୁଅ ରୋଗରେ ଆକ୍ରାନ୍ତ ଥିଲା। ଚିକିତ୍ସା ସତ୍ତ୍ବେ ଭଲ ହେଉ ନଥିବାରୁ ଚିନ୍ତାରେ ଥିଲେ ବୃଦ୍ଧା ମା। ଶେଷରେ ଆଜି ଉଭୟଙ୍କ ଗଳିତ ଶବ ବନ୍ଦ ଘରୁ ମିଳିଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ କୁମୁଲି ପଞ୍ଚାୟତ ଅନ୍ତର୍ଗତ ଜାମଦୋରା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଉଭୟଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନାହିଁ। ତେବେ ରୋଗାଗ୍ରସ୍ତ ପୁଅର ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡ଼ିଥିବା ମା ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ଏହି ଘଟଣା ଗ୍ରାମବାସୀଙ୍କୁ ସ୍ତବ୍ଧ କରି ଦେଇଛି।

ସୂଚନା ଅନୁଯାୟୀ, ଉପରୋକ୍ତ ଗାଁର ସାଇବନି ହରିଜନ (୬୭) ଏବଂ ପୁଅ ତୁଳସୀରାମ ହରିଜନ (୪୫) ଏକାଠି ରହୁଥିଲେ। ତେବେ କିଛି ବର୍ଷ ତଳେ ତୁଳାସୀରାମ ରୋଗରେ ପଡ଼ି ଚିକିତ୍ସା ସତ୍ତ୍ବେ ଆଉ ଭଲ ହୋଇ ନଥିଲେ। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। କିଛି ଦିନ ତଳେ ପୁଣି କାମଳ ରୋଗରେ ପଡ଼ିବାରୁ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ସେଠାରୁ ଫେରିବା ପରେ ଉଭୟଙ୍କୁ ଗାଁରେ କେହି ଦେଖି ନଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଗାଁର ଶେଷ ମୁଣ୍ଡରେ ଏମାନଙ୍କ ଘର ରହିଥିବାରୁ ଗ୍ରାମବାସୀଙ୍କ ସହ ବି ବିଶେଷ ମିଳାମିଶା ନଥିଲା। ଏମିତି ସ୍ଥିତିରେ ଦୁହିଁଙ୍କ ଉପସ୍ଥିତି ସଂପର୍କରେ କେହି ସେତେଟା ଗୁରୁତ୍ବ ଦେଇ ନଥିଲେ। ଅନ୍ୟପଟେ ଘର ଭିତର ପଟୁ ବନ୍ଦ ରହିଥିବା ବେଳେ ଦୁଇ ଦିନ ହେଲା ମା କିମ୍ବା ପୁଅ ଘରୁ ଆଦୌ ବାହାରି ନଥିଲେ। ତେଣୁ ସନ୍ଦେହ ହେବାରୁ ଆଜି ସକାଳେ ସେହି ଗାଁର ରଘୁପତି ହରିଜନ କୁଡ଼ିଆ ଘର କବାଟ ବାଡ଼େଇଥିଲେ। କିନ୍ତୁ କେହି କବାଟ ଖୋଲି ନଥିବା ବେଳେ କିଛି ସମୟ ପ୍ରୟାସ କରିବାରୁ ଆପେ ଆପେ କବାଟ ଖୋଲି ଯାଇଥିଲା। ଆଉ ଘର ଭିତରେ ରଘୁପତି ଯେଉଁ ଦୃଶ୍ୟ ଦେଖିଲେ ସେଥିରେ ଚକିତ ହେବା ସହ ବିବ୍ରତ ହୋଇ ଯାଇଥିଲେ।

ଘର ଭିତରେ ଗୋଟିଏ ଦଉଡ଼ିରେ ସାଇବନିଙ୍କ ଶବ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ଏନେଇ ଗାଁର ଅନ୍ୟମାନଙ୍କୁ ଖବର ଦେବାରୁ ପୁଅ ତୁଳସୀରାମଙ୍କୁ ଖୋଜାଖୋଜି କରାଯାଇଥିଲା। ଶେଷରେ ସାଇବନି ଝୁଲୁଥିବା କଠୋରିର ପାଖ ଘରୁ ହିଁ ତୁଳସୀରାମଙ୍କ ଶବ ଠାବ କରାଯାଇଥିଲା। ଏ ନେଇ ସୂଚନା ଦେବାରୁ ରାଇଘର ଥାନା ଅଧିକାରୀ ଅଭୟ ବେହେରା ପହଞ୍ଚି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଉଭୟ ଶବ ଗଳିତ ଅବସ୍ଥାରେ ରହିଥିବା ବେଳେ ଦୁଇ ଦିନ ତଳେ ତୁଳସୀରାମଙ୍କ ଏବଂ ପୁଅର ମୃତ୍ୟୁର କିଛି ଘଣ୍ଟା ପରେ ମା ସାଇବନିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଗ୍ରାମବାସୀ ବି ଉଭୟଙ୍କ ମୃତ୍ୟୁ ସଂପର୍କରେ ଠିକ୍ ରୂପେ କିଛି ପାରୁ ନାହାନ୍ତି। ତଥାପି ପୁଅ ରୋଗାକ୍ରାନ୍ତ ଥିଲା ଏବଂ ହଠାତ୍ ପୁଅର ମୃତ୍ୟୁ ଯୋଗୁଁ ବୃଦ୍ଧା ମା ଅସହାୟ ମନେ କରି ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି। ପୁଲିସ କେଶ୍ ନମ୍ବର ୬୨/୨୦୨୦ ଓ ୬୩/୨୦୨୦ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe