ମା’କୁ ନିର୍ଯାତନା ଓ ଅବହେଳା ଖବର ଆଉ ନ ଆସୁ: ସୌମ୍ୟ

Advertisment

ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ମାତୃ ଦିବସ ବାର୍ତ୍ତା ପ୍ରତିଯୋଗିତା ପୁରସ୍କାର ବିତରଣ ସମାରୋହ

ମା’କୁ ନିର୍ଯାତନା ଓ ଅବହେଳା ଖବର ଆଉ ନ ଆସୁ: ସୌମ୍ୟ

ଭୁବନେଶ୍ବର : ସମ୍ପ୍ରତି ମା’ ବାପାଙ୍କ ପ୍ରତି ଦୁର୍ବ୍ୟବହାର, ସେମାନଙ୍କୁ ନିଜ ସନ୍ତା‌ନମାନଙ୍କଠାରୁ ମିଳୁଥିବା ନିର୍ଯାତନା ଓ ଅବହେଳାର ଘଟଣା ବେଶି ଦେଖିବାକୁ ମିଳୁଛି। ଖବରକାଗଜ ପୃଷ୍ଠାରେ ଏଭଳି ଖବର ସକାଳୁ ସକାଳୁ ମନକୁ ଭାରାକ୍ରାନ୍ତ କରୁଛି। ଏଭଳି ଖବର ଆଉ ଛାପିବାକୁ ନ ପଡ଼ୁ। ଏ ସବୁ ଆଉ ଆମକୁ ଭାରାକ୍ରାନ୍ତ ନକରୁ। ମା’କୁ ଉଚିତ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ମିଳୁ। ଆଜି ବିଶ୍ବ ମାତୃଦିବସରେ ସମସ୍ତେ ଏହି ବଜ୍ର ଶପଥ ନେବା ଉଚିତ। ଆଜି ଜୟଦେବ ଭବନଠାରେ ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ବିଶ୍ବ ମାତୃ ଦିବସ’ ବାର୍ତ୍ତା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି।

publive-image
ଏହି ଅବସର‌ରେ ସେ ଆହୁରି କହିଛନ୍ତି ଯେ ମା’ର ବିକଳ୍ପ ନାହିଁ। ମା’ ଓ ବାପା ହେଉଛନ୍ତି ଈଶ୍ବରଙ୍କ ପ୍ରତିନିଧି। ସନ୍ତାନକୁ ଶିକ୍ଷାଦିକ୍ଷା, ସଂସ୍କାର ଦେଇ ମା’ ନିଜ କର୍ତ୍ତବ୍ୟ ସମାପନ କରେ। ପ୍ରତିବଦଳରେ ମା’ର ବି କିଛି ପାଇବାର ଅଧିକାର ରହିଛି। ଏହି ଅଧିକାର କେଉଁ ସନ୍ତାନ କେତେ ପରିମାଣରେ ମା’କୁ ଦେଉଛନ୍ତି, ତାହା ନିଜେ ନିଜେ ଆ‌ତ୍ମସମୀକ୍ଷା କରିବା ଉଚିତ। ‘ସମ୍ବାଦ’ର ସମ୍ପାଦକ (ଫିଚର୍‌) ତଥା କଥାକାର ଗୌରହରି ଦାସ ସମସ୍ତଙ୍କ ଜୀବନରେ ମା’ ଆଶୀର୍ବାଦର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ। ମା’ଙ୍କ ଆଶୀର୍ବାଦ ଥିଲେ ମରଶରୀରରେ ବି ଜୀବନ ଭରିଯାଏ। ମାତୃଭକ୍ତିର ଶ୍ରେଷ୍ଠ ନିଦର୍ଶନ ଭଗବାନ ଶ୍ରୀ ଗଣେଶଙ୍କ ଉପାଖ୍ୟାନରୁ ଆମେ ଏହା ବେଶ୍‌ ଭଲ ଭାବେ ଜାଣିପାରିବା। ସେଥିପାଇଁ ସେ ଅଗ୍ରପୂଜ୍ୟ। ଭାରତୀୟ ସଂସ୍କୃତି, ପରମ୍ପରା ଓ ପୌରାଣିକ କଥାବସ୍ତୁ ମା’କୁ ସମ୍ମାନ ଦେଇଆସିଛି। ପୂର୍ବରୁ ସନ୍ତାନ ସବୁବେଳେ ମା’ ନାମରେ ପରିଚିତ ହେଉଥିଲେ। ପାର୍ବତୀନନ୍ଦନ, ଅଞ୍ଜନୀପୁତ୍ର, ଯଶୋଦାନନ୍ଦନ, ପାଣ୍ଡବଙ୍କୁ କୌନ୍ତେୟ ଓ ଭୀଷ୍ମଙ୍କୁ ଗଙ୍ଗାପୁତ୍ର କୁହାଯାଉଥିଲା ବୋଲି ପୌରାଣିକ ଉପାଖ୍ୟାନ ଛଳରେ ସେ କହିଥିଲେ।

publive-image

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ ଗ୍ରୁପ୍‌’ର ପରିଚାଳନା ନିର୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପ୍ରତିବର୍ଷ ‘ସମ୍ବାଦ’ ପକ୍ଷରୁ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବା ବେଳେ ‌ଚଳିତ ବର୍ଷ କିଛି ଦେୟ ଦେଇ ମା’ ପାଇଁ ବାର୍ତ୍ତା ଲେଖିଥିବାରୁ ପ୍ରତିଯୋଗୀମାନଙ୍କୁ ସାଧୁବାଦ ଜଣାଇଥିଲେ। ‘ସମ୍ବାଦ ଗ୍ରୁପ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ ଯେ ପ୍ରତିଦିନ ହେଉଛି ମା’ର ଦିନ। ପ୍ରତିଦିନ ମା’ଟିଏ ତା’ ସନ୍ତାନକୁ ଓ ସନ୍ତାନ ତା’ ମା‌’କୁ ମନେ ପକାଇଥାଏ। ଆମେରିକାର ଏକ କୁନି ଝିଅ ଆନ୍ନାର ପ୍ରୟାସରେ ମା’ ପାଇଁ ସମର୍ପିତ ମାତୃ ଦିବସ ଏବେ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ସେ କହିଥିଲେ।

publive-image

୮୩ ବିଜେତାଙ୍କୁ ଆକର୍ଷଣୀୟ ପୁରସ୍କାର
‘ବିଶ୍ବ ମାତୃ ଦିବସ’ ବାର୍ତ୍ତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୧୯୩ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୮୩ ଜଣ ବିଜୟୀଙ୍କୁ ଲକି ଡ୍ର’ ମାଧ୍ୟମରେ ବଛାଯାଇଥିଲା। ପ୍ରଥମ ଲକି ଡ୍ର’ ଜିତି ଖୋର୍ଧା ବୋଲଗଡ଼ର ରଶ୍ମିତା ବଳବନ୍ତରାୟ ପୁରସ୍କାରସ୍ବରୂପ ମାଇକ୍ରୋୱେଭ୍‌ ଜିତିଥିଲେ। ସେହିଭଳି ଭୁବନେଶ୍ବର ଲକ୍ଷ୍ମୀସାଗରର ଶ୍ରୀୟା ଦାସ ଦ୍ବିତୀୟ ବିଜେତା ଭାବେ କୁଲର୍‌ ଓ ରଘୁନାଥପୁର(ଭୁବନେଶ୍ବର)ର ମଧୁସ୍ମିତା ମହାନ୍ତି ତୃତୀୟ ବିଜେତା‌ ଭାବେ ହାତ ଘଣ୍ଟା ପୁରସ୍କାର ପାଇଥିଲେ। ଅବଶିଷ୍ଟ ୮୦ଜଣଙ୍କୁ ଷ୍ଟାବ୍‌ଲାଇଜର୍‌, ସୁନା ମୁଦ୍ରା, ଡିନର୍‌ ସେଟ୍‌, ଦର୍ଶିନୀ ନ୍ୟୁଟ୍ରିମେଣ୍ଟସ୍‌, ରୁପା ମୁଦ୍ରା ଓ ଆଇରନ୍‌ ଆଦି ଉପହାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ‌ରେ କୋର୍‌ ଇଣ୍ଡିଆର ରଶ୍ମିରଞ୍ଜନ ପାତ୍ର, ପାତ୍ର କ୍ୟାଟର୍ସର ସୋନାଲି ଶତପଥୀ, ରିସ୍ତା ପକ୍ଷରୁ ସୁବ୍ରତ ପତି, ଭେଗୋ ପକ୍ଷରୁ ରୋଶନ ପଣ୍ଡା, ଦର୍ଶିନି ନ୍ୟୁଟ୍ରିମେଣ୍ଟସ୍‌ ପକ୍ଷରୁ ସଂଘମିତ୍ରା ସୁବୁଦ୍ଧି ଓ ରୁଚିର ମାନବ ସମ୍ବଳ ମୁଖ୍ୟ ଅମ୍ବନୀଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସୋମା ମହାପାତ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ କଣ୍ଠଶିଳ୍ପୀ ରଞ୍ଜନ ପଣ୍ଡାଙ୍କ ମେରି ମା... ଗୀତ ଦର୍ଶକଙ୍କୁ ବିହ୍ବଳିତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe