YouTube
କଟକ : ମଙ୍ଗଳାଯୋଡ଼ିରେ ମଟର ବୋଟ୍ ଚାଲିବା ଓ ବିଦେଶାଗତ ପକ୍ଷୀଙ୍କୁ ରାଜ୍ୟ ଅତିଥି ମାନ୍ୟତା ପ୍ରସଙ୍ଗରେ ଶୁକ୍ରବାର ଦିନ ସିଡିଏ ମୁଖ୍ୟ ନିର୍ବାହୀ ସୁଶାନ୍ତ କୁମାର ନନ୍ଦ, ଚିଲିକା ଚିଲିକା ବନ୍ୟଜନ୍ତୁ ଡିଭିଜନ ଡିଏଫ୍ଓ ଶରତ ମିଶ୍ର ଓ ଜିଲ୍ଲା ମତ୍ସ୍ୟ ବିଭାଗ ଅଧିକାରୀ ଶଶାଙ୍କ ସାହୁ ହାଇକୋର୍ଟରେ ହାଜର ହୋଇଛନ୍ତି। ୩ ଅଧିକାରୀ ଭର୍ଚୁଆଲ ମୋଡ଼ରେ ହାଜର ହୋଇଛନ୍ତି।
ଶୁଣାଣି ସମୟରେ ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ଜଷ୍ଟିସ୍ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳାଯୋଡିରେ ମଟର ବୋଟ୍ ଚଳାଚଳ କଟକଣା ପ୍ରସଙ୍ଗ ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ପ୍ରସଙ୍ଗରେ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ) ମୁଖ୍ୟ ନିର୍ବାହୀ ତୁରନ୍ତ ମଙ୍ଗଳାଯୋଡ଼ି ଅଞ୍ଚଳର ମତ୍ସ୍ୟଜୀବୀ ସମୁଦାୟ ସହିତ ଆଲୋଚନା କରିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ । ଏଥିସହିତ, ସିଡିଏ ମୁଖ୍ୟ ନିର୍ବାହୀ ତିନିଦିନ ଭିତରେ ମଙ୍ଗଳାଯୋଡ଼ି ଅଞ୍ଚଳ ଗସ୍ତ କରି ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବେ। ମଙ୍ଗଳାଯୋଡ଼ି ପାରି ହେବାବେଳେ ମତ୍ସ୍ୟଜୀବୀମାନେ ଯେପରି ମଟର ବୋଟ୍ ବ୍ୟବହାର ନ କରନ୍ତି, ସେ ନେଇ ସେମାନଙ୍କୁ ଅବଗତ କରାଯିବ। ଏଭଳି ପ୍ରତିଷେଧକ ବ୍ୟବସ୍ଥା ରାଜ୍ୟର ଅନ୍ୟ ପକ୍ଷୀ ଅଭୟାରଣ୍ୟରେ ମଧ୍ୟ ଲାଗୁ ପ୍ରସଙ୍ଗରେ ସିଡିଏ ମୁଖ୍ୟ ନିର୍ବାହୀ ଅନୁଧ୍ୟାନ କରିବେ ବୋଲି ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ ନେଇ ସିଡିଏ ମୁଖ୍ୟ ନିର୍ବାହୀ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ସମୟରେ ୩ ଅଧିକାରୀଙ୍କୁ ମଧ୍ୟ ଭର୍ଚୁଆଲ ମୋଡ୍ରେ ଉପସ୍ଥିତ ରହିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧୮କୁ ଧାର୍ଯ୍ୟ କରିଛନ୍ତି।
ଶୁକ୍ରବାର ଦିନ ଫେବ୍ରୁଆରି ୮ର ନିର୍ଦ୍ଦେଶ ଅନୁସାରେ ମାମଲାର ଶୁଣାଣି ସମୟରେ ସିଡିଏ ମୁଖ୍ୟ ନିର୍ବାହୀ ଶ୍ରୀ ନନ୍ଦ, ଡିଏଫ୍ଓ ଶ୍ରୀ ମିଶ୍ର ଓ ମତ୍ସ୍ୟ ବିଭାଗ ଅଧିକାରୀ ଶ୍ରୀ ସାହୁ ହାଇକୋର୍ଟରେ ଭର୍ଚୁଆଲ ମୋଡ୍ରେ ହାଜର ହୋଇଥିଲେ। ଆବେଦନକାରୀ ଦେବକର ବେହେରାଙ୍କ ପକ୍ଷରୁ ଆଇନଜୀବୀ ଆଶିଷ କୁମାର ମିଶ୍ର ମାମଲା ପରିଚାଳନା କରୁଛନ୍ତି।
Follow Us