ଏମ୍‌ଓୟୁ ସ୍ବାକ୍ଷରିତ; ସ୍ବାସ୍ଥ୍ୟ ସେବା ପାଇଁ ଆଜି ଐତିହାସିକ ଦିନ: ମୁଖ୍ୟମନ୍ତ୍ରୀ

ବାଗ୍‌ଚୀ ଦମ୍ପତିଙ୍କ ଅବଦାନ ଅନେକଙ୍କୁ ପ୍ରେରଣା ଦେବ

ଏମ୍‌ଓୟୁ ସ୍ବାକ୍ଷରିତ; ସ୍ବାସ୍ଥ୍ୟ ସେବା ପାଇଁ ଆଜି ଐତିହାସିକ ଦିନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଭୁବନେଶ୍ୱର ଇନ୍‌ଫୋସିଟି-୨ ଅଞ୍ଚଳରେ କ୍ୟାନସର୍‌ ହସ୍ପିଟାଲ ଓ ଇନ୍ଫୋଭାଲି ନିକଟରେ ପ୍ରସ୍ତାବିତ ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆଜି ଆଉ ପାଦେ ଆଗକୁ ଯାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଦୁଇଟି ପୃଥକ୍ ପୃଥକ୍ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ସନ୍ଧ୍ୟାରେ ଲୋକସେବା ଭବନ ସମ୍ମେଳନ କକ୍ଷରେ ଏହି ପ୍ରକ୍ରିୟା ସମାହିତ ହୋଇଥିଲା।

ପ୍ରଥମ ବୁଝାମଣାପତ୍ର କ୍ୟାନସର୍ ହସ୍ପିଟାଲ ପାଇଁ କରାଯାଇଥିଲା; ଯେଉଁଥିରେ ରାଜ୍ୟ ସରକାର, ସୁସ୍ମିତା ବାଗ୍‌ଚୀ ଓ ଶ୍ରୀ ଶଙ୍କର କ୍ୟାନସର୍ ଫାଉଣ୍ଡେସନ୍ ଦସ୍ତଖତ କରିଥିଲେ। ଏହି କେନ୍ଦ୍ର ଓଡ଼ିଶା ତଥା ଦେଶର ପୂର୍ବାଞ୍ଚଳ ରାଜ୍ୟମାନଙ୍କୁ ବିଶ୍ବସ୍ତରୀୟ କର୍କଟ ଚିକିତ୍ସା ସୁବିଧା ଯୋଗାଇ ଦେବ।

ସେହିପରି ବାଗ୍‌ଚୀ କରୁଣାଶ୍ରୟ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠା ଲାଗି ହୋଇଥିବା ଦ୍ବିତୀୟ ବୁଝାମଣାପତ୍ରରେ ରାଜ୍ୟ ସରକାର, ଶ୍ରୀମତୀ ବାଗ୍‌ଚୀ ଏବଂ କରୁଣାଶ୍ରୟ ହସ୍‌ପିସ୍ ଟ୍ରଷ୍ଟ କର୍ତ୍ତୃପକ୍ଷ ଦସ୍ତଖତ କରିଥିଲେ।

publive-image

ଏସବୁ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେବାର ୪୮ ଘଣ୍ଟା ପରେ ବୁଝାମଣାପତ୍ର ସ୍ବାକ୍ଷର ହେବା ଏକ ଉଲ୍ଲେଖନୀୟ ଘଟଣା ବୋଲି କୁହାଯାଉଛି। ଉଭୟ ପ୍ରକଳ୍ପ ପାଇଁ ବାଗ୍‌ଚୀ ଦମ୍ପତି ୩୪୦କୋଟି ଟଙ୍କା ଆର୍ଥିକ ସହଯୋଗ ଯୋଗାଇଦେବେ ବୋଲି ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଯେ ଆଜି ରାଜ୍ୟରେ ସ୍ବାସ୍ଥ୍ୟସେବା ବିକାଶ କ୍ଷେତ୍ରରେ ଏକ ଐତିହାସିକ ଦିନ। ଦେଶର ଅନ୍ୟତମ ବୃହତ୍ତମ କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପ୍ରତିଷ୍ଠା ଦିଗରେ ଉଭୟ ସୁବ୍ରତ ବାଗ୍‌ଚୀ ଏବଂ ସୁସ୍ମିତା ବାଗ୍‌ଚୀଙ୍କ ଅବଦାନ ଅଭିନନ୍ଦନୀୟ। ଉଭୟଙ୍କର ଏହି କାର୍ଯ୍ୟ ଅନେକଙ୍କୁ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ଦାନ କରିବା ପାଇଁ ନିଶ୍ଚିତ ଭାବେ ଉତ୍ସାହିତ ଓ ପ୍ରେରଣା ପ୍ରଦାନ କରିବ। ସମାଜ ପାଇଁ ସେବାର ମହତ୍ତ୍ବ ଉପରେ ଆଲୋକପାତ କରି ଏହି ଅବସରରେ ମୁଖ୍ୟମନ୍ତ୍ରୀ ରବୀନ୍ଦ୍ର ନାଥ ଟାଗୋରଙ୍କ ମତକୁ ଉଦ୍ଧାର କରିଥିଲେ।

୫୦୦ ଶଯ୍ୟା ବିଶିଷ୍ଟ କ୍ୟାନସର୍ ହସ୍ପିଟାଲ କ୍ଷେତ୍ରରେ ଅଂଶୀଦାର ହୋଇଥିବା ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଶ୍ରୀ ଶଙ୍କର କ୍ୟାନସର୍ ହସ୍ପିଟାଲ ଓ ପାଲିଏଟିଭ୍ କେୟାର ସେଣ୍ଟର ପ୍ରତିଷ୍ଠାେର ସହଭାଗୀ ହୋଇଥିବା କାରଣରୁ କରୁଣାଶ୍ରୟ ହସ୍‌ପିସ୍ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ।

ଏହି ପଦକ୍ଷେପକୁ ସମର୍ଥନ ଜଣାଇ ମୁଖ୍ୟମନ୍ତ୍ରୀ ୨୦୨୪ ଜାନୁଆରି ସୁଦ୍ଧା ଏହି କେନ୍ଦ୍ରଗୁଡିକୁ କାର୍ଯ୍ୟକ୍ଷମ କରିବା ପାଇଁ ସରକାର ସମସ୍ତ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିଭଳି ‘ମୋ ସ୍କୁଲ’ ଏବଂ ‘ଦକ୍ଷତା ମିସନ’ମାଧ୍ୟମରେ ରାଜ୍ୟରେ ଯେଉଁ ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି, ସେଥିେର ସ୍ୱେଚ୍ଛାସେବୀ ଭାବେ ସାମିଲ ହୋଇଥିବାରୁ ବାଗ୍‌ଚୀ ଦମ୍ପତିଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ନବୀନ। ସେ କହିଥିଲେ ଯେ ସେମାନଙ୍କର ଦୟା ଏବଂ ପ୍ରତିବଦ୍ଧତା ତଥା ଉଦାର ଅବଦାନ ପ୍ରତିଫଳିତ ହୋଇଛି। ପ୍ରସ୍ତାବିତ ଚିକିତ୍ସା କେନ୍ଦ୍ର ମାଧ୍ୟମରେ ପ୍ରତିବର୍ଷ ହଜାର ହଜାର କର୍କଟ ରୋଗୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ।

publive-image

ଓଡ଼ିଶା ଲୋକଙ୍କ ସେବା ପାଇଁ ସୁଯୋଗ ମିଳିଥିବାରୁ ଓ ଓଡ଼ିଶାକୁ ଆମନ୍ତ୍ରଣ କରାଯାଇଥିବାରୁ ଶ୍ରୀ ଶଙ୍କର କର୍କଟ ହସପିଟାଲ ଏବଂ ଅନୁସନ୍ଧାନ କେନ୍ଦ୍ରର ପ୍ରତିଷ୍ଠାତା ତଥା ପରିଚାଳନା ଟ୍ରଷ୍ଟି ଡ. ଶ୍ରୀନାଥ ବି ଏସ୍ ଉଭୟ ମୁଖ୍ୟମନ୍ତ୍ରୀ ତଥା ବାଗ୍‌ଚୀ ଦମ୍ପତିଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, କର୍କଟ ଚିକିତ୍ସା ଅତ୍ୟନ୍ତ ବୈଷୟିକ ଜ୍ଞାନକୌଶଳ ଉପରେ ନିର୍ଭରଶୀଳ। ଯେ କୌଣସି ସାମାଜିକ ପୃଷ୍ଠଭୂମିରୁ ଆସିଥିଲେ ବି ସମସ୍ତଙ୍କୁ ସମାନ ଯତ୍ନ ନିଆଯିବାର ଆବଶ୍ୟକତା ରହିଛି। ସେହିଭଳି ବିପଦରେ ଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ରୋଗକୁ ନିୟନ୍ତ୍ରଣ ତଥା ପ୍ରତିଷେଧକ ପଦକ୍ଷେପ ଗ୍ରହଣ କରିବା ଏବଂ ସୁଖୀ, ସୁସ୍ଥ ସମାଜ ପାଇଁ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ଆବଶ୍ୟକ ବୋଲି ସେ ମତ ରଖିଥିଲେ।

କରୁଣାଶ୍ରୟ ହସ୍‌ପିସ୍ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ କିଶୋର ଏସ୍ ରାଓ କହିଥିଲେ ଯେ ଗରିବ ଲୋକ ଥରେ କର୍କଟ ରୋଗରେ ପୀଡିତ ହେଲେ ସବୁ ଦିଗରୁ ଅସହାୟ ହୋଇପଡନ୍ତି। ମୃତ୍ୟୁକୁ ସାମ୍ନା କରୁଥିବା ରୋଗୀଙ୍କ ଭାବନାତ୍ମକ ଏବଂ ମାନସିକ ଆବଶ୍ୟକତା ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି।

ସୁସ୍ମିତା ବାଗ୍‌ଚୀ କହିଥିଲେ ଯେ ଆଜି ତାଙ୍କ ପାଇଁ ଏବଂ ଶ୍ରୀ ବାଗ୍‌ଚୀଙ୍କ ଲାଗି ଏକ ଗଭୀର ଭାବପ୍ରବଣ ମୁହୂର୍ତ୍ତ। ଦକ୍ଷତା ବିକାଶ ଏବଂ ମୋ ସ୍କୁଲର ଦାୟିତ୍ବ ମାଧ୍ୟମରେ ଉଭୟଙ୍କୁ ସେମାନଙ୍କ ମାଟିକୁ ଫେରିବା ଲାଗି ସୁଯୋଗ ପ୍ରଦାନ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।

ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ ଓ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କ୍ୟାନସର୍‌ ପ୍ରତିଷ୍ଠାନ ନିର୍ଦେଶକ ଡାକ୍ତର ଲଲାଟେନ୍ଦୁ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉପଦେଷ୍ଟା ଆର୍‌ ବାଲକ୍ରିଷ୍ଣନ୍, ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍, ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe