୪୫ ମିନିଟ୍‌ ଆଗରୁ ମିଳିବ ବିଜୁଳି ସୂଚନା, ଆର୍ଥ ନେଟ୍‌ଓ୍ଵର୍କସ୍‌ ସହ ଓସ୍‌ଡମାର ଏମ୍‌ଓୟୁ

Advertisment
୪୫ ମିନିଟ୍‌ ଆଗରୁ ମିଳିବ ବିଜୁଳି ସୂଚନା, ଆର୍ଥ ନେଟ୍‌ଓ୍ଵର୍କସ୍‌ ସହ ଓସ୍‌ଡମାର ଏମ୍‌ଓୟୁ

photo by : United News Bangladesh

ଭୁବନେଶ୍ୱର : ଗତ କିଛି ବର୍ଷ ହେଲା ବିଜୁଳି ଜନିତ ବିପର୍ଯ୍ୟୟ ରାଜ୍ୟରେ ବିପଦଜ୍ଜନକ ଭାବେ ବଢ଼ିଚାଲିଛି। ଏହାକୁ ମୁକାବିଲା କରିବା ପାଇଁ ସରକାରୀ ସ୍ତରରେ ଅତ୍ୟାଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଉଛି। ଏଣିକି ବିଜୁଳି ମାରିବାର ୪୫ ମିନିଟ୍‌ ଆଗରୁ ସୂଚନା ମିଳିବ। ଫଳରେ ବହୁ ଧନଜୀବନ ରକ୍ଷା ହୋଇପାରିବ। ଏଥି ପାଇଁ ୟୁଏସ୍‌ଏର ସଂସ୍ଥା ‘ଆର୍ଥ ନେଟ୍‌ଓ୍ଵର୍କସ୍‌’ ସହ ଓସ୍‌ଡମାର ଆଜି ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି।

ବୁଝାମଣା ଅନୁଯାୟୀ ଆର୍ଥ ନେଟ୍‌ଓ୍ଵର୍କସ୍‌ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଲାଇଟେନିଂ ସେନ୍‌ସର୍‌ ସ୍ଥାପନ କରାଯିବ। ଫଳରେ ବିଜୁଳି ମାରିବାର ୪୫ ମିନିଟ୍‌ ଆଗରୁ ସୂଚନା ମିଳିଯିବ। ଏହା ସହ ଘୁର୍ଣ୍ଣିଝଡ଼, ବଜ୍ରପାତ ସମ୍ପର୍କରେ ମଧ୍ୟ ଆଗୁଆ ସୂଚନା ଦେବାରେ ଏହା ସହାୟକ ହେବ। ବିଜୁଳି ମାରିବା ଦ୍ୱାରା ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ, ତାହାର ଆକଳନ ଆଗୁଆ ହୋଇପାରିବ। ଫଳରେ ମୋବାଇଲ୍‌ ଆପ୍‌ ଓ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ସ୍ଥାନୀୟ ଲୋକମାନଙ୍କୁ ସତର୍କ କରାଇଦିଆଯିବ। ଏହା ଦ୍ୱାରା ସେମାନେ ନିଜର ଧନଜୀବନ ରକ୍ଷା କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରିବେ।

ଓସ୍‌ଡମା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜୁଳି ପାଇଁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୨୦୧୭-୧୮ରେ ରାଜ୍ୟରେ ୪୬୦ ଜଣ ଏଥିରେ ମୃତ୍ୟୁବରଣ କରିଛନ୍ତି। ଏହା ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ବିଜୁଳି ଜନିତ ମୃତ୍ୟୁକୁ ରାଜ୍ୟ ସରକାର ବିପର୍ଯ୍ୟୟ ତାଲିକାରେ ସ୍ଥାନ ଦେଇଛନ୍ତି। ଏଥି ପାଇଁ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଦିଆଯାଉଛି। ବିଭିନ୍ନ ଗଣମାଧ୍ୟମରେ ଏ ନେଇ ବ୍ୟାପକ ସଚେତନତା କରାଯିବା ସହ ଗ୍ରାମାଞ୍ଚଳରେ ପୋଷ୍ଟର୍‌ ଓ ଲିଫ୍‌ଲେଟ୍‌ ମଧ୍ୟ ବଣ୍ଟାଯାଉଛି।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତିଙ୍କ ଉପସ୍ଥିତିରେ ଆର୍ଥ ନେଟ୍‌ଓ୍ଵର୍କ ସହ ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଆର୍ଥ ନେଟ୍‌ଓ୍ଵାର୍କସ ସଂସ୍ଥା ଏହି କ୍ଷେତ୍ରରେ ବିଶେଷ ପାରିଦର୍ଶିତା ହାସଲ କରିଛି। ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟରେ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଏହି ସଂସ୍ଥାକୁ ନିୟୋଜନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe