ସାମ୍ବାଦିକ ଅରନ୍ଦିମ ଦାସଙ୍କ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ଶୋକ

ଅରିନ୍ଦମଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ବର : ସାମ୍ବାଦିକ ଅରନ୍ଦିମ ଦାସଙ୍କ ଅକାଳ ବିୟୋଗରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଗଭୀର ଶୋକ ପ୍ରକାଶ କରିଛନ୍ତି। ଦୁଃସାହସିକ ରିପୋର୍ଟିଂ ପାଇଁ ଅରିନ୍ଦମ ପରିଚିତ ଥିବା ବେଳେ ତାଙ୍କ ମୃତ୍ୟୁରେ ଓଡ଼ିଶା ସାମ୍ବାଦିକତା ଜଗତରେ ଅପରୂଣୀୟ କ୍ଷତି ହୋଇଛି ବୋଲି କହିଛନ୍ତି।

ରାଜ୍ୟପାଳ ପ୍ରଫେସର୍‌ ଗଣେଶୀ ଲାଲ ଅରିନ୍ଦମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତାରେ ରାଜ୍ୟପାଳ ଅରିନ୍ଦମଙ୍କ ପରିବାର ଓ ସହକର୍ମୀଙ୍କୁ ସ‌ମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସାମ୍ବାଦିକତା ଜଗତ ପାଇଁ ଏହା ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅରିନ୍ଦମଙ୍କ ଅକାଳ ବିୟୋଗକୁ ନେଇ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ସାମାଜିକ ଓ ରାଜନୈତିକ କାର୍ଯ୍ୟକ୍ରମରେ ଅରିନ୍ଦମଙ୍କ ସହ ବହୁବାର ଦେଖାସାକ୍ଷାତ ହୋଇଛି। ବିଭିନ୍ନ ସମୟରେ ଦୁଃସାହସିକ ରିପୋର୍ଟିଂ କରି ସେ ଓଡ଼ିଶା ଗଣମାଧ୍ୟମରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ। ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ପରିବାରବର୍ଗଙ୍କୁ ଅସୀମ ‌ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କହିଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଅରିନ୍ଦମଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୋକବାର୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ସାଧାରଣ ଖବରଠାରୁ ଆରମ୍ଭ କରି ବାତ୍ୟା କଭରେଜ୍‌ ଓ ରାଜନୈତିକ ଖବର ପରିବେଷଣରେ ତାଙ୍କର ନିଆରାପଣ ଥିଲା। ଖବର ପାଇଁ ଜୀବନକୁ ବାଜି ଲଗାଇ ଦିଅନ୍ତି। ତାଙ୍କ ବିୟୋଗ ରାଜ୍ୟ ସାମ୍ବାଦିକଜଗତ ପାଇଁ ଅପୂରଣୀୟ କ୍ଷତି ବୋଲି ସେ କହିଛନ୍ତି।

ରାଜ୍ୟ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମଧ୍ୟ ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟର ସାମ୍ବାଦିକତା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଶ୍ରୀ ମଙ୍ଗରାଜ ଅରିନ୍ଦିମଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ସମସ୍ତ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି। ସେହିପରି ମନ୍ତ୍ରୀ ସମୀର ରଂଜନ ଦାଶ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ପ୍ରତାପ ଜେନା, ମନ୍ତ୍ରୀ ରଘୁନନ୍ଦନ ଦାସ, ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବିଧାୟକ ସୌଭିକ ବିଶ୍ବାଳ, ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ କର୍ମଚାରୀ ନେତା ଶିବନାରାୟଣ ପ୍ରହରାଜ, ଗଗନ ଭଞ୍ଜ, ଆଶିଷ ନନ୍ଦ ଓ ଅନ୍ୟମାନେ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe