ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ

ଚାଷୀମୂଲିଆ ଓ ଖଟିଖିଆଙ୍କ ନେତା

ଭୁବନେଶ୍ବର : ଓଡ଼ିଶାରେ କମ୍ୟୁନିଷ୍ଟ ଆନ୍ଦୋଳନର ପ୍ରଖ୍ୟାତ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକପ୍ରକାଶ ପାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଶିବାଜୀ ପଟ୍ଟନାୟକ ଭୁବନେଶ୍ବର ସାଂସଦ ଥିବା ସମୟରେ ତାଙ୍କର ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସର୍ବଦା ସ୍ମରଣୀୟ ରହିବେ। ରାଜ୍ୟପାଳ ତାଙ୍କ ‌ପରିବାର ଓ ଆତ୍ମୀୟ ସ୍ବଜନଙ୍କୁ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି ଯେ ଜଣେ ରାଜନୈତିକ ଓ ସାମାଜିକ କାର୍ଯ୍ୟକର୍ତ୍ତା ଭାବେ ଜୀବନବ୍ୟାପୀ ଗରିବ ଓ ଅସହାୟ ଲୋକଙ୍କ ସଂଗ୍ରାମ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ପଟ୍ଟନାୟକଙ୍କୁ ସାମାଜିକ ନ୍ୟାୟର ପ୍ରବକ୍ତା ଭାବେ ଅଭିହିତ କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ବାମପନ୍ଥୀ ରାଜନୀତିରେ ଶୂନ୍ୟସ୍ଥାନ ସୃଷ୍ଟି ହେଲା। ସିପିଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ କହିଛନ୍ତି, କମ୍ରେଡ ପଟ୍ଟନାୟକ ଓଡ଼ିଶାର ମେହନତୀ ମଣିଷଙ୍କ ଯୋଦ୍ଧା ଥିଲେ। ଅଲ ଇଣ୍ଡିଆ ଫରଓ୍ବାର୍ଡ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର କହିଛନ୍ତି, ଏହି ବର୍ଷୀୟାନ ନେତା ଛାତ୍ର ଅବସ୍ଥାରୁ ମୃତ୍ୟୁ ପର୍ଯ୍ୟନ୍ତ ଅନନ୍ୟ ନେତା ଥିଲେ। ଓଡ଼ିଶାର ଚାଷୀ, ମୂଲିଆ, ଖଟିଖିଆ, ମେହେନତୀ ଜନସାଧାରଣ ତାଙ୍କର ଜଣେ ଲଢୁଆ ସଂଗ୍ରାମୀ ନେତାଙ୍କୁ ହରାଇଲେ ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe