ରାୟଗଡ଼ାରେ ହେବାକୁ ଯାଉଛି ଗଞ୍ଜାମ ପରିସ୍ଥିତି : ସ୍ୱତନ୍ତ୍ର ନୋଡାଲ୍ ଅଫିସର୍ ନିଯୁକ୍ତି ପାଇଁ ଦାବି କଲେ ସାଂସଦ

ରାୟଗଡ଼ାରେ ହେବାକୁ ଯାଉଛି ଗଞ୍ଜାମ ପରିସ୍ଥିତି : ସ୍ୱତନ୍ତ୍ର ନୋଡାଲ୍ ଅଫିସର୍ ନିଯୁକ୍ତି ପାଇଁ ଦାବି କଲେ ସାଂସଦ

ହୋମ୍ କ୍ୱାରାଣ୍ଟିନ୍, କଣ୍ଟେନମେଣ୍ଟ୍ ଜୋନ୍ ପରିଚାଳନାରେ ପ୍ରଶାସନ ବିଫଳ
ଡେପୁଟେସନରେ ଯାଇଥିବା ସବୁ ଡାକ୍ତରଙ୍କୁ ଫେରାନ୍ତୁ ସରକାର

ରାୟଗଡ଼ା : ରାୟଗଡ଼ାରେ ହେବାକୁ ଯାଉଛି ଗଞ୍ଜାମ ପରିସ୍ଥିତି। ହୋମ୍ କ୍ୱାରାଣ୍ଟିନ୍ ଓ କଣ୍ଟେନମେଣ୍ଟ୍ ଜୋନ୍ ପରିଚାଳନାରେ ପ୍ରଶାସନ ବିଫଳ ଯୋଗୁ ଜିଲ୍ଲାରେ ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ପରିସ୍ଥିତି ଅଣାୟତ୍ତ ହେଉଥିବାରୁ ଗଞ୍ଜାମ ଭଳି ରାୟଗଡ଼ା-କୋରାପୁଟକୁ ସରକାର ଗୁରୁତ୍ୱ ଦେଇ ଜଣେ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତି କରିବାକୁ ଦାବି ରଖିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା।

ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସାଂସଦ ଶ୍ରୀ ଉଲାକା ରାୟଗଡ଼ାରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି କହିଛନ୍ତି। ଗୋଷ୍ଠୀ ସଂକ୍ରମଣ ଅଭିଯୋଗକୁ ପ୍ରଶାସନ ଏଡାଉଥିବାରୁ ଜିଲ୍ଲାରେ ଆକ୍ରାନ୍ତ ହୋଇଥିବା ୪୨୩ ବ୍ୟକ୍ତି କ’ଣ ତାମିଲନାଡୁରୁ ଆସିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ସାଂସଦ। ଆମ୍ବାଗୁଡା ଗାଁରୁ ୮୦ରୁ ଉର୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ ପରେ କୋଭିଡ଼୍ ପରିଚାଳନାରେ ପ୍ରଶାସନର ଦୋଷ, ଦୁର୍ବଳତା ପଦାକୁ ଆସିଛି। ଏଣୁ ତ୍ରୁଟି ନ ସୁଧାରିଲେ ରାୟଗଡ଼ାରେ ଗଞ୍ଜାମ ପରିସ୍ଥିତି ଉପୁଜିବ ବୋଲି ସାଂସଦ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏଥି ସହିତ କେବିକେ ଅଞ୍ଚଳରୁ ଡେପୁଟେସନରେ ଯାଇଥିବା ସମସ୍ତ ଡାକ୍ତରଙ୍କୁ ସରକାର ତୁରନ୍ତ ଫେରାଇ ଦେବାକୁ ଦାବି ରଖିଛନ୍ତି ସାଂସଦ। କରୋନା ସମୟରେ ଚାଷୀଙ୍କ ବିଦ୍ୟୁତକାଟ କରାଯାଉଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଂସଦ କହିଛନ୍ତି।

publive-image Twitter

ଅନ୍ୟପକ୍ଷରେ କୋଭିଡ଼୍ ପରିଚାଳନା ପାଇଁ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଟଙ୍କା ରାୟଗଡ଼ା ଜିଲ୍ଲାକୁ ଦିଆଯାଇଥିବା ବେଳେ ଏଯାବତ୍ ତାହା ଖର୍ଚ୍ଚ ହୋଇ ପାରିନି। ଦାବି ମୁତାବକ, ଜେକେପୁର କୋଭିଡ଼୍ ହସପିଟାଲରେ ଆଇସିୟୁ ଓ ଭେଣ୍ଟିଲେଟର ସୁବିଧା ଉପଲବ୍ଧ ହୋଇଛି। ଅନ୍ୟ ସମସ୍ତ ଉପକରଣ ତୁରନ୍ତ କିଣାଯିବା ସହ ଅନୁଦାନ ଅର୍ଥ ଖର୍ଚ୍ଚ ନେଇ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ସମୀକ୍ଷା କରିବେ ବୋଲି ସାଂସଦ ସୂଚନା ଦେଇଛନ୍ତି। ଏହି ଅବସରରେ ସାଂସଦ ପାଣ୍ଠିରୁ ୧୮ ଲକ୍ଷ ବ୍ୟୟରେ କିଣା ଯାଇଥିବା ଆମ୍ବୁଲାନସର ଶୁଭାରମ୍ଭ କରିଥିଲେ ସାଂସଦ। ସାଂସଦଙ୍କ ଅଭିଯୋଗ ପରେ ଜିଲ୍ଲାରେ କରୋନା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକ। କୌଣସି ରୋଗୀ ଯେମିତି ଲୁଚି କି ରହିବେ ନାହିଁ ସେଥି ପାଇଁ କଣ୍ଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଛି। ୪/୫ ଦିନ ହେଲା ରାପିଡ୍ ଆଣ୍ଟିଜେନ୍ ଟେଷ୍ଟିଂ ଆରମ୍ଭ ହୋଇଛି। ଦୁଇ ହଟସ୍ପଟ୍ ଜିଲ୍ଲା ଗଂଜାମ, ଗଜପତିରୁ ବହୁ ଲୋକ ଜିଲ୍ଲାକୁ ଆସିବା ଯୋଗୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe