ସାଂସଦ ଲଡୁକିଶୋରଙ୍କ ଶେଷକୃତ୍ୟ ସମ୍ପନ୍ନ

ସାଂସଦ ଲଡୁକିଶୋରଙ୍କ ଶେଷକୃତ୍ୟ ସମ୍ପନ୍ନ

ଭଞ୍ଜନଗର/ଆସିକା : ବରିଷ୍ଠ ବିଜେଡି ନେତା ତଥା ଆସିକା ସାଂସଦ ଲଡୁକିଶୋର ସ୍ବାଇଁ(୭୧)ଙ୍କର ଦେହାନ୍ତ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୧ଟା ୪୫ ମିନିଟ୍‌ରେ ସେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।

ଲଡୁକିଶୋର କିଡ୍‌ନିଜନିତ ରୋଗରେ ଆକ୍ରାନ୍ତ ଥିଲେ। ଗତ ୪ ତାରିଖରେ ହଠାତ୍ ଅସୁସ୍ଥ ହେବାରୁ ତାଙ୍କୁ ଆପୋଲୋ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆଜି ତାଙ୍କର ମୃତ୍ୟୁ ସମ୍ପର୍କରେ ଜଣାପଡ଼ିବା ପରେ ଗଞ୍ଜାମ ଜିଲ୍ଲାରେ ଶୋକର ଛାୟା ଖେଳି ଯାଇଥିଲା।

ସକାଳ ୬ଟା ସମୟରେ ଲଡୁକିଶୋରଙ୍କ ମରଶରୀର ପଥରାରେ ପହଞ୍ଚିଥିଲା। ତାଙ୍କ ମରଶରୀର ଦେଖିବା ପରେ ଉପସ୍ଥିତ ଲୋକମାନେ ନିଜକୁ ସମ୍ଭାଳି ରଖିପାରିନଥିଲେ। କାନ୍ଦବୋବାଳିରେ ଚତୁର୍ଦ୍ଦିଗ ଫାଟି ପଡ଼ିଥିଲା। ସମସ୍ତଙ୍କ ଆଖି ଲୁହରେ ଭରି ଯାଇଥିଲା। ନିଜ ପ୍ରିୟ ନେତାଙ୍କୁ ହରାଇ ସଭିଏଁ ଦୁଃଖରେ ଭାଙ୍ଗି ପଡ଼ିଥିଲେ।

ଶିକ୍ଷକରୁ ରାଜନେତା ପର୍ଯ୍ୟନ୍ତ ଲୋକଙ୍କ ପାଖେ ପାଖେ ରହି ଆସିଥିବା ଲଡୁକିଶୋରଙ୍କୁ ସମସ୍ତେ ଝୁରୁଥିଲେ। ବହୁ ରାଜନେତା, ବୁଦ୍ଧିଜୀବୀ, ପ୍ରାଶାସନିକ ପଦାଧିକାରୀ ଓ ସମାଜସେବୀଙ୍କଠୁ ଆରମ୍ଭ କରି ମାନ୍ୟଗଣ୍ୟ ବ୍ୟକ୍ତି ‌ଓ ହଜାର ହଜାର ଲୋକ ତାଙ୍କ ବାସଭବନକୁ ଯାଇ ଶେଷଦର୍ଶନ କରିଥିଲେ। ସେଠାରୁ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ କବିସୂର୍ଯ୍ୟନଗର ଏନ୍‌ଏସି ଓ ଆସିକା ଏନ୍‌ଏସି କାର୍ଯ୍ୟାଳୟ ନିକଟକୁ ନିଆଯିବା ପରେ ପୁଣି ପଥରା ବାସଭବନକୁ ଅଣାଯାଇଥିଲା। ଏହାପରେ ପଥରା-ନନ୍ଦିଆଗଡ଼ ଗ୍ରାମ ରାସ୍ତା କଡ଼ରେ ଥିବା ତାଙ୍କର ନିଜର ଚାଷ ଜମିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ତୋପ ସଲାମୀ ଦିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା। ବଡ଼ପୁଅ ନଚିକେତା ମୁଖାଗ୍ନି ଦେଇଥିଲେ। ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ମଞ୍ଜୁଳାଙ୍କ ସମେତ ଦୁଇ ପୁଅ ନଚିକେତା ଓ ଅଶ୍ବିନୀ ଏବଂ ଏକମାତ୍ର ଝିଅଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe