କୋଭିଡ୍‌ କେୟାର କେନ୍ଦ୍ର ଉଦ୍‌ଘାଟନରେ ତୁମୁଳକାଣ୍ଡ, ସାଂସଦ-ବିଧାୟକ ମୁହାଁମୁହିଁ

Advertisment
କୋଭିଡ୍‌ କେୟାର କେନ୍ଦ୍ର ଉଦ୍‌ଘାଟନରେ ତୁମୁଳକାଣ୍ଡ, ସାଂସଦ-ବିଧାୟକ ମୁହାଁମୁହିଁ

ପାଳଲହଡ଼ା : ଢେଙ୍କାନାଳ ସାଂସଦ ମହେଶ ସାହୁ ଓ ପାଳଲହଡ଼ା ବିଧାୟକ ମୁକେଶ ପାଳ ମୁହାଁମୁହିଁ ହୋଇଛନ୍ତି। ଆଜି ପୂର୍ବାହ୍ଣରେ ପାଳଲହଡ଼ାରେ କୋଭିଡ୍‌ କେୟାର କେନ୍ଦ୍ର ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ନେଇ ଉଭୟଙ୍କ ଭିତରେ ଯୁକ୍ତିତର୍କ ସାଙ୍ଗକୁ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ଭୀଷଣ ଝଗଡ଼ା ହୋଇଛି। ଶାସକ ଦଳର ଦୁଇ ନିର୍ବାଚିତ ଲୋକପ୍ରତିନିଧିଙ୍କ ମଧ୍ୟରେ ଏଭଳି ତୁ ତୁ ମେଁ ମେଁ ଜିଲ୍ଲା ରାଜନୀତିକୁ ସରଗରମ କରିଛି।

ପାଳଲହଡ଼ା ସୁବର୍ଣ୍ଣପାଲିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟଠାରେ ୪୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ୍‌ କେୟାର କେନ୍ଦ୍ର ଆଜି ଉଦ୍‌ଘାଟନ ଲାଗି କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା। ଏଥିପାଇଁ ସାଂସଦ ଓ ବିଧାୟକଙ୍କୁ ମୌଖିକ ଭାବେ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ଏଠାରେ ସାଂସଦ ମହେଶ ସାହୁ ପହଞ୍ଚିଲାବେଳକୁ ବିଧାୟକ ଶ୍ରୀ ପାଳ ଫିତା କାଟି ଏହାର ଉଦ୍‌ଘାଟନ କରି ଦେଇଥିଲେ। ଏହାକୁ ନେଇ ସାଂସଦ ରାଗି ଯାଇଥିଲେ। ସବୁ ଦୋଷ ଲଦିଥିଲେ ବିଧାୟକଙ୍କ ଉପରେ। ଆଗୁଆ ଫିତା କାଟି ବିଧାୟକ କେଉଁ ବାହାଦୁରି ନେବାକୁ ଚାହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାକୁ ନେଇ ସାଂସଦ ଗୋଷ୍ଠୀ ଓ ବିଧାୟକ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସାଂସଦ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି। ସେଠାରେ ଉପସ୍ଥିତ ବିଧାୟକଙ୍କ ସମର୍ଥକମାନେ ସାଂସଦଙ୍କୁ ଘେରିଥିଲେ। ଏହାକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଉଭୟ ଗୋଷ୍ଠୀ ଭିତରେ କଥା ଧସ୍ତାଧସ୍ତି ପର୍ଯ୍ୟନ୍ତ ଯାଇଥିଲା।

ସାଂସଦ ଶ୍ରୀ ସାହୁଙ୍କ କହିବା ଅନୁଯାୟୀ, କେନ୍ଦ୍ର ଉଦ୍‌ଘାଟନ ପାଇଁ ତାଙ୍କୁ ଦିନ ୧୧ଟା ସମୟ କୁହାଯାଇଥିଲା। ଅପରପକ୍ଷରେ ବିଧାୟକ ଶ୍ରୀ ପାଳ କହିଛନ୍ତି, ପ୍ରଶାସନ ପକ୍ଷରୁ ୧୦ଟା ୩୦ରେ କେନ୍ଦ୍ରର ଉଦ୍‌ଘାଟନ ନେଇ ତାଙ୍କୁ କୁହାଯାଇଥିଲା। ତେଣୁ ବିଧାୟକ ସାଢେ ୧୦ଟାରେ ଏହି କେନ୍ଦ୍ରର ଉଦ୍‌ଘାଟନ କରିଥିବା କହିଛନ୍ତି।

ବିଧାୟକ ଶ୍ରୀ ପାଳ କହିଛନ୍ତି ଯେ କୋଭିଡ କେୟାର କେନ୍ଦ୍ର କରିବାରେ ସାଂସଦଙ୍କର କୌଣସି ଭୂମିକା ନାହିଁ। ଦୁଇ ବର୍ଷ ହେଲା ସେ କୌଣସି ଉନ୍ନତିମୂଳକ କାର୍ଯ୍ୟ କରିନାହାନ୍ତି। ଏବେ ବିଜେପି ଆଡ଼କୁ ମୁହାଁଇଛନ୍ତି। ମୁଁ ଉନ୍ନତିମୂଳକ କାର୍ଯ୍ୟ କରିବାରେ ସେ ବାଧା ସୃଷ୍ଟି କରୁଛନ୍ତି। ଅପରପକ୍ଷରେ ସାଂସଦ ଶ୍ରୀ ସାହୁ କହିଛନ୍ତି, ବିଧାୟକ ମୁକେଶ କୁମାର ପାଳ ୨ ବର୍ଷ ତଳେ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ। ମୁଁ ୧୨ ବର୍ଷ ହେଲା ବିଜେଡିରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe