ନବରଙ୍ଗପୁର/ଚନ୍ଦାହାଣ୍ଡି: ଚନ୍ଦାହାଣ୍ଡି ବିଜେପିର ଅନ୍ତଃ କନ୍ଦଳ ପଦାରେ ପଡ଼ିଛି। ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧି ହାତାହାତି ହୋଇଛନ୍ତି। ଯାହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଗୁରୁବାର ଚନ୍ଦାହାଣ୍ଡି ବ୍ଲକ୍ କାର୍ଯ୍ୟାଳୟ ସଭାଗୃହରେ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରୁ ବିଧାୟକ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ ବାହାରୁଥିବା ସମୟରେ ସାଂସଦ ପ୍ରତିନିଧି ବସନ୍ତ ମାଝୀଙ୍କ ସହ କଥା କଟାକଟି ହୋଇଥିଲା। ସାଂସଦ ପ୍ରତିନିଧି ତଥା ନବରଙ୍ଗପୁର ସାଂସଦଙ୍କ ଭାଇ ବସନ୍ତ ମାଝୀ ଏଥିରେ ଉତ୍କ୍ଷିପ୍ତ ହୋଇ ବିଧାୟକ ପ୍ରତିନିଧି ପ୍ରତାପଙ୍କ ଉପରେ ଆକ୍ରମଣ କରିବା ପରେ ସେଠାରେ ଉପସ୍ଥିତ ଥିବା କର୍ମୀ ପ୍ରତାପଙ୍କୁ ଚପଲରେ ମାଡ଼ ମାରୁଥିବା ଭିଡିଓରେ ଦୃଶ୍ୟମାନ ହେଉଛି।
ଠିକା କାମ ବିକ୍ରିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା ହେଉଛି। ଦୁଇ ଗୋଷ୍ଠୀ ମଧ୍ୟରେ ବହୁ ସମୟ ଧରି ଧସ୍ତାଧସ୍ତି ଚାଲିଥିଲା। ଏହି ଘଟଣାକୁ ବୁଦ୍ଧିଜୀବୀ ମହାଲରେ ତୀବ୍ର ନିନ୍ଦା କରାଯାଇଛି। ସାଂସଦ ପ୍ରତିନିଧି ଶ୍ରୀ ମାଝୀଙ୍କ ସହ ତାଙ୍କ ସମର୍ଥକ ଚନ୍ଦାହାଣ୍ଡି ଥାନାକୁ ଯାଇଥିଲେ। କିନ୍ତୁ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆ ଯାଇନଥିବା ଜଣାପଡ଼ିଛି। ଗଣ୍ଡଗୋଳରେ ଉଭୟଙ୍କ ସାର୍ଟ ଚିରି ଯାଇଛି। ଏ ନେଇ ପୂର୍ବତନ ସାଂସଦ ରମେଶ ମାଝୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ସରକାର ଗଢ଼ିବାର ୮ ମାସ ବିତିନି। ଠିକା କାମକୁ ନେଇ ମାର୍ପିଟ ହେଉଛନ୍ତି। ନିଜ ସ୍ୱାର୍ଥକୁ ନେଇ ଲଢ଼ୁଥିବା ନେତା ଲୋକଙ୍କ ପାଇଁ କ’ଣ କାମ କରିବେ ବୋଲି ରମେଶ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା କ୍ଷମରାଜ ବାଘ ଏହି ଘଟଣାକୁ ନିନ୍ଦା କରିବା ସହିତ ଏପରି ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି କହିଛନ୍ତି।
Follow Us