ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଶୁଣାଣି ଶେଷ

ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଶୁଣାଣି ଶେଷ

କଟକ : ନବଦିଗନ୍ତ କ୍ୟାପିଟାଲ ସର୍ଭିସେସ୍‌ ଲିମିଟେଡ୍‌ ଚିଟ୍‌ଫଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନର ଶୁଣାଣି ହାଇକୋର୍ଟରେ ଶେଷ ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆଜି ମାମଲାର ଶୁଣାଣି ସମୟରେ ଆବେଦନକାରୀ ଓ ସିବିଆଇ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ୨୦୧୮, ଏପ୍ରିଲ ୨ରେ ସୁପ୍ରିମକୋର୍ଟ ଶ୍ରୀ ହାଁସଦାଙ୍କ ମାମଲାର ଶୁଣାଣି କରି ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏତଦ୍‌ବ୍ୟତୀତ ଶ୍ରୀ ହାଁସଦାଙ୍କ ଜାମିନ ଆବେଦନର ଶୀଘ୍ର ଶୁଣାଣି ପାଇଁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଏପ୍ରିଲ ୪ରେ ଶ୍ରୀ ହାଁସଦା ହାଇକୋର୍ଟରେ ଜାମିନ ପାଇଁ ସାନି ଆବେଦନ ଦାୟର କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ନବଦିଗନ୍ତ ଗ୍ରୁପ୍‌ ଅଫ୍‌ କମ୍ପାନିଜ ସହିତ ଜଡିତ ଥିବା ଶ୍ରୀ ହାଁସଦାଙ୍କୁ ସିବିଆଇ ୨୦୧୪, ନଭେମ୍ବର ୪ରେ ଗିରଫ କରିଥିଲା। ତାଙ୍କ ସହିତ ନବଦିଗନ୍ତର ପ୍ରମୁଖ ଅଧିକାରୀ ଏବଂ କେନ୍ଦୁଝରର ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ପୂର୍ବତନ ବିଜେପି ବିଧାୟକ ହିତେଶ ବଗର୍ତ୍ତିଙ୍କୁ ମଧ୍ୟ ସିବିଆଇ ଗିରଫ କରିଥିଲା। ୨୦୧୫, ଫେବ୍ରୁଆରି ୧୯ରେ ଉପରୋକ୍ତ ୩ ଜଣଙ୍କ ସହିତ ନବଦିଗନ୍ତ ସିଏମଡି ଅଞ୍ଜନ କୁମାର ବଳିୟାରସିଂ, ନିର୍ଦ୍ଦେଶକ ପ୍ରଦୀପ ପଟ୍ଟନାୟକ, କାର୍ତ୍ତିକେୟ ପରିଡାଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଥିଲା। ଏହାପରେ ଶ୍ରୀ ହାଁସଦା ହାଇକୋର୍ଟରେ କରିଥିବା ଜାମିନ ଆବେଦନ ଖାରଜ ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକ ଓ ସିବିଆଇ ପକ୍ଷରୁ ଏଏସ୍‌ଜି ଅନୁପ କୁମାର ବୋଷ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe