ସାଂସଦଙ୍କ ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ପରିଚୟ : ବିଜେଡି

Advertisment
ଜଗଦ୍ଦେବ ବିଜେଡିରେ ନାହାନ୍ତି, ଦୃଢ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ: ବିଜେଡି

YouTube

ଭୁବନଶ୍ବେର : ଓଡ଼ିଶାର ବିଜେପି ସାଂସଦମାନଙ୍କ ଦ୍ବାରା କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଦିଆଯାଇଥିବା ସ୍ମାରକପତ୍ର ସେମାନଙ୍କ ଅଜ୍ଞତାର ଗଭୀରତାକୁ ଦର୍ଶାଉଛି ବୋଲି ବିଜେଡି ଅଭିଯୋଗ କରିଛି। ଏହା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଦଳର ସାଂସଦ ସସ୍ମିତ ପାତ୍ର କହିଛନ୍ତି।

ଶ୍ରୀ ପାତ୍ର କହିଛନ୍ତି ଯେ ପିଏମ୍‌ଜିକେଏୱାଇ ଯୋଜନାରେ ୨୦୨୧ ମେ’ ଓ ଜୁନ୍ ମାସ ପାଇଁ ଓଡ଼ିଶାକୁ ୩.୨୪ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ମଞ୍ଜୁର ହୋଇଥିବା ବେଳେ ଏଥିରୁ ୯୯.୮% ଉଠାଣ ହୋଇଛି ଓ ୯୬.୧% ବଣ୍ଟନ ହୋଇଛି। ୨୦୨୧ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ଓଡ଼ିଶାକୁ ୩.୨୪ ଲକ୍ଷ ମେଟ୍ରିକ୍ ଟନ୍ ମଞ୍ଜୁର ହୋଇଥିବା ବେଳେ ଏଥିରୁ ୯୯.୩% ଉଠାଣ ଓ ଆଜି ସୁଦ୍ଧା ୮୪.୯% ବଣ୍ଟନ ହୋଇଛି। ଆଗାମୀ ୭ ଦିନ ମଧ୍ୟରେ ଅବଶିଷ୍ଟ ସାମଗ୍ରୀ ବଣ୍ଟନ କରାଯିବ। ୨୦୨୧ ଜୁଲାଇ ଓ ଅଗଷ୍ଟ ପାଇଁ ୧୫ଟି ଜିଲ୍ଲା ସକାଶେ ମଞ୍ଜୁର ହୋଇଥିବା ଖାଦ୍ୟଶସ୍ୟରୁ ୯୮%ରୁ ୧୦୦% ଉଠାଣ ସହିତ ଏହାର ବଣ୍ଟନ ଜାରି ରହିଛି। ଭାରତ ସରକାରଙ୍କ ପୋର୍ଟାଲ୍‌ରେ ଉଲ୍ଲେଖ ଅଛି ଯେ ମିଳିଥିବା ଖାଦ୍ୟଶସ୍ୟରୁ ଓଡ଼ିଶା ୯୮.୮% ବଣ୍ଟନ ସରିଛି, ଯାହା କି ଖାଦ୍ୟ ସାମଗ୍ରୀ ବଣ୍ଟନ କ୍ଷେତ୍ରରେ ଦେଶର ଅନ୍ୟ ରାଜ୍ୟ ଭିତରେ ଓଡ଼ିଶାର ଶ୍ରେଷ୍ଠତା ପ୍ରତିପାଦନ କରୁଛି। ବିଜେପି ଶାସିତ ରାଜ୍ୟ ଉତ୍ତରାଖଣ୍ଡ, ବିହାର, ହରିଆନା ଓ କର୍ଣ୍ଣାଟକ ଏ କ୍ଷେତ୍ରରେ ଓଡ଼ିଶା ଠାରୁ ଢେର୍ ପଛରେ ଅଛନ୍ତି। ପିଏମ୍‌ଜିକେଏୱାଇ ଯୋଜନାରେ ଭାରତର ୮ଟି ରାଜ୍ୟର ୨୦୨୧ ଜୁଲାଇ ଠାରୁ ଖାଦ୍ୟଶସ୍ୟ ବଣ୍ଟନର ବିବରଣୀ ଅନୁଯାୟୀ ଓଡ଼ିଶା ୨.୭୫ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ବଣ୍ଟନ କରିଛି। ବିଜେପି ଶାସିତ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଗୁଜୁରାଟ ଓ ବିହାର ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ ମେଟ୍ରିକ୍ ଟନ୍ ଖାଦ୍ୟଶସ୍ୟ ବାଣ୍ଟିବାରେ ମଧ୍ୟ ସକ୍ଷମ ହୋଇ ନାହାନ୍ତି। ମନ୍ତ୍ରଣାଳୟରେ ଥିବା ତଥ୍ୟ ଅନୁଯାୟୀ ଖାଦ୍ୟଶସ୍ୟ ବଣ୍ଟନ କ୍ଷେତ୍ରରେ ଓଡ଼ିଶା ଦେଶର ସର୍ବୋତ୍ତମ ରାଜ୍ୟ ହୋଇଥିଲା ବେଳେ ବିଜେପି ଶାସିତ ରାଜ୍ୟଗୁଡ଼ିକ ଖରାପ ପ୍ରଦର୍ଶନ କରିଛନ୍ତି। ତେଣୁ ବିଜେପି ସାଂସଦମାନେ ଏପରି ମନଗଢ଼ା କାହାଣୀ ଓ ହାସ୍ୟାସ୍ପଦ ବିବୃତି ଦେବା ବଦଳରେ ଓଡ଼ିଶାର ବାକି ପଡ଼ିଥିବା ଖାଦ୍ୟ ସବ୍‌ସିଡି ଅର୍ଥ ତୁରନ୍ତ ପ୍ରଦାନ କରିବା ସହିତ ବଳକା ୭ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳକୁ ଏଫ୍‌ସିଆଇ ଜରିଆରେ ଉଠାଣ ନିମନ୍ତେ କେନ୍ଦ୍ର ମନ୍ତ୍ରୀଙ୍କୁ କହିବା ପାଇଁ ଶ୍ରୀ ପାତ୍ର ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe